ଧାମରା : ଚାନ୍ଦିପୁର ଆଇଟିଆର୍ ତଥ୍ୟ ଲିକ୍ ମାମଲାରେ ପ୍ରତିରକ୍ଷା ବିଭାଗର ଜଣେ କର୍ମଚାରୀଙ୍କ ସହିତ ୪ ଠିକା ଶ୍ରମିକ ଗିରଫ ହେବାପରେ ଭଦ୍ରକ ଜିଲ୍ଲା ଧାମରାରେ ଥିବା ଅବଦୁଲ କଲାମ୍ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଓ ଧାମରା ବନ୍ଦରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଲାମ୍ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଚାରିପାଖରେ ମାଳମାଳ ସନ୍ଦିଗ୍ଧ ବାଂଲାଦେଶୀ ବୁଲୁଛନ୍ତି। ମତ୍ସ୍ୟଜୀବୀଙ୍କ ବଳୟ ଭିତରେ ଥିବା ଏହି ପରୀକ୍ଷଣ କେନ୍ଦ୍ର ଚାରିପାଖରେ ବାଂଲାଦେଶୀଙ୍କ ଅବାଧ ଅନୁପ୍ରବେଶ ଲାଗିରହିଛି। ଯାହା କି କଲାମ୍ ଦ୍ବୀପର ସୁରକ୍ଷା ପ୍ରତି ଏକ ବଡ଼ ଆହ୍ବାନ। ବନ୍ଦର ମଧୢକୁ ବିଦେଶୀଙ୍କ ଅବାଧ ଆଗମନ ଲାଗି ରହିଥିବା ବେଳେ ସ୍ଥାନୀୟ ଶରଣାର୍ଥୀଙ୍କ ସହଯୋଗରେ ବାଂଲାଦେଶୀ ଅନୁପ୍ରବେଶକାରୀ ନିୟମିତ ଭାବେ ଧାମରା ଉପକୂଳକୁ ଯାଆସ କରୁଛନ୍ତି।
ଏସବୁ ସ୍ପର୍ଶକାତର ଘଟଣାରେ ସ୍ଥାନୀୟ ସାମୁଦ୍ରିକ ଥାନା ପୁଲିସ କିମ୍ବା ରାଜ୍ୟ ଗୁଇନ୍ଦା ବିଭାଗ (ସ୍ପେଶାଲ୍ ବ୍ରାଞ୍ଚ) କେହି କେବେ ଦୃଷ୍ଟି ଦେଉନାହାନ୍ତି।
ସମୁଦ୍ରର ଏକ ଟାପୁ (ଦ୍ବୀପ) ମଧ୍ୟରେ ଥିବା ଡିଆରଡିଓର ଏହି ଗୁରୁତ୍ବପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ସାମରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ। ବଙ୍ଗୋପସାଗରର ସୁଦୀର୍ଘ ଉପକୂଳ ଦେଇ ବାଂଲାଦେଶୀମାନେ ଏ ଅଞ୍ଚଳରେ କାୟାବିସ୍ତାର କରି ଚାଲିଥିବା ବେଳେ ସେମାନଙ୍କୁ ଚିହ୍ନଟ କରିବାରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବାଂଲାଦେଶୀମାନେ ଚାନ୍ଦବାଲି ବ୍ଳକର ଧାମରା, ଦୋସିଙ୍ଗା, କଇଥଖୋଲା, କରଞ୍ଜମାଳ, ଚୂଡାମଣି, କଶିଆ, ଜମ୍ବୁ, ବାଲେଶ୍ବର ଜିଲ୍ଲାର ବଳରାମଗଡି, ବାହାବଳପୁର, କେନ୍ଦ୍ରାପଡା ଜିଲ୍ଲାର ରାଜନଗର, ତାଳଚୁଆ ଆଦି ସ୍ଥାନରେ ବସତି ସ୍ଥାପନ କରି ରହିଛନ୍ତି। ଚିହ୍ନଟ ଦୂରେ ଥାଉ, ଏମାନଙ୍କ ଆଗମନ ସମ୍ପର୍କରେ ପୁଲିସ କିମ୍ବା ପ୍ରଶାସନ କୌଣସି ଟେର୍ ବି ପାଉନାହିଁ। ଧାମରା ବନ୍ଦର କାର୍ଯ୍ୟକ୍ଷମ ହେବା ପରଠାରୁ ଉପରୋକ୍ତ ଅଞ୍ଚଳରେ ଦିନକୁ ଦିନ ବହୁ ଅଚିହ୍ନା ବ୍ୟକ୍ତି ଆତଯାତ ହେଉଛନ୍ତି। ମୁଖ୍ୟତଃ ଧାମରା, ଦୋସିଙ୍ଗ ଓ କଇଥଖୋଲା ପଞ୍ଚାୟତରେ ଏହି ସନ୍ଦିଗ୍ଧମାନେ ଅଧିକ ସଂଖ୍ୟାରେ ରହୁଥିବାରୁ ଅବଦୁଲ କଲାମ୍ ଦ୍ବୀପ ଓ ଧାମରା ବନ୍ଦର ପ୍ରତି ବିପଦ ସୃଷ୍ଟି ହୋଇଛି।
ସନ୍ଦିଗ୍ଧ ବାଂଲାଦେଶୀମାନଙ୍କୁ ସାମୁଦ୍ରିକ ପଥରେ ଅବରୋଧ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଧାମରା, କଶିଆ, ବଳରାମଗଡି ଆଦି ସ୍ଥାନରେ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଛି। କିନ୍ତୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଅଭାବ ସହିତ କର୍ମଚାରୀ ସମସ୍ୟା ଏଥିରେ ବାଧକ ସାଜିଛି। ଧାମରା ସାମୁଦ୍ରିକ ଥାନାରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ୩ଟି ଅତ୍ୟାଧୁନିକ ଦ୍ରୁତଗାମୀ ବୋଟ୍ ରହିଥିବା ବେଳେ ଅଧିକାଂଶ ସମୟ ଜାଳେଣି ଅଭାବରୁ ଏହା ଜେଟିରେ ବନ୍ଧା ହୋଇରହୁଛି। ଏ ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପକୂଳ ସୁରକ୍ଷା ଦିଗରେ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/dhamara-1.jpg)