ବାରିପଦା: ଏକ ସରକାରୀ ବ୍ୟବସ୍ଥାକୁ ଅର୍ଥ ପଇଠ କରିବା ନିମନ୍ତେ ବାରିପଦା ପୌରପରିଷଦର ୱାର୍ଡ ନଂ- ୧୩ର ବାସିନ୍ଦା ଅରୁଣ ପଟ୍ଟନାୟକ ନିଜର ଡେବିଟ୍ କାର୍ଡ ବ୍ୟବହାର କରିଥିଲେ। ମାତ୍ର ଅର୍ଥ କଟିବା ସତ୍ତ୍ବେ ପରିବହନ ବିଭାଗ କାର୍ଯ୍ୟାଳୟରେ କିନ୍ତୁ ସରକାରୀ ଚାଲଣ କଟିନଥିଲା। ସେ ବ୍ୟାଙ୍କ ଅଫ୍ ବରୋଦାରେ ଥିବା ନିଜ ଆକାଉଣ୍ଟ୍ର ଡେବିଟ୍ କାର୍ଡ ଅର୍ଥ ପରିଶୋଧ ନିମନ୍ତେ ବ୍ୟବହାର କରିଥିଲେ। ଏନେଇ ସେ ବ୍ୟାଙ୍କ୍ ଅଫ୍ ବରୋଦାରେ ଅଭିଯୋଗ କରିଥିବାରୁ କର୍ତ୍ତୃପକ୍ଷ ଉକ୍ତ ବ୍ୟାଙ୍କରେ ଗ୍ରାହକ ସେବା କେନ୍ଦ୍ର ସହିତ କଥା ହେବାକୁ ପରାମର୍ଶ ଦେଇଥିଲେ। ତେବେ ଏହି ବ୍ୟାଙ୍କରେ ଗ୍ରାହକ ସେବା ଅଧିକାରୀ ତାଙ୍କୁ ଏସବିଆଇର ଗ୍ରାହକ ସେବା ଅଧିକାରୀଙ୍କ ସହିତ କଥା ହେବାକୁ କହିଥିଲେ। ଯେହେତୁ ସେ ଏସବିଆଇ ଇ-ପେରେ ପରିଶୋଧ କରିଥିଲେ ତେଣୁ ଏସବିଆଇରେ ଅଭିଯୋଗ କରିବାକୁ ତାଙ୍କୁ ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ତେବେ ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକ ସେବା ଅଧିକାରୀ ଅରୁଣଙ୍କ ବ୍ୟାଙ୍କ ଜମାଖାତା ଆଦିର ସମସ୍ତ ବିବରଣୀ ନେଇଥିଲେ ।

Advertisment

ଏହାପରେ ଗତ ୧୭ ତାରିଖ ସନ୍ଧ୍ୟା ୫.୦୩ ସମୟରେ ପୂର୍ବ ଗ୍ରାହକ ସେବା ଅଧିକାରୀଙ୍କ ନମ୍ବରରୁ କଲ ଆସିଥିଲା। ଆଉ କିଛି ଅସୁବିଧା ଥିବା ପଚାରି ବୁଝିଥିଲେ। ସମସ୍ତ ବିଷୟ ଅବଗତ ହେବା ପରେ ଗାଡି ଟ୍ୟାକ୍ସ୍‌ ବାବଦକୁ କଟିଯାଇଥିବା ୩ ହଜାର ୪୦୧ ଟଙ୍କା ଜମା ଖାତାକୁ ଫେରସ୍ତ ଦେବ ବୋଲି କହିଥିଲେ। ଏନେଇ ସେ ଘଟଣା ସମ୍ପର୍କରେ ତଦାରଖ କରୁଥିବା କହି ଏକ ଲିଙ୍କ ପଠାଇ ଅରୁଣଙ୍କ ବ୍ୟାଙ୍କ ଜମାଖାତାର ପିନ୍ ଏବଂ ଓଟିପି ଆଦି ନେଇଥିଲେ। କିଛି ବୁଝିବା ପୂର୍ବରୁ ପ୍ରଥମେ ଅରୁଣଙ୍କ ଜମାଖାତାରୁ ହଜାରେ ଦ୍ୱିତୀୟ ଥର ୧୪ ହଜାର ଏବଂ ଶେଷରେ ୪୯,୯୯୦ ଟଙ୍କା କଟିଗଲା । ଏହି ସମସ୍ତ ପ୍ରକ୍ରିୟାରେ ସେ ଠକିଯାଇଥିବା ଜାଣି ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ତନାଘନା ପରେ ବ୍ୟାଙ୍କ ଅଫ୍ ବରୋଦା କର୍ତ୍ତୃପକ୍ଷଙ୍କ ତ୍ବରିତ ପଦକ୍ଷେପ ଫଳରେ ଅରୁଣଙ୍କ ଜମାଖାତାକୁ ୫୦ହଜାର ଟଙ୍କା ଫେରିଆସିଥିବା ଜଣାପଡ଼ିଛି। ଅବଶିଷ୍ଟ ଟଙ୍କା ମଧ୍ୟ ସ୍ୱଳ୍ପ ସମୟ ମଧ୍ୟରେ ଫେରସ୍ତ ମିଳିଯିବ ବୋଲି ବ୍ୟାଙ୍କ ମ୍ୟାନେଜର ପୁଲିସଙ୍କୁ ସୂଚନା ଦେଇଛନ୍ତି । ତେବେ ବ୍ୟାଙ୍କ ଗ୍ରାହକ ସେବା ଅଧିକାରୀଙ୍କ ଏପରି କାରବାର ବ୍ୟାଙ୍କ ପ୍ରତି ବିଶ୍ବାସ ଭାଙ୍ଗିଦେଉଥିବା ଅଭିଯୋଗ ହୋଇଛି। ଏପରି ସାଇବର୍ ଠକଙ୍କ ପ୍ରତି ସଜାଗ ରହିବାକୁ ପୁଲିସ ପକ୍ଷରୁ କୁହାଯାଇଛି।