ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର(ପିଜି) ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ନିଲମ୍ବିତ କରିଛନ୍ତି। ନିଳମ୍ବନ ଅବଧି ମଧ୍ୟରେ ସମ୍ପୃକ୍ତ ପ୍ରଫେସରଙ୍କ ମୁଖ୍ୟାଳୟ(ହେଡ୍‌କ୍ବାଟର୍ସ) ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ରହିବ। ସେଠାରେ ହିଁ ପ୍ରଫେସର ଜଣଙ୍କ ରିପୋର୍ଟିଂ କରିବେ। ବିଶ୍ବବିଦ୍ୟାଳୟ କୁଳପତିଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ। ଏହି ସମୟରେ ‌ତାଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବ ନାହିଁ। ବିଶ୍ବବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି)ର ସୁପାରିସ ଆଧାରରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆଜି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ନିଲମ୍ବନ ସମ୍ପର୍କରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରାଜ୍ୟପାଳ ତଥା କୁଳାଧିପତିଙ୍କ ପ୍ରମୁଖ ସଚିବ, ଉଚ୍ଚଶିକ୍ଷା ବିଭାଗର ସଚିବଙ୍କ ସମେତ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ, ପିଜି ବିଭାଗର ମୁଖ୍ୟ ଓ ବିତ୍ତ ନିୟନ୍ତ୍ରକଙ୍କୁ ଅବଗତ କରାଯାଇଛି।

Advertisment

ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାନୁଷ୍ଠାନ ପରେ ଏବେ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତାହାକୁ ନେଇ ବିଚାର ଆଲୋଚନା ଆରମ୍ଭ ହୋଇଛି। ଆଇସିସିର ସୁପାରିସ ଆଧାରରେ ନିଲମ୍ବନ କରାଯାଇଥିବା ବେଳେ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପକ୍ଷଙ୍କ କଥାକୁ ବିଚାରକୁ ନେଇ ଆଗକୁ ବଢ଼ୁଛନ୍ତି। ଏହାରି ଭିତରେ ବିଶ୍ବବିଦ୍ୟାଳୟ କୁଳାଧିପତିଙ୍କ ଓଏସ୍‌ଡି ଚିତ୍ତରଞ୍ଜନ ମହାନ୍ତି ଗତକାଲି କୁଳପତି ପ୍ରଫେସର ଆଚାର୍ଯ୍ୟଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ତଥ୍ୟ ଓ କର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ମାଗିଥିଲେ। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତୁରନ୍ତ ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା। 

କୁଳପତିଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡ଼ିବେ ନାହିଁ
ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ହେବ ମୁଖ୍ୟାଳୟ
କୁଳପତିଙ୍କୁ ରିପୋର୍ଟ ମାଗିଲା କୁଳାଧିପତିଙ୍କ କାର୍ଯ୍ୟାଳୟ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ତଦନ୍ତ କରୁଥିବା ଆଇସିସିର ସଦସ୍ୟମାନେ ଉଭୟ ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କୁ ଡାକି ପଚରାଉଚରା କରିଛନ୍ତି। ଛାତ୍ରୀ ଜଣକ ନିଜର ପକ୍ଷ ରଖିଥିବା ବେଳେ ଆସିଷ୍ଟାଣ୍ଟ ପ୍ରଫେସର ଜଣଙ୍କ ମଧ୍ୟ ଅନୁରୂପ ଭାବେ ଅଭିଯୋଗକୁ ଖଣ୍ଡନ କରିଥିଲେ। ଉଭୟଙ୍କୁ ପଚରାଉଚରା କରିବା ପରେ ଛାତ୍ରୀଙ୍କ ଅଭିଯୋଗର ସତ୍ୟତା ରହିଥିବା ଆ‌ଇସିସିର ସଦସ୍ୟମାନେ ଜାଣିବାକୁ ପାଇଥିଲେ। ତାହାରି ଆଧାରରେ ଆଇସିସିର ୮ ଜଣିଆ ସଦସ୍ୟ କାର୍ଯ୍ୟାନୁଷ୍ଠାନ ସୁପାରିସ କରିଥିଲେ। ବିଶ୍ବବିଦ୍ୟାଳୟର ଛାତ୍ର କଲ୍ୟାଣ ନିର୍ଦ୍ଦେଶିକା ତଥା ପ୍ରଫେସର ଜୟନ୍ତୀ ଦୋରାଙ୍କ ଆବାହକ‌ରେ ଗଠିତ ହୋଇଥିବା କମିଟିରେ ଜଣେ ସମାଜସେବୀ, ବିଶ୍ବବିଦ୍ୟାଳୟର ଆଇନ, ରସାୟନ ବିଭାଗ, ମନୋବିଜ୍ଞାନ, ଦର୍ଶନଶାସ୍ତ୍ର ବିଭାଗର ପ୍ରଫେସର, ବିଶ୍ବବିଦ୍ୟାଳୟର ଜଣେ ମହିଳା ଅଧିକାରୀ ଓ ଛାତ୍ରୀ ରହିଥିଲେ। କମିଟି ଦେଇଥିବା ରିପୋର୍ଟକୁ ଆଧାର କରି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଆଚାର୍ଯ୍ୟ ଆଜି ଅଭିଯୁକ୍ତ ପ୍ରଫେସରଙ୍କୁ ନିଲମ୍ବିତ କରିଛନ୍ତି।

ବିଶ୍ବବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଅଗଷ୍ଟ ୧୬ରେ ଛାତ୍ରୀ ଜଣକ ଅଭିଯୋଗ କରିଥିଲେ। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବିଶ୍ବବିଦ୍ୟାଳୟ କୁଳପତି ତାହାକୁ ବିଚାରକୁ ନେଇ ସଙ୍ଗେ ସଙ୍ଗେ ଆଇସିସିକୁ ହସ୍ତାନ୍ତର କରିଥିଲେ। କମିଟିର ସଦସ୍ୟମାନେ ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କୁ ଏକାଧିକ ଥର ଡାକି ପଚରାଉଚରା କରିଥିଲେ। ଘଟଣାର ସତ୍ୟତା ଜାଣିବା ଲାଗି ବିଭିନ୍ନ ସ୍ତରରେ ତଦନ୍ତ କରାଯାଇଥିଲା। ଦୋଷୀ ଯେପରି ଖସି ନ ଯାଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଥିଲା। ଅଭିଯୁକ୍ତ ପ୍ରଫେସରଙ୍କ ସ୍ବଭାବ, ବ୍ୟବହାର ସମ୍ପର୍କରେ ମଧ୍ୟ ବିଭାଗର ଛାତ୍ରଛାତ୍ରୀଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା। କୌଣସି ଏକ ଅଭିଯୋଗ ଆସିଲେ ତାହାର ତଦନ୍ତ କରି ରିପୋର୍ଟ ଦେବାକୁ ଆଇସିସି ହାତରେ ୩ ମାସ ସମୟ ରହିଛି। ତଦନ୍ତରେ କୌଣସି ପ୍ରକାର ବିଳମ୍ବ ହୋଇ ନ ଥିବା ଅଧିକାରୀ ଜଣକ ‘ସମ୍ବାଦ’କୁ କହିଛନ୍ତି।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୬ରେ ବିଶ୍ବବିଦ୍ୟାଳୟର ଜଣେ ସହକାରୀ ପ୍ରଫେସର ନିର୍ଯାତନା ଦେଇଥିବା ସମ୍ପର୍କରେ ଛାତ୍ରୀ ଜଣକ ବିଶ୍ବବିଦ୍ୟାଳୟ କୁଳପତିଙ୍କ ନିକଟରେ ଅଭିଯୋଗ କରିଥିଲେ। ମାସେ ବିତିଯାଇଥିଲେ ମଧ୍ୟ ଆଇସିସିର ମନ୍ଥରତା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିବା ସହ ଛୁଟି ଦିନରେ ଘନଘନ ବୈଠକ କରିଥିଲେ।