ଭୁବନେଶ୍ବର: କାଗଜପତ୍ରରେ ଜାଲିଆତି କରି ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକେଇ ମାମଲାରେ ଛନ୍ଦି ହୋଇଥିବା ଖଣିମାଲିକ ଶକ୍ତିରଞ୍ଜନ ଦାଶଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (ଇଡି) ଛାଟ ବାଜିଛି। ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଘର ସମେତ ତାଙ୍କ ମାଲିକାନାରେ ଥିବା ଅନ୍‌ମୋଲ୍‌ ମାଇନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ (ଏଏମ୍‌ପିଏଲ୍‌) ଓ ଏମ୍‌ଏସ୍‌ ଅନ୍‌ମୋଲ୍‌ ରିସୋର୍ସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ଏଆର୍‌ପିଏଲ୍‌) ଦୁଇ ଅଫିସରେ ଇଡି ପକ୍ଷରୁ ଚଢ଼ଉ କରାଯାଇଛି। ଯାଞ୍ଚ ସମୟରେ ଶକ୍ତିରଞ୍ଜନଙ୍କ ଘରୁ ଗୋଟିଏ ପୋର୍ସେ କାୟେନ୍ନେ, ମର୍ସିଡିସ୍‌ ବେଞ୍ଜ ଜିଏଲ୍‌ସି, ବିଏମ୍‌ଡବ୍ଲ୍ୟୁ ଏକ୍ସ ୭, ଅଡି ଏ୩, ମିନି କୁପର୍‌ ଭଳି ୧୦ଟି ଦାମୀ କାର, ହୋଣ୍ଡା ଗୋଲ୍‌ଡ ୱିଙ୍ଗ୍‌ ଭଳି ୩ଟି ସୁପର ବାଇକ୍‌ ଜବତ ହୋଇଛି। ଜବତ ଗାଡ଼ିଗୁଡ଼ିକର ମୂଲ୍ୟ ୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଇଡି ଆକଳନ କରିଛି। ଏହାଛଡ଼ା ୧.୧୨ କୋଟି ଟଙ୍କାର ସୁନା ଅଳଙ୍କାର, ନଗଦ ୧୩ ଲକ୍ଷ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଶ୍ରୀ ଦାଶଙ୍କ ୨ଟି ବ୍ୟାଙ୍କ ଲକରକୁ ମଧ୍ୟ ଫ୍ରିଜ୍‌ କରାଯାଇଛି।

Advertisment

୧୦ ଦାମୀ କାର, ୩ ସୁପର୍‌ ବାଇକ୍‌, ୧୩ ଲକ୍ଷ ଟଙ୍କା ଓ କୋଟିଏ ଟଙ୍କାର ଗହଣା ଜବତ
ଫ୍ରିଜ୍‌ ହେଲା ୨ ବ୍ୟାଙ୍କ ଲକର୍‌

ସୂଚନା ମୁତାବକ, ୨୦୦୯ରୁ ୨୦୧୩ ମଧ୍ୟରେ ହିମାଚଳ ପ୍ରଦେଶର ଇଣ୍ଡିଆନ୍‌ ଟେକ୍ନୋମାକ୍‌ କମ୍ପାନି ଲିମିଟେଡ୍‌ (ଆଇଟିସିଓଏଲ୍‌)ର ମୁଖ୍ୟ ରାକେଶ ଶର୍ମା ବିଭିନ୍ନ ପ୍ରକଳ୍ପ ଦର୍ଶାଇ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନେତୃତ୍ୱାଧୀନ ଏକ ଅନୁବନ୍ଧିତ ବ୍ୟାଙ୍କରୁ କାଗଜପତ୍ରରେ ଜାଲିଆତି କରି ୧୩୯୬ କୋଟି ଟଙ୍କା ଋଣ ନେଇଥିଲେ। ଟଙ୍କା ନେବା ପରେ ସଂସ୍ଥା ପକ୍ଷରୁ କୌଣସି ପ୍ରକଳ୍ପର କାର୍ଯ୍ୟ ହୋଇନଥିବା ଜଣାପଡ଼ିଥିଲା। ତେଣୁ ବେଆଇନ୍ ଆର୍ଥିକ କାରବାର ଓ ଋଣ ଜାଲିଆତି ନେଇ ହିମାଚଳ ପ୍ରଦେଶ ପୁଲିସ ମାମଲା ରୁଜୁ କରିଥିଲା। ପରେ ଇଡି ସିମ୍‌ଲାସ୍ଥିତ ଜୋନାଲ୍‌ ଅଫିସରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଚଢ଼ଉ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଋଣ ଟଙ୍କାରୁ ୫୯.୮୦ କୋଟି ଟଙ୍କା ଶକ୍ତିରଞ୍ଜନ ଦାଶଙ୍କ କମ୍ପାନି ଆକାଉଣ୍ଟକୁ ଆସିଥିଲା। ଏହା ଜଣାପଡ଼ିବା ପରେ ଶନିବାରଠାରୁ ଇଡି ପକ୍ଷରୁ  ଅନ୍‌ମୋଲ୍‌ ମାଇନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଏଏଆର୍‌ପିଏଲ୍‌ କାର୍ଯ୍ୟାଳୟ ସହ ଶ୍ରୀ ଦାଶଙ୍କ ଘରେ ଚଢ଼ଉ କରାଯାଇଛି। ଏହି କେସ୍‌ରେ ଇଡି ପୂର୍ବରୁ ୩୧୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ସେଥିରୁ ୨୦୨୫ ଏପ୍ରିଲ ମାସରେ ୨୮୯ କୋଟି ଟଙ୍କା ଆଟାଚ୍‌ ସମ୍ପତ୍ତି ବ୍ୟାଙ୍କକୁ ଦିଆଯାଇଥିଲା। ଶକ୍ତିରଞ୍ଜନ ଦାଶ ଜାଣିଶୁଣି ଜାଲିଆତି ଉଦ୍ଦେଶ୍ୟରେ ଇଣ୍ଡିଆନ୍‌ ଟେକ୍ନୋମାକ୍‌ କମ୍ପାନି ଲିମିଟେଡ୍‌ର ପ୍ରମୋଟର ରାକେଶ ଶର୍ମାଙ୍କୁ ସହାୟତା କରିଥିଲେ। ଋଣ ଟଙ୍କାକୁ ଅନ୍ୟତ୍ର ପଠାଇବା ସହ ଓଡ଼ିଶାର ଖଣି କାରବାରରେ ଏହାକୁ ଲଗାଯାଇଥିବା ସ୍ପଷ୍ଟ ହୋଇଥିଲା।