ଭୁବନେଶ୍ୱର: ବ୍ୟାଙ୍କ ଲୁଟ୍ ହେଉ ବା ଏଟିଏମ୍, ପୁଲିସ ଏହି ଘଟଣାର ତନାଘନା କରିବା ବେଳେ ଚିରାଚରିତ ଭାବେ ସଂପୃକ୍ତ ବ୍ୟାଙ୍କର ଦୋଷ ତ୍ରୁଟିର ଲମ୍ବା ତାଲିକା ଉପସ୍ଥାପନ କରିଥାଏ। ଗଣମାଧ୍ୟମରେ ଅତି ସମାଲୋଚନା ହେଲେ କେତେବେଳେ କ୍ରାଇମବ୍ରାଞ୍ଚ ଏଡିଜି ତ ଆଉ କେବେ ଖୋଦ୍ ପୁଲିସ ଡିଜି ଆଉ ପାଦେ ଆଗେଇ ବ୍ୟାଙ୍କମାନଙ୍କ ଉଦ୍ଦେଶ୍ୟରେ କିଛି ନିୟମାବଳୀ ଓ କଟକଣା ଜାରି କରିଥାନ୍ତି। ହେଲେ ଏଟିଏମ୍ ଲୁଟ୍, ବ୍ୟାଙ୍କ ଡକାୟତି ଅଥବା ଠକେଇ ଘଟଣାରେ ଆଉ ଏକ ସାଂଘାତିକ ଅଭିଯୋଗ ଏବେ ସାମ୍ନାକୁ ଆସିଛି। ଆଉ କେହି ନୁହେଁ, ଖୋଦ୍ ବ୍ୟାଙ୍କମାନେ ଏସବୁ ସମ୍ବେଦନଶୀଳ ଘଟଣାରେ ପୁଲିସ କିଭଳି ଦାୟିତ୍ୱହୀନ ଭାବେ କାର୍ଯ୍ୟ କରିଥାଏ, ତାର ପର୍ଦାଫାଶ କରିଛନ୍ତି। ସ୍ଥାନୀୟ ପୁଲିସ ବାବୁମାନଙ୍କ ଉପରକୁ ଆଙ୍ଗୁଳି ଉଠାଇ ସେମାନଙ୍କ ଉଦାସୀନତା ସଂପର୍କରେ ସରକାରଙ୍କୁ ଠାରିଛନ୍ତି। ନିକଟରେ ହୋଇଥିବା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅବସରରେ ପ୍ରକାଶିତ ଏଜେଣ୍ଡା ପୁସ୍ତିକାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରାଯାଇଛି।
ଓଡ଼ିଶାରେ ଠକେଇ ଓ ଡକାୟତି ଘଟଣାର ସଂଖ୍ୟାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଉଦ୍ବେଗ ପ୍ରକାଶ କରିଛନ୍ତି। ପରୋକ୍ଷରେ ସୂଚାଇଛନ୍ତି ଯେ ଅପରାଧ ବଢିବା ପଛରେ ପୁଲିସକୁ ବି କିଛି କମ୍ ଦାୟୀ କରାଯାଇପାରିବ ନାହିଁ। କାରଣ, ବ୍ୟାଙ୍କ ଠକେଇ, ଡକାୟତି ଆଦି ସଂକ୍ରାନ୍ତରେ ପୁଲିସ ନିକଟରେ ଗଦା ଗଦା ମାମଲା କାର୍ଯ୍ୟାନୁଷ୍ଠାନ ପାଇଁ ପଡିରହିଛି। ବ୍ୟାଙ୍କମାନେ ଦର୍ଶାଇଛନ୍ତି, ଦିନକୁ ଦିନ ବ୍ୟାଙ୍କ ଡକାୟତି ଓ ଏଟିଏମ୍ ଲୁଟ୍ ମାମଲା ବଢି ଚାଲିଥିଲେ ହେଁ, ପୁଲିସ କର୍ତ୍ତୃପକ୍ଷଙ୍କ ନିକଟରେ ଏ ସଂକ୍ରାନ୍ତରେ ଏତଲା ଦାୟର କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡୁଛି। ଠକେଇ ମାମଲାରେ ଏତଲା ଦେବା ବେଳେ ସ୍ଥାନୀୟ ପୁଲିସ ଅଧିକାରୀମାନେ ଅସହଯୋଗ କରୁଛନ୍ତି। ଯେଉଁ କ୍ଷେତ୍ରରେ ଏତଲା ରୁଜୁ ହେଉଛି, ସେଠାରେ ଆଉ ଏକ ବଡ଼ ସମସ୍ୟା ଦେଖାଯାଉଛି। ତାହା ହେଲା, ତଦନ୍ତ ଆଳରେ ପୁଲିସ ଏତେ ସମୟ ପୁଲିସ ନେଉଛି ଯେ ମାମଲା ତୁଟାଯାଇପାରୁନାହିଁ ଏବଂ ବୀମା ପାଇଁ ଧାର୍ଯ୍ୟ ସମୟ ମଧ୍ୟ ବିତିଯାଉଛି। ସବୁଠାରୁ ବଡ କଥା ହେଉଛି, ଟଙ୍କା ନେବା ଆଣିବା ସମୟରେ ମଧ୍ୟ ପୁଲିସ ସୁରକ୍ଷା ଦେଉନାହିଁ କି ବ୍ୟାଙ୍କରେ ଆଲାରାମ୍ ବାଜିବା ପରେ ବି ତତ୍କାଳ ପୁଲିସ କର୍ତ୍ତୃପକ୍ଷ ଆସି ପହଞ୍ଚୁନାହାନ୍ତି ବୋଲି ବ୍ୟାଙ୍କମାନେ ନିଃସଙ୍କୋଚରେ ପ୍ରକାଶ କରିଛନ୍ତି। ଏଭଳିସ୍ଥଳେ ଅସୁରକ୍ଷିତ ଜାଗା ଛାଡି ବ୍ୟାଙ୍କମାନଙ୍କୁ ସୁରକ୍ଷିତ ଜାଗା ଯୋଗାଇ ଦେବା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଛି। ବ୍ୟାଙ୍କମାନଙ୍କ ଏଭଳି ଅସନ୍ତୋଷ ସ୍ଥାନୀୟ ପୁଲିସ ଅଧିକାରୀମାନଙ୍କର ନିଷ୍ଠା, ପ୍ରତିବଦ୍ଧତା ଉପରେ ଏକ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛି। ଏ ନେଇ ପୁଲିସ ମୁଖିଆମାନେ ଏଯାଏ କିଭଳି ଜାଣିପାରୁନାହାନ୍ତି, ତାହା ବି ବିସ୍ମୟ କଲାଭଳି ଏକ ଘଟଣା। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ହେଉ କିମ୍ବା ପୁଲିସର ଦାୟିତ୍ୱହୀନତା, ଉଭୟଙ୍କ ଭୁଲ କାରଣରୁ କିନ୍ତୁ ଗ୍ରାହକ ବା ଉପଭୋକ୍ତାର ହିଁ କେବଳ କ୍ଷତି ହେଉଛି।
ଉଲ୍ଲେଖଥାଉକି, ଗତ ସାତମାସ ମଧ୍ୟରେ ଲୁଟେରା ରାଜ୍ୟର ବିଭିନ୍ନ ବ୍ୟାଙ୍କ ଓ ଏଟିଏମ୍ରୁ ପାଖାପାଖି ୨ କୋଟି ଟଙ୍କା ଲୁଟିନେଲେଣି। ଅନ୍ୟ ପଡୋଶୀ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଏଭଳି ଲୁଟ୍ ତରାଜ ଟିକିଏ ଅଧିକ ବୋଲି ବିଚାର କରାଯାଉଛି। ଗତ ୨୧ ତାରିଖ ଦିନ ଝ଼ଡବାତ୍ୟାର ସୁଯୋଗ ନେଇ ବାରିପଦାରେ ୪ଟି ଏଟିଏମ୍ ଭାଙ୍ଗି ପାଖାପାଖି ୩୦ଲକ୍ଷ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହା ପୂର୍ବରୁ ଭଦ୍ରକରୁ ୩୦ଲକ୍ଷ ଟଙ୍କା, କଟକ ଗଣ୍ଡରପୁରରୁ ୧୬ଲକ୍ଷ ଟଙ୍କା, ରାଉରକେଲାରେ ୮ଲକ୍ଷ ଟଙ୍କା, ବ୍ରହ୍ମପୁରରୁ ୨୦ଲକ୍ଷ ଟଙ୍କା ଲୁଟ୍ ହୋଇଛି। ହେଲେ ଏଟିଏମ୍ ଲୁଟ୍ ଗ୍ୟାଙ୍ଗ ନିକଟରେ ପୁଲିସ ଏଯାଏ ପହଞ୍ଚିପାରିନାହିଁ। ବରଂ ଏକ ଅନ୍ତର୍ଦେଶୀୟ ଗ୍ୟାଙ୍ଗ ବୋଲି ସୂଚାଇ ପୁଲିସ ଦିନ ଗଡାଇ ଚାଲିଛି। ଖୋଦ୍ ପୁଲିସ ଡିଜି ମନକୁ ମନ ବୁଝାଇ ଦେଉଛନ୍ତି ଯେ ରାଜ୍ୟରେ ଲୁଟ୍ ତରାଜ ଚଳାଇଥିବା ଗ୍ୟାଙ୍ଗ୍ ପଶ୍ଚିମବଙ୍ଗ, ତାମିଲନାଡୁ ଓ ଗୁଜରାଟ ପରେ ଓଡ଼ିଶା ମୁହାଁ ହୋଇଛନ୍ତି।