ବଙ୍ଗୋମୁଣ୍ତା : ବଙ୍ଗୋମୁଣ୍ତା ଜମିଦାରପଡ଼ାରେ ଗତ ଶନିବାର ଲୁଟ୍ ପାଇଁ ଜଣେ ବ୍ୟବସାୟୀ ବିନୋଦ ଜୈନଙ୍କ ପତ୍ନୀ ମଞ୍ଜୁଦେବୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବି କରି ଗୁରୁବାର କଣ୍ଟବାଞ୍ଜି ବନ୍ଦ ଡାକରା ଦିଆଯାଇଛି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନେତୃତ୍ବରେ ବଙ୍ଗୋମୁଣ୍ତା ବନ୍ଦ କରିବା ସହିତ ଥାନା ଘେରାଉ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ବିଧାୟକ ଶ୍ରୀ ସାଲୁଜାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତିବୈଠକ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତଥିଲେ। ଗୁରୁବାର ଚକା ଜାମ୍, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସକାଳ ୧୦ଟାରେ ସ୍ଥାନୀୟ ଗୋଲେଇ ଛକରୁ ଏକ ରାଲି ବାହାରି ପିକେଟିଂ କରାଯିବ ବୋଲି ସୂଚନା ଦିଆଯାଇଛି।
କଣ୍ଟାବାଞ୍ଜି ଥାନାରେ ଏସ୍ପିଙ୍କ ତନାଘନା
କଂଟାବାଞ୍ଜି: ମଞ୍ଜୁଦେବୀ ହତ୍ୟା ମାମଲାରେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ତଦନ୍ତ କରୁଛି। ତଥାପି ଗତ ୫ ଦିନ ହେଲା କୌଣସି ସୁରାକ ପାଇ ପାରି ନାହିଁ। ବୁଧବାର ଦିନ ୧୧ଟାରୁ ବଲାଙ୍ଗୀର ଏସ୍ପି ନିତିନ କୁଶଲକର କଂଟାବାଞ୍ଜି ଥାନାରେ ରହି ତଦନ୍ତର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ନିଜେ ସିସିଟିଭି ଫୁଟେଜଗୁଡ଼ିକ ଯାଞ୍ଚ କରୁଥିବା ଜଣାପଡ଼ିଛି। ୧୦ ଘଣ୍ଟା ହେଲା କଂଟାବାଞ୍ଜି ଥାନାରେ ସେ ତଦନ୍ତ ଜାରି ରଖିଥିବାରୁ ନିଶ୍ଚିତ ଭାବେ ଏକ ସକରାତ୍ମକ ତଥ୍ୟ ଆସିବ ବୋଲି ଚର୍ଚ୍ଚା ହେଉଛି। ଥାନାରେ ମଧ୍ୟ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଗୁରୁବାର ବଙ୍ଗୋମୁଣ୍ଡା ବନ୍ଦ ଡାକରା ଦିଆଯାଇ ଥିବାରୁ କଂଟାବାଞ୍ଜି ଏସ୍ଡିପିଓ ହୃଷୀକେଶ ମେହେର ବଙ୍ଗୋମୁଣ୍ଡା ଥାନାରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି।