ମିଛ କହି ହିତାଧିକାରୀଙ୍କୁ ଭୁତାଉଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ

କେସିସିବି ରାଉତପଡ଼ା ଶାଖାରେ ହିତାଧିକାରୀଙ୍କ ଦେଢ଼ କୋଟି ହଡ଼ପ ମାମଲା

ଖୋର୍ଦ୍ଧା: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ(କେସିସିବି)ର ରାଉତପଡ଼ା ଶାଖାରେ ୧୦୦ ହିତାଧିକାରୀଙ୍କ ଦେଢ଼ କୋଟି ଟଙ୍କା ବ୍ୟାଙ୍କର କର୍ମଚାରୀ ମିଳିମିଶି ହଡ଼ପ କରିଛନ୍ତି । ଏନେଇ ବ୍ୟାଙ୍କର କର୍ତ୍ତୃପକ୍ଷ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ହିତାଧିକାରୀଙ୍କ ଟଙ୍କା ଫେରାଇବା ବଦଳରେ ମିଛ ତଥ୍ୟ ଦେଇ ଭୁତାଇବାକୁ ଚେଷ୍ଟା କରୁଛନ୍ତି ।

୧୩ ତାରିଖରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସିଇଓ ଅନନ୍ତ ସାମଲ ଟଙ୍କା ହଡ଼ପ ମାମଲାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ବ୍ୟାଙ୍କର ଆଭ୍ୟନ୍ତରୀଣ ତଦନ୍ତରେ ତିନିଜଣ କର୍ମଚାରୀ ପ୍ରାଥମିକ ଭାବେ ଟଙ୍କା ହଡ଼ପ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ଏହାପରେ, ସେମାନଙ୍କ ସ୍ଥାୟୀ ବାସସ୍ଥାନ ଥିବା ଥାନାରେ ଏତଲା ଦିଆଯାଇଛି । ପୂର୍ବତନ ବ୍ୟାଙ୍କ ସହକାରୀ ବୁଦ୍ଧିରାମ ଦାସଙ୍କ ନାମରେ ବୋଲଗଡ଼ ଥାନାରେ, ପୂର୍ବତନ ସହକାରୀ ପରିଚାଳକ ଶାନ୍ତିଲତା ଓଝାଙ୍କ ନାମରେ ନୟାଗଡ଼ ରଣପୁର ଥାନାରେ, ବ୍ୟାଙ୍କ ସହାୟକ ପ୍ରସନ୍ନ ତୋଷଙ୍କ ବିରୋଧରେ ବେଗୁନିଆ ଥାନାରେ ଏତଲା ଦିଆଯାଇଛି । ଏହା ସହ ବ୍ୟାଙ୍କର ପ୍ରଶାସକ ତଥା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାର ଆଇଜିଙ୍କୁ ଏହାର ତଦନ୍ତ କରିବାକୁ ଅନୁରୋଧ କରି ଚଳିତ ମାସ ୭ ତାରିଖରେ ଚିଠି ଲେଖାଯାଇଛି ।

ତେବେ ଏନେଇ ବେଗୁନିଆ ଓ ବୋଲଗଡ଼ ଥାନା ଅଧିକାରୀଙ୍କୁ ପଚାରିବାରେ ଜଣାଯାଇଛି ଯେ ବ୍ୟାଙ୍କ ପକ୍ଷରୁ କୌଣସି ଲିଖିତ ଏତଲା ଦିଆଯାଇନାହିଁ । କେବଳ ଇଓଡବ୍ଲୁକୁ ଲେଖାଯାଇଥିବା ଚିଠିର ନକଲ ସେମାନଙ୍କ ନିକଟକୁ ପୋଷ୍ଟାଲରେ ପଠାଯାଇଛି । ଏନେଇ ଏସଡିପିଓ ସୁଶୀଲ କୁମାର ମିଶ୍ର ମଧ୍ୟ କହିଛନ୍ତି ଯେ ଏନେଇ ଅର୍ଥନୈତିକ ଅପରାଧ ଶାଖାକୁ ତଦନ୍ତ ପାଇଁ ଲେଖାଯାଇଥିବା ସେ ଖବରକାଗଜରୁ ପଢ଼ି ଜାଣିଛନ୍ତି, କିନ୍ତୁ ବ୍ୟାଙ୍କ ପକ୍ଷରୁ କୌଣସି ଲିଖିତ ଏତଲା ଦିଆଯାଇନାହିଁ ।

ବ୍ୟାଙ୍କର କୋଟି କୋଟି ଟଙ୍କା ହଡ଼ପ ଘଟଣାର ଅଭିଯୋଗର ପ୍ରଥମ ଦିନରୁ ହିଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହହଜନକ ଥିଲା । ହଡ଼ପ ଅଭିଯୋଗର ତୁରନ୍ତ ପରେ ତଦନ୍ତ ନିର୍ଦ୍ଦେଶ ନାମକୁ ମାତ୍ର ଦିଆଯାଇଥିବା ବେଳେ ତଦନ୍ତ ୧ ମାସ ପରେ ଆରମ୍ଭ ହୋଇ ମାର୍ଚ୍ଚ ଶେଷ ସପ୍ତାହରେ ଦାଖଲ ହୋଇଥିଲା । ଏପରିକି ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କ ସିଇଓ ଏହି ହଡ଼ପ ଘଟଣାରେ ଜଣେ ବୁଦ୍ଧିରାମ ଦାସ କେବଳ ସମ୍ପୃକ୍ତ ଥିବା କହିଥିବା ବେଳେ ଇଓଡବ୍ଲକୁ ଲେଖିଥିବା ଚିଠିରେ ତିନିଜଣଙ୍କ ନାମ ଦର୍ଶାଇଥିଲେ । କେବଳ ଏତିକି ନୁହେଁ ସିଇଓ ପ୍ରଥମେ ନିଜ ପ୍ରତିକ୍ରିୟାରେ ୧ କୋଟି ୧୯ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଏହା ୧ କୋଟି ୫୦ଲକ୍ଷ ଟଙ୍କାରୁ ଅଧିକ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । କେବଳ ବ୍ୟାଙ୍କର ରାଉତପଡ଼ା ଶାଖାର ଜାଲିଆତି ଓ ଅନ୍ୟ ସମବାୟ ସମିତିର କର୍ମଚାରୀଙ୍କ ପଦୋନ୍ନତି ଓ ନିଯୁକ୍ତିରେ ମଧ୍ୟ ବ୍ୟାପକ ଜାଲିଆତି ହୋଇଥିବା ଏବଂ ଏଥିରେ ଖୋଦ୍ ବ୍ୟାଙ୍କ ସିଇଓ ସମ୍ପୃକ୍ତ ଥିବା ନେଇ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ସମବାୟ ସଚିବ ଓ ମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି । ଏପରିସ୍ଥଳେ, ଦୋଷୀଙ୍କ ବିରୋଧରେ ଥାନାରେ ମାମଲା ନେଇ ମଧ୍ୟ ପୁଣି ଭୁଲ ସୂଚନା ଦେବା ବ୍ୟାଙ୍କ କର୍ତୃପକ୍ଷଙ୍କ ଭୂମିକା ପ୍ରତି ଅଧିକ ସନ୍ଦେହ ସୃଷ୍ଟି ହୋଇଛି ।

ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ଗରିବ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧିତ ଖବର