କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଜଣାଶୁଣା ବ୍ୟବସାୟୀ ଆଦର୍ଶ ଅଗ୍ରୱାଲଙ୍କ ଘର ଜବତ କରାଯାଇଛି। ସହରର ତିନି ନମ୍ବର ରୋଡ୍‌ରେ ଥିବା ଘରକୁ ବ୍ୟାଙ୍କ ସିଲ୍ କରି ନିଜ ଦଖଲରେ ନେଇଥିବା ଜଣାପଡ଼ିଛି। କଣ୍ଟାବାଞ୍ଜି ତହସିଲ୍‌ଦାର ତଥା ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅମୃତଲାଲ ବେହେରା, ଥାନା ଅଧିକାରୀ ରଶ୍ମିତା ବେହେରା ଓ ଅର୍ଥ ବିଭାଗର ଏନ୍‌ଫୋର୍ସମେଣ୍ଟ ଟିମ୍‌ର ସହଯୋଗରେ ଏହି ଦଖଲ କରାଯାଇଛି। ପ୍ରକାଶଥାଉ କି, ଆଦର୍ଶ ହେଉଛନ୍ତି ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କ ଭାଇ ଅଟନ୍ତି।

Advertisment

ସୂଚନା ଅନୁସାରେ, ୨୦୨୧ ମସିହାରେ ବେଲପଡ଼ା ବ୍ଲକ୍‌ କପାଣି ଗାଁରେ ଏକ କପାମିଲ୍ କରିବାକୁ ଆଦର୍ଶ ଟିଟିଲାଗଡ଼ ୟୁନିଅନ୍ ବ୍ୟାଙ୍କ ଶାଖାରୁ ୯ କୋଟି ଟଙ୍କା ଋଣ ନେଇଥିଲେ। ରାଧାରମଣ କଟ୍‌ଜିନ୍ (କପାମିଲ୍‌) ନାମରେ ବ୍ୟବସାୟ ପାଇଁ ଏହି ଋଣ ଅନୁମୋଦନ ହୋଇଥିଲା। ଋଣ ଠିକ୍ ସମୟରେ ପରିଶୋଧ ନକରିବାରୁ ବାରମ୍ବାର ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟିସ୍ ଦେଇଥିଲେ। ଏହା ପରେ ଉକ୍ତ ମିଲ୍‌କୁ ବିକ୍ରି କରି ପ୍ରାୟ ୪ କୋଟି ଟଙ୍କା ବ୍ୟାଙ୍କକୁ ଦେଇଥିବା ବେଳେ ବକେୟା ଟଙ୍କା ଦେଇ ନାହାନ୍ତି। ଏହି ବ୍ୟାଙ୍କ ୩୦.୯.୨୦୨୧ରେ ଆଦର୍ଶଙ୍କୁ କଳା ତାଲିକାଭୁକ୍ତ କରିଥିଲା। ଋଣ ଟଙ୍କା ଅଧିକ ଥିବାରୁ ବାରମ୍ବାର ନୋଟିସ୍ କରିଥିଲା ବ୍ୟାଙ୍କ। ଏହାକୁ ଅମାନ୍ୟ କରିବାରୁ ସୋମବାର ଅର୍ଥ ବିଭାଗର ଏନ୍‌ଫୋର୍ସମେଂଟ ଟିମ୍ ସହଯୋଗରେ ତାଙ୍କ ଘରକୁ ଦଖଲ କରିଛି ୟୁନିଅନ୍ ବ୍ୟାଙ୍କ। ଏହା ସହ ସହର ଭିତରେ ଖାଲି ପଡ଼ିଥିବା ତାଙ୍କର ୧.୫ ଏକର ଜମିକୁ ମଧ୍ୟ ଦଖଲ କରିବ ବୋଲି ସୂଚନା ଦିଆଯାଇଛି। ଠିକ୍ ସମୟରେ ଋଣୁ ପରିଶୋଧ କରି ନଥିବା ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ହଇରାଣ କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବ୍ୟାଙ୍କ ଅଧିକାରୀ ଜ୍ୟୋତିପ୍ରଭା ଶବର କହିଛନ୍ତି। ଏହି ଦଖଲ ସମୟରେ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶାନ୍ତନୁ ମହାକୁଡ଼, ଟିଟିଲାଗଡ଼ ଶାଖା ପରିଚାଳକ ଗୋବିନ୍ଦ ସାହୁ, ଅର୍ଥ ବିଭାଗ ଏନ୍‌ଫୋର୍ସମେଂଟ ଟିମ୍‌ର ଅରୁଣ ପ୍ରକାଶ ବେହେରା, ପ୍ରିୟମ୍ବଦା ଦାଶ, ମାନସ ମହାପାତ୍ର, ଅନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।