ଓଡ଼ିଶାରେ ସକ୍ରିୟ ଅଛନ୍ତି ବାଂଲାଦେଶୀ ଆତଙ୍କବାଦୀ: ଏନ୍‌ଆଇଏ

ହାୱାଲା ଜରିଆରେ ଆର୍ଥିକ ସହାୟତା ଦେଉଛି ପାକିସ୍ତାନ, ଆତଙ୍କବାଦୀ ଧରାପଡ଼ିବା ପରେ ଆବଶ୍ୟକ ଖୋଳତାଡ଼ ହେଉନି

ଭୁବନେଶ୍ୱର : ଦେଶରେ ବାଂଲାଦେଶର ଜମ୍ମାତ୍‌-ଉଲ୍‌-ମୁଜାହିଦ୍ଦିନ୍‌(ଜେଏମ୍‌ବି) ଆତଙ୍କବାଦୀଙ୍କ କାର୍ଯ୍ୟକଳାପ କ୍ରମଶଃ ବଢ଼ୁଛି। ବି‌ଶେଷ କରି ଝାଡ଼ଖଣ୍ଡ, ଆସାମ ଓ ଓଡ଼ିଶା ଏହି ସମସ୍ୟାରେ ଛନ୍ଦି ହୋଇ ପଡ଼ିଛି। ନୂଆଦିଲ୍ଲୀ ବିଜ୍ଞାନ ଭବନ ପରିସରରେ ଏଟିଏସ୍‌(ଆଣ୍ଟି-ଟେରରିଜିମ୍‌ ସ୍କ୍ବାଡ୍‌)/ଏସ୍‌ଟିଏଫ୍‌ (ସ୍ପେଶାଲ ଟାସ୍କ ଫୋର୍ସ)ରାଜ୍ୟ ମୁଖ୍ୟମାନଙ୍କର ଦୁଇ ଦିନିଆ ବାର୍ଷିକ ସମ୍ମେଳନ‌ର ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ଏନ୍‌ଆଇଏ(ନାସନାଲ ଇନ୍‌ଭେଷ୍ଟିଗେଟିଂ ଏଜେନ୍ସି) ଡିଜି ଯୋଗେଶ ଚନ୍ଦର ମୋଦୀ ଏହି ସୂଚନା ଦେବା ପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ବାରା ପୂର୍ବରୁ ଅନେକ ଅପରାଧ ଘଟିଥିବାର ପ୍ରମାଣ ରହିଥିଲେ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇ ନାହିଁ। ବଡ଼କଥା ହେଉଛି ଭୁବନେଶ୍ବର ସମେତ ପୁରୀ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ ପ୍ରଭୃତି ବିଭିନ୍ନ ଜିଲ୍ଲାରେ ଏଭଳି ବିଦେଶୀ ଲୁଚିଛପି ରହିଥିଲେ ମଧ୍ୟ ପୁଲିସ ଖାତାରେ ଏମାନଙ୍କ ସଂଖ୍ୟା ଶୂନ ରହିଛି। ସମଗ୍ର ଦେଶରେ ସ୍ଥିତି ଅନୁରୂପ ରହିଥିବାରୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ପୂର୍ବରୁ ଗିରଫ ହୋଇଥିବା ଆତଙ୍କବାଦୀମାନଙ୍କର ମାମଲାକୁ ତର୍ଜମା କରି ଜଣାଯାଇଛି କି ଏମାନଙ୍କୁ ଭାରତର ଆଭ୍ୟନ୍ତରୀଣ ଶାନ୍ତି ଭଙ୍ଗ ଓ ଆର୍ଥିକ ମେରୁଦଣ୍ଡ ଦୁର୍ବଳ କରିବା ପାଇଁ ଏମାନଙ୍କ ଦ୍ବାରା ଅହରହ ପ୍ରୟାସ ଜାରି ରଖିଛି। ‘ହାୱାଲା’ ଦ୍ବାରା ଭାରତରେ ଥାଇ ମଧ୍ୟ ଏମାନଙ୍କ ପାଖରେ ପାକିସ୍ତାନୀ ଅର୍ଥ ପହଞ୍ଚିବାରେ ସମସ୍ୟା ହେଉନାହିଁ। ଏ ନେଇ ରାଜ୍ୟର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଏସ୍‌ଏନ୍‌ ତିୱାରି କହିଛନ୍ତି, ଏନ୍‌ଆର୍‌ସିକୁ ନେଇ ଏ ଯାବତ୍‌ ରାଜ୍ୟରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ୧୦/୧୨ ବର୍ଷ ହେବ ଏ ଭଳି କାର୍ଯ୍ୟକଳାପ ଓଡ଼ିଶାରେ ଚାଲିଛି। ବାଂଲାଦେଶ କନ୍ଦକତଲାରେ ଏକ ବେସ୍‌ ରହିଛି। ସେଠାରୁ ସ୍ବତନ୍ତ୍ର ଭା‌ବେ ପ୍ରଶିକ୍ଷଣ ନେଇ ଏମାନେ ଓଡ଼ିଶା ଆସୁଛନ୍ତି। ଓଡ଼ିଶାକୁ ଆସୁଥିବା ସମସ୍ତ ବାଂଲାଦେଶୀ ଜେଏମ୍‌ବି ଆତଙ୍କବାଦୀ ହୋଇ ନ ପାରନ୍ତି। କିନ୍ତୁ ସମସ୍ତଙ୍କୁ ଯାଞ୍ଚ କରାଯିବା ଜରୁରୀ। ରାଜ୍ୟରେ ଏବେ ବିଭିନ୍ନ ଜାଗାରେ ମଦ୍ରାସା ଚାଲୁଛି। କଟକରେ ଏକ ମଦ୍ରାସାରୁ ଆତଙ୍କବାଦୀ ଧରାପଡ଼ିବା ପରେ ଏହା ଉପରେ ଆଉ ତନାଘନା ହୋଇନାହିଁ। ଏଭଳି କିଛି ମଦ୍ରାସା ଜେହାଦିଙ୍କ ଅନ୍ତୁଡ଼ିଶାଳ ହୋଇଥିବାରୁ ଏ ଗୁଡ଼ିକୁ ଖୋଜି ନଜର ରଖାଯିବା ଜରୁରୀ।

