ପୁରୀ: ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ଉପରେ ଆତଙ୍କବାଦୀଙ୍କ ନଜର ରହିଛି। ଦୁଇବର୍ଷ ତଳେ ଏଭଳି ସତର୍କ କରାଇଥିଲା ଏନ୍‌ଏସ୍‌ଏ। ଏହାକୁ ନେଇ ତମ୍ବିତୋଫାନ ପରେ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ଉପରେ ନଜର ରଖିବାକୁ ରାଜ୍ୟ ଗୃହବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲେ। ବିଶେଷ କରି ଜଳପଥ ଦେଇ ଅନୁପ୍ରବେଶ ଉପରେ କଡ଼ା ନଜର ରଖିବାକୁ କୁହାଯାଇଥିଲା। ତଥାପି କେଉଁଠି ନା କେଉଁଠି ହୁଗୁଳା ସୁରକ୍ଷା ବ୍ୟବସ୍ଥା ଏଭଳି କିଛି ଅଘଟଣ ଘଟାଇପାରେ ବୋଲି ଶ୍ରୀକ୍ଷେତ୍ରବାସୀ ସନ୍ଦେହ କଲେଣି। ଯାହାର ଜ୍ବଳନ୍ତ ଉଦାହରଣ ପାଲଟିଛି ପୁରୀ ସହରର ଛାତି ଉପରେ ଏକାଧିକ ସ୍ଥାନରେ ବଞ୍ଜାରା ବସ୍ତି ସବୁ ଗଢ଼ି ଉଠିବା। ନା ପୁଲିସ ପାଖରେ ଏମାନଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ଅଛି ନା ଜିଲ୍ଲା ପ୍ରଶାସନ ପାଖରେ। ଏମାନେ କେଉଁଠୁ ଆସୁଛନ୍ତି, ‌କୁଆଡ଼େ ଯାଉଛନ୍ତି, କ’ଣ କରୁଛନ୍ତି, କାହାରି ପାଖରେ କିଛି ବି ଖବର ନାହିଁ। ଯାହା ଭବି‌ଷ୍ୟତରେ ବଡ଼ ଅଘଟଣ ଘଟାଇବାର ଆଶଙ୍କା ସୃଷ୍ଟି କରିଛି।

Advertisment

ହିସାବ ନାହିଁ କି ପରିଚୟ ନାହିଁ
କେଉଁଠୁ ଆସୁଛନ୍ତି, କୁଆଡ଼େ ଯାଉଛନ୍ତି ଖବର ନାହିଁ
ବାଂଲାଦେଶୀ ଅନୁ‌ପ୍ରବେଶ ସନ୍ଦେହ
ଚୋରି, ଲୁଟ୍‌ରେ ରହୁଛି ହାତ

ସେପଟେ ସହରରେ ଆଶ୍ରୟ ଆଳରେ ଏମାନେ ଲୁଟ୍‌ତରାଜରେ ମାତିଲେଣି। ଗତକାଲି ଦୁଇଜଣ ବଞ୍ଜାରା ମହିଳା ଜଣେ ମହିଳାଙ୍କଠାରୁ ୧୧ହଜାର ଟଙ୍କା ଲୁଟି ଗିରଫ ହେବା ଘଟଣା, ଏହାକୁ ସତ ପ୍ରମାଣିତ କରୁଛି। ପୂର୍ବରୁ ବି ଅନେକ ଥର ମୋବାଇଲ୍‌ ଚୋରି ଘଟଣାରେ ଏମାନେ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ହେଉ କି ପୁଲିସ ପ୍ରଶାସନ ନିରବ ରହିବା, ଭବିଷ୍ୟତରେ ବଡ଼ ଅଘଟଣକୁ ଆମନ୍ତ୍ରଣ କରୁଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। କିଛି ବର୍ଷ ତଳେ ପୁରୀ ସମୁଦ୍ରକୂଳ ଥାନା ତାଳବଣିଆ ଅଞ୍ଚଳରେ ଗୋଟିଏ ଦୁଇଟି ବଞ୍ଜାରା ପରିବାର ଆସି କୁଡ଼ିଆ କରି ରହୁଥିଲେ। କ୍ରମେ ଏଠାରେ ୫୦ରୁ ଅଧିକ କୁଡ଼ିଆ ଗଢ଼ି ଉଠିଲାଣି। ଏହି କୁଡ଼ିଆ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେପଟେ ସମୁଦ୍ରକୂଳ ଥାନା ଦିଗବାରେଣି ଛକ, ଆଚାର୍ଯ୍ୟବିହାର ଛକ ପାଖରେ କିଛି ବଞ୍ଜାରା ପରିବାର ବସବାସ କରୁଛନ୍ତି। ସେହିଭଳି ବାସେଳିସାହି ଥାନା ଲୋକନାଥ ମନ୍ଦିର ପଡ଼ିଆ, ବଳିଆପଣ୍ଡା ଥାନା ବଳିଆପଣ୍ଡା ଅଞ୍ଚଳରେ ବି କିଛି ବଞ୍ଜାରା ରହୁଛନ୍ତି।

ହିସାବ କଲେ ପ୍ରାୟ ୩ଶହରୁ ୪ଶହ ବଞ୍ଜାରା ପରିବାର ଏଠାରେ ରହୁଛନ୍ତି। କିନ୍ତୁ ପୌରପାଳିକା କି ଜିଲ୍ଲା ପ୍ରଶାସନ ପାଖରେ ଏମାନଙ୍କ ସମ୍ପର୍କରେ କୌଣସି ବିବରଣୀ ନାହିଁ। ଏମାନେ କେଉଁଠୁ ଆସିଛନ୍ତି, କ’ଣ ନାଁ, କେତେ ପରିବାର ଅଛନ୍ତି, କିଛି ବି ଖବର ନାହିଁ। ଏମାନେ ସହର ଭିତରେ ରହି କିପ୍ରକାର କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି, ସେ ନେଇ ମଧ୍ର କିଛି ସୂଚନା ନାହିଁ। ଯାହା ଭବିଷ୍ୟତରେ ଅସାମାଜିକ କାର୍ଯ୍ୟକୁ ପ୍ରୋତ୍ସାହନ ‌ଦେଇପାରେ ବୋଲି ଅଭିଯୋଗ ଉଠିଛି। ସେପଟେ ଏମାନଙ୍କ ଭିତରୁ କେହି ଯଦି କିଛି ଜଘଣ୍ୟ ଅପରାଧ ଘଟାଇ ଫେରାର ହୋଇଗଲା, ପୁଲିସ ଏମାନଙ୍କୁ ଧରିବା ବି କଷ୍ଟକର ହୋଇପଡ଼ିବ। କାରଣ ପୂର୍ବରୁ ବି ଏମାନଙ୍କ ଭିତରୁ କିଛି ବଞ୍ଜାରା ମୋବାଇଲ୍‌ ଚୋରି ଘଟଣାରେ ଧରାପଡ଼ିଥିଲେ। ବିପୁଳ ଚୋରି ମୋବାଇଲ୍‌ ଏମାନଙ୍କଠାରୁ ଜବତ ହୋଇଥିଲା। ସମୁଦ୍ର କୂଳ ଥାନା ଅଧିକାରୀ ମାନସ ଚକ୍ର କହିଛନ୍ତି, ବଞ୍ଜାରାଙ୍କ କିଛି ହିସାବ ନାହିଁ। ଏମାନଙ୍କ ହିସାବ ରଖିବା ବି ଅସମ୍ଭବ ବୋଲି ଶ୍ରୀ ଚକ୍ର କହିଛନ୍ତି।