କଟକ/ଭୁବନେଶ୍ବର: ଭାଣିଜୀକୁ ହତ୍ୟା କରିଥିବା ମାମୁକୁ ଆଜୀବନ କାରାଦଣ୍ଡ ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ପିଲାଦିନେ ମାମୁଘର ହେଉଛି ସବୁଠାରୁ ପ୍ରିୟ ସ୍ଥାନ। 'ଚନ୍ଦା ମାମା ସେ ପ୍ୟାରା ମେରା ମାମା... ମେରି ଆ ଖୋଁ କା ତାରା ମେରା ମାମା' ହିନ୍ଦୀ ଗୀତକୁ କେହି ଭୁଲି ପାରିବେ ନାହିଁ। ଆବେଦନକାରୀଙ୍କ ନିକଟରେ ମାମୁଙ୍କ ଗୁଣସବୁ ଅଭାବ ରହିଛି। ସେ ପବିତ୍ର ସଂପର୍କକୁ କୁତ୍ସିତ କରିଥିଲେ। ଭାଣିଜୀର ଜୀବନ ନଷ୍ଟ କରିଥିଲେ, ନିର୍ଯାତନା ଦେଇଥିଲେ ଓ ଶେଷରେ ତାଙ୍କୁ ଜୀବନରେ ମାରି ଦେଇଥିଲେ। ଏଭଳି ସ୍ଥିତିରେ ନିମ୍ନ ଅଦାଲତ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରଦାନ କରିଥିବା ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି। ଏଥିସହିତ ଖୋର୍ଦ୍ଧା ଆଡ୍‌ହକ୍ ଅତିରିକ୍ତ ଦୌରା ଜଜ୍ (ଏଫଟିସି)ଙ୍କ ୨୦୦୪, ନଭେମ୍ବର ୧୬ର ଦଣ୍ଡାଦେଶ ବିରୋଧରେ ଆବେଦନକାରୀ ଦାଖଲ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେବେନ୍ଦ୍ର ସିଂଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୩, ଫେବ୍ରୁଆରି ୧୮ ରାତି ପ୍ରାୟ ୧୨ଟା ସମୟରେ ଭୁବନେଶ୍ବର ପିଡବ୍ଲୁଡି (ଆର ଆଣ୍ଡ ବି)ର ଗଙ୍ଗାନଗର ଡିଭିଜନ-୨ କାର୍ଯ୍ୟାଳୟ ପରିସରରେ ନିଜ ଭାଣିଜୀକୁ ଆବେଦନକାରୀ ହତ୍ୟା କରିଥିବା ଅଭି‌ଯୋଗ ହୋଇଥିଲା। ହତ୍ୟା ପରେ ଜଣେ ଲୋକ ସହିତ ମିଶି ପୀଡ଼ିତାଙ୍କ ଶବକୁ କାର ଯୋଗେ ଏକ ଦୂରସ୍ଥାନକୁ ନିଆଯାଇଥିଲା। ପରିଚୟ ଲୁଚାଇବା ପାଇଁ ଶବର ମୁହଁକୁ ପୋଡ଼ାଯିବା ପରେ ଟାଙ୍ଗୀ ଥାନା ଅଞ୍ଚଳରେ ଥିବା ଜଣେ ବ୍ୟକ୍ତିଙ୍କ କାଜୁ ବଗିଚାରେ ତାହାକୁ ଫୋପାଡ଼ି ଦିଆଯାଇଥିଲା। ଶବ ପଡ଼ିଥିବା ନେଇ ହାଟ ବରଡ଼ି ଗ୍ରାମର ଗ୍ରାମରକ୍ଷୀ ଟାଙ୍ଗୀ ଥାନାରେ ରିପୋର୍ଟ ଦାଖଲ କରିଥିଲେ। ତଦନ୍ତ ସମୟରେ ଆବେଦନକାରୀ ନିଜ ଭାଣିଜୀଙ୍କ ହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଥିଲା। ଆବେଦନକାରୀ ପିଡବ୍ଲୁଡି କାର୍ଯ୍ୟାଳୟରେ ରାତ୍ରୀ ଜଗୁଆଳି ଡିଏଲ୍‌ଆର୍‌ ଭାବେ କାର୍ଯ୍ୟ କରୁଥିବା ଜଣା ପଡ଼ିଥିଲା। ପୁଲିସ ଆବେଦନକାରୀକୁ ଗିରଫ କରିବା ସହିତ ଶବ ପରିବହନ ପାଇଁ ବ୍ୟବହୃତ ଧଳା କାର୍ ଜବତ କରିଥିଲା। ପୀଡ଼ିତାଙ୍କ ନଗ୍ନ ଫଟୋ ପୁଲିସ ଜବତ କରିଥିଲା। ତଦନ୍ତ ପରେ ଆବେଦନକାରୀ ଓ କାର୍ ଡ୍ରାଇଭର ବିରୋଧରେ ପୁଲିସ ଚାର୍ଜସିଟ ଦାଖଲ କରିଥିଲା। ନିମ୍ନ ଅଦାଲତ ଆବେଦନକାରୀକୁ ଆଇପିସିର ଦଫା ୩୦୨ ଓ ୨୦୧ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଅନ୍ୟ ଅଭିଯୁକ୍ତକୁ ଅଦାଲତ ଉପଯୁକ୍ତ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ। ଏହି ରାୟ ବିରୋଧରେ ୨୦୦୫ରେ ହାଇକୋର୍ଟରେ ଆବେଦନକାରୀ ମାମଲା ଦାୟର କରିଥିଲେ। ସରକାରଙ୍କ ତରଫରୁ ଏଏସ୍‌ସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।