ଯାଜପୁର/ରଗଡ଼ି : ଜୀବିକା ଉପାର୍ଜନ ପାଇଁ ବାଂଲାଦେଶରୁ ଭାରତ ଆସିଥିଲେ ସକିଲ ଅହମ୍ମଦ(୩୦)। ହେଲେ ପାଖରେ ପାସପୋର୍ଟ ନଥିବାରୁ ଏଠାରେ ଦୀର୍ଘ ୫ବର୍ଷ ହେଲା ଫସିଛନ୍ତି। ଦୁଇଟି ପର୍ଯ୍ୟାୟରେ ୩ବର୍ଷ ଜେଲଦଣ୍ଡ ଭୋଗିବା ପରେ ଏବେ ୨ବର୍ଷ ହେଲା ରଗଡ଼ି ଜେଲ ବାରଣ୍ଡାରେ ସୁରକ୍ଷା କର୍ମୀଙ୍କ ବଳୟ ମଧ୍ୟରେ ନଜରବନ୍ଦୀ ହୋଇ ରହିଛନ୍ତି।
ବାଂଲାଦେଶର ମୀରପୁର ଜିଲ୍ଲା ଦାରୁସାଲମ ଥାନା ଅଞ୍ଚଳର ସକିଲ ବାପାମାଙ୍କର ଏକମାତ୍ର ପୁଅ। ଜୀବିକା ଉପାର୍ଜନ ପାଇଁ ଭାରତ ଆସି ବମ୍ବେ, ଦିଲ୍ଲୀ ପ୍ରଭୃତି ସହର ବୁଲାବୁଲି କରୁ କରୁ ପହଞ୍ଚିଥିଲେ ଓଡ଼ିଶାରେ। ପାସପୋର୍ଟ ନଥିବା କାରଣରୁ ୨୦୧୬ ମସିହାରେ ପାଣିକୋଇଲି ଥାନା ପୁଲିସ ଦ୍ବାରା ଗିରଫ ହୋଇଥିଲେ। ଏହାପରଠାରୁ ସେ ସ୍ବଦେଶ ଫେରିପାରୁନାହାନ୍ତି। ଏକମାତ୍ର ପୁଅର ମୁକ୍ତି ପାଇଁ ତାଙ୍କ ମାଙ୍କ ଆକୁଳ ନିବେଦନ କରିଆସୁଛନ୍ତି। ହେଲେ ତାଙ୍କ ଗୁହାରି କେହି ଶୁଣୁ ନାହାନ୍ତି ବୋଲି ସକିଲଙ୍କ ଓକିଲ ଲଲାଟେନ୍ଦୁ କୁଅଁର କ୍ଷୋଭ ପ୍ରକାଶ କରିଛନ୍ତି।
ଆଜି ସକାଳେ ରଗଡ଼ି ଜେଲ ସମ୍ମୁଖରେ ଏପାଖ ସେପାଖ ହେଉଥିବା ବେଳେ ଆମ ପ୍ରତିନିଧିଙ୍କର ନଜର ପଡିଥିଲା ପଡ଼ିଥିଲା ସକିଲ୍ଙ୍କ ଉପରେ। ତାଙ୍କ ସହ ଆଲୋଚନା କରିବା ବେଳେ ସେ ଭାରତକୁ କାମ କରିବାକୁ ଆସି କିପରି ଫସିଗଲେ ଏବଂ ନିଜ ଜନ୍ମମାଟି ଓ ପରିବାର ନିକଟକୁ ଫେରିଯିବାକୁ କେତେ ବ୍ୟାକୁଳ, ତାହା ବର୍ଣ୍ଣନା କରି ମ୍ରିୟମାଣ ହୋଇପଡ଼ିଥିଲେ।
ସକିଲ କହିଥିଲେ, ୨୦୧୬ ମସିହାରେ ଭିସା ଓ ପାସପୋର୍ଟ ନଥିବାରୁ ତାଙ୍କୁ ପାଣିକୋଇଲି ପୁଲିସ ଗିରଫ କରିଥିଲା। ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗିଥିଲେ। ଜେଲରୁ ମୁକ୍ତି ପରେ ତାଙ୍କୁ ନିଜ ଦେଶକୁ ଫେରାଇ ଦେବାକୁ ଉଦ୍ୟମ ନକରି ପୁଣି ଫସାଇ ଦିଆଯାଇଥିଲା। ଜେଲ୍ ସୁରକ୍ଷା ଭଙ୍ଗ କରି ଫେରାର ହେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ପୁଣି ତାଙ୍କୁ ଜେଲ ପଠାଇ ଦିଆଗଲା। ବିଦେଶୀ ଶ୍ରମିକ ସକିଲ ଆଇନ ଜାଲରେ ପଡ଼ି ୩ବର୍ଷ ଜେଲ୍ରେ କାଟିଲେ। ଏବେ ୨ ବର୍ଷ ହେଲା ନଜରବନ୍ଦୀରେ ଥିଲେ ମଧ୍ୟ ତାଙ୍କୁ ସ୍ବଦେଶ ପଠାଇବା ପାଇଁ କୌଣସି ପ୍ରକାର ଉଦ୍ୟମ ହୋଇନି।
ଅନ୍ୟପକ୍ଷରେ, ପୁଅ ସକିଲଙ୍କ ଫେରିବା ବାଟକୁ ଅପେକ୍ଷା କରି ପାଇଁ ତାଙ୍କ ମା’ ବାରମ୍ବାର ଓକିଲ ଶ୍ରୀ କୁଅଁରଙ୍କ ସହ ଯୋଗାଯୋଗ କରିବା ସହ ପୁଅ ଚଳିବା ପାଇଁ ମଧ୍ୟ କିଛିକିଛି ଟଙ୍କା ପଠାଉଛନ୍ତି। ନିକଟରେ ୪ହଜାର ଟଙ୍କା ତାଙ୍କ ମା’ ପଠାଇଥିଲେ ବୋଲି ସକିଲ କହିଛନ୍ତି।
ଏ ସମ୍ପର୍କରେ ରଗଡ଼ି ଜେଲର ସୁପରିଣ୍ଟେଣ୍ଡଣ୍ଟ ପ୍ରକାଶ ରଣା କହିଛନ୍ତି ସେ ଏଠାକୁ ଆସିବା ପୂର୍ବରୁ ସକିଲ ମୁକ୍ତ ହୋଇଗଲାଣି। ତାଙ୍କ ଦେଶକୁ ଫେରାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ସକିଲର ସୁରକ୍ଷା ପାଇଁ ପୁଲିସ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି।