ବ୍ୟାଙ୍କ ସଙ୍କଟ ପ୍ରଭାବ: ୫ ହଜାର ବଢ଼ିଲା ସୁନା

ଭୁବନେଶ୍ବର : ଆମେରିକା ଓ ୟୁରୋପରେ ଦେଖାଦେଇଥିବା ବ୍ୟାଙ୍କ ସଙ୍କଟ ସୁନା ବଜାରକୁ ଗୁରୁତର ଭାବେ ପ୍ରଭାବିତ କରିଛି। ସୁନା ଓ ରୁପା ମୂଲ୍ୟରେ ନିଆଁ ଲାଗିଯାଇଛି। ପ୍ରତିଦିନ ଦାମ୍‌ରେ ବୃଦ୍ଧି ହେଉଛି। ଗତ ୧୦ ଦିନ ଭିତରେ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ୪,୯୦୦ ଟଙ୍କା ବଢ଼ିଥିବା ବେଳେ ରୁପା କେଜି ଦାମ୍‌ ମଧ୍ୟ ୫୦୦୦ ଟଙ୍କା ବୃଦ୍ଧି ପାଇଛି। ବ୍ୟାଙ୍କ ସଙ୍କଟର ଶୀଘ୍ର ସମାଧାନ ନହେଲେ ସୁନା ଦାମ୍‌ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଆମେରିକାର ସିଲିକନ ଭାଲି ବ୍ୟାଙ୍କ ଓ ସିଗ୍ନେଚର ବ୍ୟାଙ୍କ ଏବଂ ସ୍ବିଜରଲ୍ୟାଣ୍ଡ୍‌ର କ୍ରେଡିଟ୍ ସୁଇସ୍‌ ବ୍ୟାଙ୍କ ବୁଡ଼ିଯିବା
ପରେ ସାରାବିଶ୍ବରେ ତାହାର ପ୍ରଭାବ ଦେଖିବାକୁ ମିଳିଛି। ଷ୍ଟକ୍‌ ବଜାର କାରବାର ମାନ୍ଦା ରହିଥିବା ବେଳେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଜାରି ରହିଛି।

ଜଣେ ଗହଣା ଦୋକାନୀଙ୍କ ସୂଚନା ଅନୁଯାୟୀ ଚଳିତ ମାସ ୯ ତାରିଖରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍‌ ୫୦,୫୦୦ ଟଙ୍କା ଥିଲା। ମାର୍ଚ୍ଚ ୧୯ ସୁଦ୍ଧା ଦାମ୍‌ ୪,୯୦୦ ଟଙ୍କା ବୃଦ୍ଧି ପାଇ ୫୫,୪୦୦ ଟଙ୍କା ହୋଇଯାଇଛି। ୨୪ କ୍ୟାରେଟ୍‌ ସୁନା ଦାମ୍‌ ଏହି ୧୦ ଦିନରେ ୫୭,୬୨୦ ଟଙ୍କାରୁ ବୃଦ୍ଧି ପାଇ ୬୧,୪୦୦ ଟଙ୍କା ହୋଇଯାଇଛି। ଗତ ୧୦ ଦିନରେ ରୁପା ମଧ୍ୟ ୫୦୦୦ ଟଙ୍କା ମହଙ୍ଗା ହୋଇଛି। ଭୁବନେଶ୍ବରରେ ମାର୍ଚ୍ଚ ୯ରେ ରୁପା କେଜି ମୂଲ୍ୟ ୬୫ ହଜାର ଟଙ୍କା ପାଖାପାଖି ଥିଲା। ମାର୍ଚ୍ଚ ୧୯ରେ ତାହା ୭୦ ହଜାର ଟଙ୍କା ହୋଇଯାଇଛି।

ବିବାହ ଋତୁରେ ସୁନା ଦରରେ ଏଭଳି ବୃଦ୍ଧି ଉଭୟ ଦୋକାନୀ ଓ ଗ୍ରାହକଙ୍କ ଚିନ୍ତା ବଢ଼ାଇଦେଇଛି। ଏତେ ଅଧିକ ଦାମ୍‌ରେ ଗ୍ରାହକମାନେ ସୁନା କିଣିପାରୁନାହାନ୍ତି। ସେଥିପାଇଁ ସେମାନେ ନିଜ ଯୋଜନା ସହ ସାଲିସ କରୁଛନ୍ତି। ଯେତିକି ଗହଣା କିଣିବାକୁ ଚାହୁଥିଲେ ତାହାର ଅଧା କିମ୍ବା ସାମାନ୍ୟ ଅଧିକ କିଣିବା‌ରେ ସେମାନେ ସଫଳ ହେଉଛନ୍ତି। ଅଳଙ୍କାରଗୁଡ଼ିକ ୨୨ କ୍ୟା‌ରେଟ୍ ସୁନା ହୋଇଥିବା ବେଳେ କଏନ୍‌ ଓ ବାର୍‌ ଆଦି ରୂପରେ ବିକ୍ରି ହେଉଥିବା‌ ସୁନା ହେଉଛି ୨୪ କ୍ୟାରେଟ୍‌। ବ୍ୟାଙ୍କ ସଙ୍କଟ ଯୋଗୁଁ ନିବେଶକମାନେ ୨୪ କ୍ୟାରେଟ୍‌ ସୁନାରେ ନିବେଶ ବଢ଼ାଇଛନ୍ତି। ଷ୍ଟକ ବଜାରରୁ ଭଲ ରିଟର୍ଣ୍ଣ ମିଳିବାର ସମ୍ଭାବନା ନଥିବାରୁ ସେମାନେ ସୁନା ଆଡ଼କୁ ମୁହାଁଇଛନ୍ତି।