ସେ ଆହୁରି କହିଛନ୍ତି ଯେ ପାକିସ୍ତାନର ଗୁପ୍ତଚର ଈଶ୍ବର ବେହେରା ଧରାପଡ଼ିବା ପରେ ଏ ନେଇ ଆଉ ଖୋଳତାଡ଼ ହୋଇନାହିଁ। ଭୁବନେଶ୍ବରରେ ଦୁଇଜଣ ଆତଙ୍କବାଦୀ ଆସି ରେକି କରି ଯାଇଥିବା ପ୍ରମାଣ ରହିଛି। କିନ୍ତୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେହିପରି ରାଉରକେଲାରୁ ୧୨ ଜଣ ଆତଙ୍କବାଦୀ ଧରାପଡ଼ିଥିଲେ। ବାହାର ରାଜ୍ୟର ଅଧିକାରୀମାନେ ଆସି ଧରିଥିଲେ। ହେଲେ ଏହାପରେ ଓଡ଼ିଶା ପୁଲିସର ଯେଉଁ ଭୂମିକା ଥିଲା, ତାହା କରାଯାଇନାହିଁ। ଭୁବନେଶ୍ବର ବିମାନବନ୍ଦରରୁ ଜଣେ ବଂଲାଦେଶୀ ଧରାପଡ଼ିଥିଲା। ଦିଲ୍ଲୀରୁ କେତେକ ବାଂଲାଦେଶୀଙ୍କୁ ପୁଲିସ ଧରି ଓଡ଼ିଶା ଆଣିଥିଲା। ହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହୋଇନାହିଁ। ଆରବ ରାଷ୍ଟ୍ରର ପ୍ରୋତ୍ସାହନରେ କେତେ ମଦ୍ରାସା ଚାଲିଛି, କେତେ ଟଙ୍କା ଆସୁଛି ତାହାର ହିସାବ ନାହିଁ। ଏହା ବ୍ୟତୀତ ରାଜନୈତିକ ସଂରକ୍ଷଣ ଯୋଗୁଁ ସେମାନଙ୍କୁ ଏଠାରୁ ହଟା ଯାଇ ପାରୁନାହିଁ। ତେଣେ ବାଂଲାଦେଶ ମଧ୍ୟ ଏମାନଙ୍କୁ ଆଉ ନେବାକୁ ଚାହୁଁନାହିଁ। ୧୯୯୦ ମସିହାରେ ଆମେ କେତେଜଣ ଏଭଳି ଅନୁପ୍ରବେଶକାରୀଙ୍କୁ ଫେରାଇବା ପାଇଁ ଯୋଜନା କରିଥିଲୁ। ହେଲେ ସେପଟୁ ଗୁଳି ଚଳାଇ ମାରିବା ପାଇଁ ଉଦ୍ୟମ ହୋଇଥିଲା। ବିପଦ ମାଡ଼ି ଆସୁଛି। ପାଇଲଟ୍‌ ପ୍ରୋଜେକ୍ଟ ଭଳି ଏକ ସ୍ବତନ୍ତ୍ର ବ୍ୟବସ୍ଥା କରି ଏମାନଙ୍କୁ ହଟାଇବା ଯୋଜନା କରିବା ଆବଶ୍ୟକତା ରହିଛି ବୋଲି ଶ୍ରୀ ତିୱାରୀ କହିଛନ୍ତି।

ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ପୁଲିସ ଡିଜି ବିଜୟ କୁମାର ଶର୍ମାଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇ ପାରିନାହିଁ।

ସମ୍ବନ୍ଧିତ ଖବର