ବ୍ୟାଙ୍କ କ୍ୟାସିଅର ହତ୍ୟା ଗୁମର ଖୋଲିଲା : ନାବାଳିକାକୁ ପ୍ରେମ, ଜାତି ମର୍ଯ୍ୟାଦା ପାଇଁ ମାରିଦେଲେ

ସଂପର୍କୀୟ ଭାଇ ସମେତ ୭ ଗିରଫ, ନାବାଳକ ଗଲା ଜୁଭେନାଇଲ୍ ହୋମ

ଭଞ୍ଜନଗର/ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଆନ୍ଧ୍ର ବ୍ୟାଙ୍କ୍ ଶାଖା କ୍ୟାସିଅର ବିନୟ ବେହେରା ହତ୍ୟା ମାମଲାର ଗୁମର ଫିଟିଛି। ଜଣେ ନାବାଳିକା ସହ ପ୍ରେମ ସଂପର୍କ ରଖିବା ପାଇଁ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ସଂପର୍କକୁ ବିରୋଧ କରି ଆସୁଥିବା ନାବାଳିକାଙ୍କ ସଂପର୍କୀୟ ଭାଇ ଓ ତାଙ୍କର କିଛି ସହଯୋଗୀ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବୋଲି ଜଣାପଡ଼ିଛି। ପୁଲିସ ଆଜି ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ନାବାଳକକୁ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି। ଗିରଫ ମାନେ ହେଲେ, ମୁଣ୍ତମରାଇ ଗ୍ରାମ କେନାଲ ସାହିର ଟୁକୁନା ଗୌଡ (୩୧), ବୁଲୁ ଗୌଡ (୨୫), ଭଗବାନ ଗୌଡ (୨୮), ବାହନ ଗୌଡ (୨୬), ଜୁଗୁନୁ ବିଶ୍ବାଳ (୧୮), ଗୌଡ଼ ସାହିର ନାରାୟଣ ଗୌଡ (୨୭) ଓ ସମୀର ଗୌଡ଼ (୨୦)। ସେମାନଙ୍କଠୁ ମୃତକ ବିନୟଙ୍କ ମୋବାଇଲ, ସୁନା ଚେନ୍ ଓ ପର୍ସ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ପ୍ଲାଷ୍ଟିକ ପାଇପ୍ ଜବତ କରାଯାଇଛି। ତେବେ ଘଟଣାର ମାଷ୍ଟରମାଇଣ୍ଡ ତଥା ମୁଣ୍ଡମରାଇ ଗ୍ରାମ ଗୌଡ଼ ସମାଜ ମୁଖ୍ୟ ବଂଶୀ ଗୌଡ଼ ଓ ତା’ର ଜଣେ ସହଯୋଗୀ ଫେରାର୍ ଅଛନ୍ତି। ଏନେଇ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଛତ୍ରପୁର ଥାନା ରାମନଗର ଦ୍ବିତୀୟ ଲାଇନର ମୂଳବାସିନ୍ଦା ବିନୟ ମୁଣ୍ଡମରାଇ ଆନ୍ଧ୍ରବ୍ୟାଙ୍କ ଶାଖା କ୍ୟାସିୟର ଭାବେ ୩ ବର୍ଷ ହେଲା ଚାକିରି କରୁଥିଲେ। ଏହା ମଧ୍ୟରେ ଜଣେ ନାବାଳିକାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା। ଏହାକୁୁ ପରିବାର ଲୋକେ ଓ ସଂପର୍କୀୟ ବିରୋଧ କରୁଥିଲେ। ଶେଷରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କରେ ପୂର୍ଣ୍ଣଛେଦ ପକାଇବା ପାଇଁ ସଂପର୍କୀୟ ଭାଇ ମାନେ ଶ୍ରୀ ବେହେରାଙ୍କୁ ହତ୍ୟା କରିବା ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର