କଟକ: ଦେହ ବ୍ୟବସାୟରେ ନିୟୋଜିତ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପୀଡ଼ିତାଙ୍କ ପରିବାର ନିକଟରେ ଏ ଖବର ପହଞ୍ଚିଛି। ପୀଡ଼ିତାଙ୍କ ବାପା ଝିଅକୁ ଘରକୁ ଫେରାଇ ଆଣିବାକୁ କଟକ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ନାବାଳିକାଙ୍କଠାରୁ ଜବତ ହୋଇଥିବା ମୋବାଇଲକୁ ଏ ସଂକ୍ରାନ୍ତ ଏକ ମେସେଜ୍ ପୀଡ଼ିତାଙ୍କ ବାପା ବଙ୍ଗଳା ଭାଷାରେ ଲେଖି ପଠାଇଛନ୍ତି। ଏହି ମେସେଜ୍ ସହିତ ବାଂଲାଦେଶ ସରକାରଙ୍କ ତରଫରୁ ଉଭୟ ବାପା ମା’ଙ୍କୁ ମିଳିଥିବା ପରିଚୟପତ୍ର ମଧ୍ୟ ‘ଇମୋ’ ଆପ୍ଲିକେସନ୍ ଯୋଗେ ପଠାଇଛନ୍ତି। ପୁଲିସ ଏହାକୁ ଅନୁଧ୍ୟାନ କରୁଛି। ଅନ୍ୟପଟେ ଏହି ଘଟଣାରେ କଟକ କମିସନରେଟ୍ ପୁଲିସ ଭୁବନେଶ୍ବରରେ ସୋମବାର ବଡ଼ଧରଣର ଚଢ଼ଉ କରିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଦୁଇ ଜଣ ଦଲାଲଙ୍କୁ ପୁଲିସ ଅଟକ ରଖିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ସାଇ ଓ ରାଜ୍। ସେମାନେ ଭୁବନେଶ୍ୱରର ମୁଖ୍ୟ କାର୍ପଟଦାର ଗୋପୀର ଖାସ୍ ସହଯୋଗୀ ବୋଲି କୁହାଯାଉଛି। ବାଂଲାଦେଶୀ ନାବାଳିକାଙ୍କୁ ଭୁବନେଶ୍ବରରେ ରଖିବା ଓ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଠାଇବା ପଛରେ ମୁଖ୍ୟ କାର୍ପଟଦାର ହେଉଛି ଗୋପୀ। ଗୋପୀ ସହିତ ଏହି ଦୁଇଜଣ ନିୟମିତ ଫୋନ୍ରେ ଯୋଗାଯୋଗରେ ରହିବା ସହିତ ନାବାଳିକା ଓ ଯୁବତୀ ଚାଲାଣ ମାମଲାରେ ସାମିଲ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ସୋମବାର ପୁଲିସ ଭୁବନେଶ୍ବରର ପାଣ୍ଡରା, ଉତ୍ତରା, କେଶୁରା, ଝାରପଡ଼ା, ଲକ୍ଷ୍ମୀସାଗର ଅଞ୍ଚଳରେ ଚଢ଼ଉ କରିଥିବା ସୂଚନା ମିଳିଛି। ଏହି ନେଟ୍ଵାର୍କରେ ୧୦ ଜଣ ଦଲାଲଙ୍କ ନାଁ ପୀଡ଼ିତା ସୋମବାର ପୁଲିସକୁ ଦେଇଛନ୍ତି। ସେହି ଆଧାରରେ ପୁଲିସ ଚଢ଼ଉ କରୁଥିବା ସୂଚନା ମିଳିଛି।
ଉଦ୍ଧାର ନାବାଳିକା ବାଂଲାଦେଶ ଢାକା ରାଜ୍ୟ ଗାଜିପୁର ଜିଲ୍ଲାର ବାସିନ୍ଦା। ତାଙ୍କ ବାପା ଜଣେ ଅଟୋ ଚାଳକ ହୋଇଥିବା ବେଳେ ମା’ ଘରୋଇ ସଂସ୍ଥାରେ କାମ କରନ୍ତି। ବାପା ମା’ଙ୍କ ଏକମାତ୍ର ଝିଅ ହେଉଛନ୍ତି ଏହି ପୀଡ଼ିତା। ପୀଡ଼ିତା ଦଶମ ପରୀକ୍ଷା ଦେଇ ଘରେ ରହୁଥିଲେ। ସୋସିଆଲ୍ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଦେଖି ଯୋଗାଯୋଗ କରିବାରୁ ଫୋନ୍ ଉଠାଇଥିବା ବ୍ୟକ୍ତି ଭାରତର କୋଲକାତା କିମ୍ବା ଦିଲ୍ଲୀରେ ନିଯୁକ୍ତି ଦେବା ସଂକ୍ରାନ୍ତରେ କହିଥିଲା। ଗତ ଅଗଷ୍ଟ ଶେଷ ଆଡ଼କୁ ପରିବାର ଲୋକଙ୍କ ଜାଣତରେ ପୀଡ଼ିତା ଉକ୍ତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାର କର୍ମଚାରୀ କହୁଥିବା ଦୁଇ ଜଣ ବ୍ୟକ୍ତିଙ୍କ ମାଧ୍ୟମରେ ଗାଜିପୁରରୁ ବସ୍ ଯୋଗେ କିଛି ବାଟ ଆସିଥିଲେ। ପରେ ଜଙ୍ଗଲ ରାସ୍ତାରେ ଚାଲିଚାଲି ଯାଇ ବାଂଲାଦେଶ ସୀମା ଡେଇଁବା ପରେ ଆଉ ଏକ ବସ୍ରେ କୋଲକାତା ଆସିଥିଲେ। ସାଙ୍ଗରେ ଥିବା ଦୁଇଜଣ ବ୍ୟକ୍ତି କୋଲକାତାରେ ଛାଡ଼ି ପଳାଇଥିଲେ। ସେଠାରେ ଚାରି ଦିନ ରହଣି ଭିତରେ ତାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିଲା। ପରେ ସେଠୁ ବସ୍ ଯୋଗେ ଭୁବନେଶ୍ବର ଅଣାଯାଇଥିଲା। ଭୁବନେଶ୍ବରରେ ପାଖାପାଖି ଚାରି ମାସ ରହିବା ଭିତରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟରେ ତାଙ୍କୁ ନିୟୋଜିତ କରାଯାଇଥିବା ପୁଲିସ ଜାଣିବାକୁ ପାଇଛି।
୧୦ ଦଲାଲ୍ଙ୍କ ନାଁ ଦେଲେ ପୀଡ଼ିତା
ଭୁବନେଶ୍ବର ଲକ୍ଷ୍ମୀସାଗରରୁ ୨ ଦଲାଲ୍ ଅଟକ
ଝିଅକୁ ଫେରାଇ ଆଣିବାକୁ ବାପାର ନିବେଦନ
ଏହି ଘଟଣାରେ କଟକ ସିଟି ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ବିଏନ୍ଏସ୍ର ଧାରା ୧୮୩ରେ ବୟାନ ରେକର୍ଡ ହୋଇଛି। ପୀଡ଼ିତା ବାଂଲାଦେଶରୁ ଚାଲାଣ ପରେ ଓଡ଼ିଶାରେ କେଉଁ ସ୍ଥାନରେ ତାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିଲା, ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଗଲାକାଲି (ରବିବାର) ବସୁନ୍ଧରାରେ ବିଏନ୍ଏସ୍ର ଧାରା ୧୮୦ରେ ପୀଡ଼ିତାଙ୍କ ବୟାନ ପୁଲିସ ରେକର୍ଡ କରିଥିଲା। ସୋମବାର ନାବାଳିକାଙ୍କ ବୟାନ ରେକର୍ଡ ସହିତ କଟକ ବଡ଼ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଥିଲା। ଡାକ୍ତରୀ ମାଇନା ରିପୋର୍ଟରେ କେତେଜଣ ଦୁର୍ବୃତ୍ତ ପୀଡ଼ିତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଆସୁଥିଲେ, ସେ ସମ୍ପର୍କରେ ସୂଚନା ମିଳିପାରିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପଟେ କଟକ ମଧୁପାଟଣା ଥାନା ପୁଲିସ ଓ ସ୍ପେସାଲ୍ ସ୍କ୍ବାଡ୍ର ଦୁଇଟି ଟିମ୍ ଭୁବନେଶ୍ବରର ସହିଦନଗର, ଖାରବେଳନଗର, ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ବାଳକାଟି ଇତ୍ୟାଦି ଅଞ୍ଚଳରେ ରବିବାର ରାତିରେ ଚଢ଼ଉ କରିଥିଲେ। ସୋମବାର ରାତି ଯାଏ ଏହି ଚଢ଼ଉ ଜାରି ରହିଥିଲା। ସେଠାରୁ ପୁଲିସ ମୁଖ୍ୟ କାର୍ପଟଦାରର ଜଣେ ସହଯୋଗୀକୁ ଟେକିନେଇଛି। ଆଉ ଜଣେ ସହଯୋଗୀକୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି। ଅନ୍ୟପଟେ ବାଂଲାଦେଶ ସରକାରଙ୍କ ପକ୍ଷରୁ ନାବାଳିକାଙ୍କୁ ମିଳିଥିବା ଜନ୍ମ ପ୍ରମାଣପତ୍ର, ସ୍କୁଲ୍ ସାର୍ଟିଫିକେଟ୍, ପରିଚୟପତ୍ର ଇତ୍ୟାଦି ଫୋନ୍ ଯୋଗେ ପଠାଇବାକୁ କଟକ ଡିସିପି ଜଗମୋହନ ମୀନା ପରିବାର ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଧୁପାଟଣା ଥାନା ଆଇଆଇସି ଚିତ୍ତରଞ୍ଜନ ରାଉତଙ୍କ ମାଧ୍ୟମରେ ଏହି ସମସ୍ତ ପ୍ରମାଣପତ୍ର ଦାଖଲ ପାଇଁ ଶ୍ରୀ ମୀନା ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଏହି ମାମଲାରେ କେନ୍ଦୁଝର ଜିଲ୍ଲାର ଜସ୍ମିନ୍ ଚୌଧୁରୀ ଓ ତା’ ସ୍ବାମୀ ରାଜସ୍ଥାନ ଯୋଧପୁର ଜିଲ୍ଲା ସୁରସାଗର ଥାନା ଅନ୍ତର୍ଗତ ବେରୁର ଓମ୍ପ୍ରକାଶ ଚୌଧୁରୀ ଓରଫ ବେପା ରାମ୍ଙ୍କୁ ଗୋପାଳପୁରରୁ ଗିରଫ କରାଯାଇଥିଲା। ଏମାନେ ଗଲା ୮ ମାସ ହେବ ସେଠାରେ ଭଡ଼ାରେ ତଳ ମହଲାର ତିନି ବଖରା ଘର ନେଇଥିଲେ। ଦେହ ବ୍ୟବସାୟ ଅଭିଯୋଗରେ ସଦର ଥାନା ପୁଲିସ ଗଲା ତିନି ମାସ ତଳେ ଚଢ଼ଉ କରି ଦୁଇ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା। ଏହି ଦମ୍ପତିଙ୍କୁ ଘରେ ନ ରଖିବାକୁ ଗାଁ ଲୋକେ ମଧ୍ୟ ଘରମାଲିକଙ୍କୁ ବାରଣ କରିଥିଲେ। କିନ୍ତୁ ଘରମାଲିକ ତାଙ୍କୁ ପ୍ରଶ୍ରୟ ଦେଇଆସିଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଏହି ଦମ୍ପତିଙ୍କ ବାଦ୍ ପୁଲିସ ସ୍କାନର୍ରେ ବାଂଲାଦେଶ ସମେତ କୋଲକାତା, କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଜଗତସିଂହପୁରର ୧୦ ଜଣ ଦଲାଲଙ୍କ ନାଁ ସାମନାକୁ ଆସିଛି। ଏହି ନାଁଗୁଡ଼ିକ ପୀଡ଼ିତାଙ୍କ ପକ୍ଷରୁ ପୁଲିସକୁ ଦିଆଯାଇଥିବା ସୂଚନା ମିଳିଛି।