ଏ ସମ୍ପର୍କରେ ବଜାର ବିଶେଷଜ୍ଞ ତ୍ରିନାଥ ଲେଙ୍କା କହିଛନ୍ତି ଯେ ସୁନା ମୂଲ୍ୟରେ ଦେଖାଦେଇଥିବା ବୃଦ୍ଧିର ମୁଖ୍ୟ କାରଣ ହେଉଛି ଆମେରିକା ଓ ୟୁରୋପରେ ଦେଖାଦେଇଥିବା ବ୍ୟାଙ୍କ ସଙ୍କଟ। ସେଠାରେ ବ୍ୟାଙ୍କ ବିଫଳ ‌ହେବାପରେ ଇକ୍ବିଟିରେ ନିବେଶ କରିଥିବା ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ୟୁରୋପରେ ଅଧିକାଂଶ ବ୍ୟାଙ୍କର ସେୟାର ମୂଲ୍ୟ ଲୋୟର ସର୍କିଟ୍‌ରେ ପହଞ୍ଚିଛି। ନିବେଶକମାନେ ସେୟାର ବିକ୍ରି କରି ସେଥିରୁ ମିଳୁଥିବା ପାଣ୍ଠିକୁ ସୁନାରେ ନିବେଶ କରୁଛନ୍ତି। ସେଥି‌ପାଇଁ ଆନ୍ତର୍ଜାତିକ ବଜାରରେ ସୁନା ମହଙ୍ଗା ହେଉଛି। ବ୍ୟାଙ୍କ ସଙ୍କଟ ସମାଧାନ ନହେବା ପର୍ଯ୍ୟନ୍ତ ଏହି ସ୍ଥିତି କିଛି ଦିନ ପାଇଁ ଲାଗିରହିବ। ଏହାପରେ ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ସେ କହିଛନ୍ତି।

The News Minute

ଜଣେ ଗହଣା ବ୍ୟବସାୟୀଙ୍କ କହିବାନୁସାରେ, ବିବାହ ଋତୁ ଚାଲିଥିବା ବେଳେ ସୁନା ମୂଲ୍ୟରେ ଏଭଳି ବୃଦ୍ଧି ଚିନ୍ତାର ବିଷୟ ପାଲିଟିଛି। ଲୋକମାନେ ଯେତିକି ଗହଣା କିଣିବାକୁ ଚାହୁଛନ୍ତି ତାହା କିଣିପାରୁନାହାନ୍ତି। ଗ୍ରାହକଙ୍କ ସଂଖ୍ୟା ମଧ୍ୟ କମିଛି। ଆମେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଯଥା ସମ୍ଭବ ଉଦ୍ୟମ କରୁଛୁ ବୋଲି ସେ କହିଛନ୍ତି। ସ୍ଥିତି ଶୀଘ୍ର ନିୟନ୍ତ୍ରଣକୁ ଆସିବ ବୋଲି ସେ ଆଶା ରଖିଛନ୍ତି।

ଅନ୍ୟ ପକ୍ଷରେ ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ ମଧ୍ୟ ସୁନା ମୂଲ୍ୟ ବଢ଼ୁଛି। ଏହି ବଜାରରେ ଆଗାମୀ ମାସଗୁଡ଼ିକ ଲାଗି ସୁନା କାରବାର ହୋଇଥାଏ। ଏପ୍ରିଲ୍‌ ମାସ ଲାଗି ଡେଲିଭରି ଦିଆଯିବାକୁ ଥିବା ସୁନାର ୧୦ ଗ୍ରାମ ପିଛା ଦାମ୍‌ ୫୯,୪୦୦ ଟଙ୍କାରୁ ଅଧିକ ହୋଇଯାଇଛି। ତେଣୁ ଆସନ୍ତା ସପ୍ତାହରେ ତାହା ୬୦,୦୦୦ ଟଙ୍କା ସ୍ତର ଅତିକ୍ରମ କରିଯିବ ବୋଲି କୁହାଯାଉଛି। ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟୁଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍‌ସ ପିଛା ଦାମ୍‌ ୧୯୮୯ ଡଲାରକୁ ବୃଦ୍ଧି ପାଇଥିବା ବେଳେ ରୁପାର ଆଉନ୍‌ସ ପିଛା ଦାମ୍ ୨୨-୨୩ ଡଲାର ସ୍ତରରେ ରହିଛି।

ସମ୍ବନ୍ଧିତ ଖବର