ପୁରୀ ଜିଲ୍ଲାରେ ଫନି କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ଅଚଳ ପ୍ରସଙ୍ଗ : ଏସ୍‌ଆର୍‌ସିଙ୍କୁ ଭେଟି ଫେରାଦ ଜଣାଇଲା କଂଗ୍ରେସ

ଭୁବନେଶ୍ୱର : ଫନି ବାତ୍ୟାକୁ ଦେଢ଼ବର୍ଷ ବିତିଲାଣି। ଅଥଚ ସବୁଠୁ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲା ପିପିଲି, ଡେଲାଙ୍ଗ ବ୍ଲକ୍‌ର କ୍ଷତିଗ୍ରସ୍ତଙ୍କୁ ମିଳିଲାନି ଘରଭଙ୍ଗା ସହାୟତା। ଅଧିକାଂଶ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଇଥିଲେ ବି ଜିଲ୍ଲା ପ୍ରଶାସନ ସେସବୁ ଖାତାକୁ ଅଚଳ କରିଦେଇଛନ୍ତି। ସେସବୁ କ୍ଷତିଗ୍ରସ୍ତମାନେ ଏଯାଏ ସହାୟତା ରାଶି ପାଇପାରିନାହାନ୍ତି। ଏହାକୁ ନେଇ ‘ସମ୍ବାଦ’ରେ ପ୍ରଥମେ ଖବର ପ୍ରକାଶ ପାଇଥିଲା। ଆଜି ଏ ନେଇ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କୁ ଆଇନଜୀବୀ ତଥା କଂଗ୍ରେସ ନେତା ନିଶିକାନ୍ତ ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଭେଟି ତୁରନ୍ତ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସଚଳ କରିବାକୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି, ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର କୌଣସି ଗୋଟିଏ ବାସହରାଙ୍କୁ ବାସଗୃହ ସହାୟତା ମିଳିନାହିଁ। ଦୀର୍ଘ ଦିନ ଧରି ବିନା କାରଣରେ ହଜାର ହଜାର କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରି ରଖାଯାଇଛି। ଏପରିକି ହିତାଧିକାରୀ ତାଲିକାରେ ସ୍ଥାନ ପାଇ ନଥିବା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ମଧ୍ୟ ପ୍ରତିନିଧି ଦଳ ଏସ୍‌ଆର୍‌ସିଙ୍କୁ ନିବେଦନ କରିଛନ୍ତି। ୨୦୧୯ ମସିହା ମେ ମାସରେ ପ୍ରଳୟଙ୍କାରିଣୀ ଫନି ବାତ୍ୟା ଯୋଗୁଁ ହଜାର ହଜାର ଲୋକ ବାସହରା ହୋଇଥିଲେ। ସୂଚନା ଅଧିକାର ଆଇନ ଦ୍ବାରା ପ୍ରାପ୍ତ ତଥ୍ୟ ଅନୁଯାୟୀ ଜିଲ୍ଲାରେ ଏବେ ବି ଘରଭଙ୍ଗା ସର୍ଭେ କାମ ଚାଲିଛି। ପ୍ରାଥମିକ ତଦନ୍ତ ପରେ ଯେଉଁ ଲୋକମାନଙ୍କ ଘର ଭାଙ୍ଗିଥିଲା ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। କିନ୍ତୁ ଜମା ଖାତା ଅଚଳ ଯୋଗୁ ସେମାନେ ଟଙ୍କା ଉଠାଣ କରିପାରୁନାହାନ୍ତି। ଏପରିକି ସମ୍ପୂର୍ଣ୍ଣ ଘର ଭାଙ୍ଗି ଯାଇଥିବା ଲୋକଙ୍କୁ ଘରଭଙ୍ଗା ହିତାଧିକାରୀ ତାଲିକାରେ ସାମିଲ କରାଯାଇନାହିଁ। ଦୁର୍ଭାଗ୍ୟ ଓ ପରିତାପର ବିଷୟ ବାତ୍ୟାର ଶିକାର ହୋଇଥିବା ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର ଜଣେ ମଧ୍ୟ ବାସହରାଙ୍କୁ ସରକାର ପକ୍କାଘର ଯୋଗାଇ ଦେଇନାହାନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି।

କଂଗ୍ରେସ ପ୍ରତିନିଧିମଣ୍ଡଳିର ସମସ୍ତ କଥା ଶୁଣିବା ପରେ ଏସ୍‌ଆର୍‌ସି ଶ୍ରୀ ଜେନା ବ୍ୟାଙ୍କ ଖାତା ସଚଳ ଏବଂ ତାଲିକାରୁ ବଞ୍ଚିତ କ୍ଷତିଗ୍ରସ୍ତଙ୍କୁ ସାମିଲ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ମିଶ୍ର ଏକ ପ୍ରେସ୍‌ ବିବୃତି ଜରିଆରେ ଜଣାଇଛନ୍ତି। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ନିରୁପମା ପାତ୍ର, ଏସ୍‌.କେ ମେହେବୁବ୍, ମହେନ୍ଦ୍ର ନାୟକ, ଇନ୍‌ତାଜ୍‌ ଅଲ୍ଲୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର