ବାଲେଶ୍ବର/ସୋର: କୋଭିଡ୍-୧୯ ଭୂତାଣୁ ସଂକ୍ରମଣ ସନ୍ଦେହରେ ବାଲେଶ୍ବର ଜିଲ୍ଲା ସୋର ୟୁକୋ ବ୍ୟାଙ୍କ୍ ଓ ସ୍ଥାନୀୟ ଅଞ୍ଚଳର ଏକ ଲଜ୍କୁ ଆଜି ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ଏଥିସହ ବ୍ୟାଙ୍କର ୧୧ ଜଣ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍ରେ ରଖିବା ପାଇଁ ନିଆଯାଇଛି। ଏଥିସହ ବ୍ୟାଙ୍କ ଓ ଲଜ୍ ସମେତ ଆଖପାଖ ଅଞ୍ଚଳକୁ ସାନିଟାଇଜେସନ୍ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୋରସ୍ଥିତ ୟୁକୋ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ଘର ବାଲେଶ୍ବର ସହର ନୀଳିଆବାଗ ଅଞ୍ଚଳରେ। ଗତକାଲି ନୀଳିଆବାଗ କଣ୍ଟେନ୍ମେଣ୍ଟ ଜୋନ୍ରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ସୋର ୟୁକୋ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ଝିଅ ଅଛନ୍ତି। ଏଥିସହ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ଘରେ ୟୁକୋ ବ୍ୟାଙ୍କ ସୋର ଶାଖାର ଜଣେ ମହିଳା କର୍ମଚାରୀ ମଧ୍ୟ ଭଡ଼ାରେ ରହୁଥିଲେ।
ନୀଳିଆବାଗ ଅଞ୍ଚଳରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରଠାରୁ ମହିଳା ବ୍ୟାଙ୍କ କର୍ମଚାରୀ ଜଣକ ସୋର ମ୍ୟୁନିସିପାଲିଟି ଅଡ଼ଙ୍ଗବଜାରର କାଶୀନାଥ ଲଜ୍ରେ ଗତ ୧୮ ତାରିଖଠାରୁ ରହି ଆସୁଥିଲେ। ଏହା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ଆଜି ଦିନ ୧୧ଟା ବେଳେ ଇନ୍ସିଡେଣ୍ଟ କମାଣ୍ଡର ଦାୟିତ୍ୱରେ ଥିବା ସୋର ପୌର ପରିଷଦର ନିର୍ବାହୀ ଅଧିକାରୀ ରାକେଶ କୁମାର ପଣ୍ଡା ଓ ସୋର ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ ସେଠାକୁ ଯାଇ ବ୍ୟାଙ୍କର ମ୍ୟାନେଜର ଓ ସେଠାରେ ଥିବା ୧୧ ଜଣ କର୍ମଚାରୀଙ୍କୁ ସ୍ଥାନୀୟ ଟାଉନହଲ୍ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରଖି ଉଭୟ ବ୍ୟାଙ୍କ ଓ ଲଜ୍କୁ ସିଲ୍ କରିଥିଲେ।
ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କର ସମସ୍ତ କମର୍ଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ଏବଂ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଗତକାଲି ଜଳେଶ୍ବରର ଜଣେ ପଶ୍ଚିମବଙ୍ଗ ଫେରନ୍ତା ଯୁବକ କରୋନା ପୀଡ଼ିତ ବୋଲି ନିଜ ଆଡୁ କହିବା ପରେ ତାଙ୍କୁ ବାଲେଶ୍ବର ଜିଲ୍ଲା ହସ୍ପିଟାଲକୁ ଅଣାଯାଇ ସେଠାରେ ତାଙ୍କର ସ୍ବାବ୍ ସଂଗ୍ରହ କରାଯାଇଛି। ଏବେ ସେ ହସ୍ପିଟାଲ ଆଇସୋଲେସନ୍ ୱାର୍ଡରେ ରହିଛନ୍ତି।