କଟକ: ବାଂଲାଦେଶୀ ନାବାଳିକାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବା ଘଟଣାରେ ‘ସମ୍ବାଦ’ରେ ଲଗାତର ଖବର ପ୍ରକାଶ ପରେ କଟକ କମିସନରେଟ୍ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି କାରବାର ପଛରେ ଥିବା ଏକ ଦଲାଲ ଦମ୍ପତିଙ୍କୁ କଟକ ସଦର ଥାନା ଗୋପାଳପୁର ଅଞ୍ଚଳରୁ ଗିରଫ କରିଛି। ସେମାନେ ନାବାଳିକାଙ୍କୁ ବାରିପଦାରୁ ଆଣି ସଦର ଅଞ୍ଚଳରେ ଦେହ ବ୍ୟବସାୟରେ ନିୟୋଜିତ କରିଥିବା ଅଭିଯୋଗରେ ପୁଲିସ ଗିରଫ କରିଛି। ଏହି ଦମ୍ପତି ହେଉଛନ୍ତି କେନ୍ଦୁଝର ଜିଲ୍ଲାର ଜସ୍ମିନ୍ ଚୌଧୁରୀ(୩୦) ଓ ତା’ ସ୍ବାମୀ ରାଜସ୍ଥାନ ଯୋଧପୁର ଜିଲ୍ଲା ସୁରସାଗର ଥାନା ଅନ୍ତର୍ଗତ ବେରୁର ଓମ୍ପ୍ରକାଶ ଚୌଧୁରୀ ଓରଫ ବେପା ରାମ୍(୪୨)। ଏମାନେ ଗୋପାଳପୁରରେ ୧୦ ବର୍ଷ ହେବ ରହିଆସୁଛନ୍ତି। ଅନ୍ୟପଟେ ଦେହ ବ୍ୟବସାୟ ଘଟଣାର ମାଷ୍ଟର୍ମାଇଣ୍ଡ ତଥା ମୁଖ୍ୟ ଦଲାଲ ବାଂଲାଦେଶର ବାବୁ ଦାସ ଓ ଭୁବନେଶ୍ବରର ଗୋପୀ ଏବେ ଫେରାର୍ ହୋଇଯାଇଛନ୍ତି। ପୁଲିସ ସେମାନଙ୍କୁ ଧରିବାକୁ ସ୍ବତନ୍ତ୍ର ଟିମ୍ ଗଠନ କରିଛି।
ବାଂଲାଦେଶର ଢାକାରୁ ୧୬ ବର୍ଷୀୟା ବାଳିକାଙ୍କୁ ଦୁଇ ଜଣ ଦଲାଲ କୋଲକାତା ଆଣିଥିଲେ। ସେଠାରୁ ବାବୁ ଦାସ ନାମକ ଦଲାଲ ଭୁବନେଶ୍ବର ଦେହ ବ୍ୟବସାୟରେ ସାମିଲ କରିବାକୁ ଆଣିଥିବା ପୁଲିସ କହିଛି। ବାବୁ ମାଧ୍ୟମରେ ନାବାଳିକାଙ୍କୁ ଭୁବନେଶ୍ବରରୁ ବାରିପଦା ପଠାଯାଇଥିଲା। ବାରିପଦାର ‘ଦିଦି’ ନାମଧାରୀ ଜଣେ ମହିଳା ଦଲାଲ ମାଧ୍ୟମରେ ଏହି ନାବାଳିକାଙ୍କୁ କଟକ ସଦର ଥାନା ଗୋପାଳପୁର ଅଞ୍ଚଳର ଦମ୍ପତି ଜସ୍ମିନ୍ ଓ ବେପା ରାମ୍ ନଭେମ୍ବର ୮ ତାରିଖରେ ନିଜ ଘରକୁ ଆଣିଥିଲେ। ନାବାଳିକାଙ୍କୁ ବାରିପଦାରୁ ବସ୍ ଯୋଗେ କଟକ ଅଣାଯାଇଥିଲା। ସେଠାରେ ନାବାଳିକାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରାଯାଉଥିଲା। ୯ ତାରିଖ ରାତିରେ ପୀଡ଼ିତା ନାବାଳିକା ନିର୍ଯାତନାରେ ଅତିଷ୍ଠ ହୋଇ ଘର ଛାଡ଼ି ପଳାଇଥିଲେ। ସେହି ରାତିରେ ମଧୁପାଟଣା ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ପୀଡ଼ିତାଙ୍କ ବୟାନ ଆଧାରରେ ଏହି ଦମ୍ପତିଙ୍କ ଘରେ ରବିବାର ଦିନ ପ୍ରାୟ ୧୨ଟା ବେଳେ ଚଢ଼ଉ କରାଯାଇଥିଲା। ଜସ୍ମିନ୍ର ଘର କେନ୍ଦୁଝର ଜିଲ୍ଲା ହୋଇଥିବା ବେଲେ ବେପା ରାମ୍ର ଘର ରାଜସ୍ଥାନ ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଏମାନେ ଗୋପାଳପୁରରେ ସ୍ବାମୀ-ସ୍ତ୍ରୀ ଭାବେ ରହି ଦେହ ବ୍ୟବସାୟ କରୁଥିଲେ। ସେମାନଙ୍କୁ ଗିରଫ କରାଯିବା ସହ ମୋବାଇଲ୍ ଫୋନ୍ ଜବତ ହୋଇଛି। ତେବେ ଏହି ଫୋନରେ ‘ଇମୋ’ ଆପ୍ଲିକେସନ୍ ଥିବା ପୁଲିସ ଜାଣିବାକୁ ପାଇଛି। ଏହି ଆପ୍ଲିକେସନ୍ ମାଧ୍ୟମରେ ଦେହ ବ୍ୟବସାୟର ସମସ୍ତ ପ୍ରକାର ଡିଲ୍ ହେଉଥିଲା। ଏଥିରେ ଅଡିଓ କଲ୍ ସହିତ ମେସେଜ୍ ବି ପଠାଉଥିଲେ। ଏଥିରେ କଥାବାର୍ତ୍ତା ହେଲେ ପୁଲିସ ଟ୍ରାକିଂ କରିବା କିମ୍ବା କୌଣସି ପ୍ରକାର ପ୍ରମାଣ ନଥିବାରୁ ଏଭଳି କରାଯାଉଥିବା ପଚରାଉଚରା ସମୟରେ ଜଣାପଡ଼ିଥିଲା। ପୀଡ଼ିତାଙ୍କ ବୟାନ ଅନୁଯାୟୀ, ବାଂଲାଦେଶର ଗାଜିପୁର ଜିଲ୍ଲାର ଲିଟନ ଦାସ ଓ ମୌସୁମୀ, କୋଲକାତାର ବାବୁ ଦାସ ଓ ମାୟା, ଭୁବନେଶ୍ବରର ଗୋପୀ ଓରଫ ଗୋପାଚାର୍ଯ୍ୟ ଫେରାର୍ ହୋଇଯାଇଛନ୍ତି। ବାବୁ ଦାସ ନାବାଳିକାଙ୍କୁ ଭୁବନେଶ୍ବରରେ ଛାଡ଼ିବା ପରେ ଗୋପୀ ତାଙ୍କୁ ବିଭିନ୍ନ ଜିଲ୍ଲାରେ ଦେହ ବ୍ୟବସାୟରେ ନିୟୋଜିତ କରିଥିବା ପୀଡ଼ିତା ନିଜ ବୟାନରେ କହିଛନ୍ତି। ଗିରଫ ଦମ୍ପତିଙ୍କ ସହିତ ଗୋପୀର ଘନିଷ୍ଠ ସମ୍ପର୍କ ଥିବା କୁହାଯାଉଛି। ଗୋପୀ ଓ ବାବୁ ପ୍ରତ୍ୟେକ ଥର ମୋବାଇଲ୍ ସିମ୍ କାର୍ଡ ବଦଳାଉଥିଲେ।
ଭୁବନେଶ୍ବରରେ ନାବାଳିକାଙ୍କୁ ଛାଡ଼ିଥିବା ବାବୁ ଦାସ, ଗୋପୀ ଫେରାର
ବାରିପଦାର ‘ଦିଦି’ ଗ୍ୟାଙ୍ଗ୍ କଟକ ଚାଲାଣ କରିଥିଲା
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ କମିସନରେଟ୍ ପୁଲିସର ଚିଠି
ଶନିବାର ରାତି ୯ଟାରୁ ଭୋର ୩ଟା ଯାଏ ମଧୁପାଟଣା ଥାନା ପୁଲିସ ସମେତ ବିଡ଼ାନାସୀ ଓ ମହିଳା ଥାନା ପୁଲିସ ବସୁନ୍ଧରାରେ ଡେରା ପକାଇଥିଲା। ସେଠାରେ ପୀଡ଼ିତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା। ରବିବାର ସକାଳ ୯ଟାରେ ପୁଣି ପୀଡ଼ିତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା ପୁଲିସ। ବିଏନ୍ଏସ୍ର ଧାରା ୧୮୦ରେ ପୀଡ଼ିତାଙ୍କ ବୟାନ ପୁଲିସ ରେକର୍ଡ କରିଛି। ଅନ୍ୟପଟେ ଆସନ୍ତାକାଲି ବିଏନ୍ଏସ୍ର ଧାରା ୧୮୩ରେ ପୋକ୍ସୋ କୋର୍ଟରେ ପୀଡ଼ିତାଙ୍କ ବୟାନ ମାଜିଷ୍ଟ୍ରେଟ୍ଙ୍କ ସାମନାରେ ରେକର୍ଡ କରାଯିବ। ଏହି ଘଟଣାରେ କଟକ ଡିସିପି ପୁଲିସ କମିସନରଙ୍କ ମାଧ୍ୟମରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଚିଠି ମାଧ୍ୟମରେ ଯୋଗାଯୋଗ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବାଂଲାଦେଶର ରାଷ୍ଟ୍ରଦୂତଙ୍କ ସହିତ ଯୋଗାଯୋଗ କରାଯାଇ ପୀଡ଼ିତାଙ୍କୁ ନିଜ ଘରକୁ ଫେରାଇବାର ବ୍ୟବସ୍ଥା କରାଯିବ। ତେବେ ବାଲେଶ୍ବର, ବାରିପଦା, ବ୍ରହ୍ମପୁର ଭଳି ଅଞ୍ଚଳରେ ମଧ୍ୟ ପୀଡ଼ିତାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିବା ଜଣାପଡ଼ିଛି। ସେଥିପାଇଁ ଡିସିପି ଶ୍ରୀ ମୀନା ଉକ୍ତ ଜିଲ୍ଲାର ଏସ୍ପିଙ୍କ ସହିତ ଆଲୋଚନା କରିଛନ୍ତି। ‘ସମ୍ବାଦ’ରେ ଗଲା ୨୩ ତାରିଖରେ ପ୍ରଥମେ ଖବର ପ୍ରକାଶ ପରେ କମିସନରେଟ୍ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ଡିସିପି ଜଗମୋହନ ମୀନାଙ୍କ କହିଛନ୍ତି, ଗିରଫ ଦୁଇ ଅଭିଯୁକ୍ତଙ୍କ ସମ୍ପର୍କରେ ପୀଡ଼ିତା ଅଡିଓ ଭିଜୁଆଲ୍ ବୟାନ ସମୟରେ ସୂଚନା ଦେଇଥିଲେ। ଏହି ଘଟଣାରେ ଏସିପି ସ୍ବସ୍ତିକ୍ ପଣ୍ଡା ଓ ମଧୁପାଟଣା ଆଇଆଇସିଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।