ବ୍ୟବସାୟୀଙ୍କ ପତ୍ନୀଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତକୁ ଗିରଫ ଦାବିରେ ବଙ୍ଗୋମୁଣ୍ତା ବନ୍ଦ ଓ ଥାନା ଘେରାଉ

ମଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବଙ୍ଗୋମୁଣ୍ତା : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ତା ଜମିଦାରପଡ଼ାର ବ୍ୟବସାୟୀ ବିନୋଦ ଜୈନଙ୍କ ପତ୍ନୀ ମଞ୍ଜୁଦେବୀ ହତ୍ୟା ମାମଲାର ଅଭିଯୁକ୍ତକୁ ଗିରଫ ଦାବି ଜୋର୍‌ ଧରିବାରେ ଲାଗିଛି। ପୁଲିସର ଅପାରଗଦାକୁ ନେଇ ଗୁରୁବାର ବଙ୍ଗୋମୁଣ୍ଡା ବନ୍ଦ ପାଳନ କରାଯାଇଥିଲା। ସେହିପରି ବଙ୍ଗୋମୁଣ୍ଡା ଥାନା ମଧ୍ୟ ଘେରାଉ କରାଯାଇଥିଲା। ହତ୍ୟାକାରୀକୁ ତୁରନ୍ତ ଗିରଫ ନକଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି।

ଗୁରୁବାର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନେତୃତ୍ବରେ ବନ୍ଦ ପାଳନ ଓ ଥାନା ଘେରାଉ କରାଯାଇଥିଲା। ସକାଳୁ ବିଭିନ୍ନ ସାମାଜିକ ସଂଗଠନ କର୍ମକର୍ତ୍ତା ଓ ଜନସାଧାରଣ ବଙ୍ଗୋମୁଣ୍ତା ଗୋଲାଇ ଛକ, ଚାରିଛକ, ବସଷ୍ଟାଣ୍ଡ ଛକରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଇଥିଲେ। ସେହିପରି ଯାନବାହନ ଚଳାଚଳକୁ ମଧ୍ୟ ବନ୍ଦ କରିଥିଲେ। ଦିନ ସାଢ଼େ ୧୦ଟାରୁ ବିଧାୟକଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା ବଙ୍ଗୋମୁଣ୍ଡା ଗୋଲାଇ ଛକରୁ ଏସ୍‌ବିଆଇ ରାସ୍ତା, ଧରନୀ ମନ୍ଦିର, ହଟଲି ଛକ, ୟୁପି ସ୍କୁଲ ଦେଇ ଥାନା ଆଗରେ ପହଞ୍ଚିଥିଲା। ସେଠାରେ ଥାନା ଘେରାଉ କରାଯିବା ସହିତ ପୁଲିସ ବିରୋଧରେ ନାରାବାଜି କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଥାନାଧିକାରୀ ବି.ବି. ନାଏକଙ୍କୁ ୫ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଥିଲା। ୧୫ ଦିନ ମଧ୍ୟରେ ଏସବୁ ଦାବି ପୂରଣ ନହେଲେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ବିଧାୟକ ଧମକ ଦେଇନ୍ତି।

ଏହି ବନ୍ଦ ପାଳନ ଓ ଥାନା ଘେରାଉରେ ବଣିକ ସଂଘ, ନାଗରିକ ମଂଚ, ଯୁବାମଞ୍ଚ, ମହିଲା ମଣ୍ଡଳ, ଗାଡ଼ି ଚାଳକ ସଂଘ ସମେତ ୮ଟି ସାମାଜିକ ସଂଗଠନର ସମର୍ଥନ ରହିଥିଲା। ଏହା ସହିତ ବଙ୍ଗୋମୁଣ୍ଡା ଓ ସିନ୍ଧେକେଲା ଥାନା ଅଞ୍ଚଳର ବହୁ ପୁରୁ‌ଷ ଓ ମହିଳା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର