ଭୁବନେଶ୍ୱର : ଆସନ୍ତା କାଲି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟର ସବୁ ବ୍ୟାଙ୍କ ବନ୍ଦ ରହିବ । ଏ ସଂପର୍କରେ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । କେବଳ ଓଡ଼ିଶା ନୁହେଁ ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ମକର ସଂକ୍ରାନ୍ତି ଏକ ବଡ଼ ପର୍ବ ହୋଇଥିବାରୁ ବ୍ୟାଙ୍କ ଛୁଟି ରହିବ । ଏସବୁ ରାଜ୍ୟ ମଧ୍ୟରେ ଅଛନ୍ତି କେରଳ, ହରିୟାଣା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,ପଞ୍ଜାବ, ଆସାମ ଓ କର୍ଣ୍ଣାଟକ ।
ଗତକାଲି ମଧ୍ୟ ରାଜ୍ୟ ସରକାର ମକର ସଂକ୍ରାନ୍ତି ପାଇଁ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହି ଘୋଷଣା କରାଯାଇଥିଲା ।
ମକର ସଂକ୍ରାନ୍ତି କେବଳ ଓଡ଼ିଶା କାହିଁକି ସମଗ୍ର ଦେଶରେ ଏକ ଗଣପର୍ବଭାବେ ପାଳିତ ହୋଇଥାଏ । ଏହି ଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଆରମ୍ଭ ହେଉଥିବାରୁ ଏହାର ଗୁରୁତ୍ୱ ରହିଛି ।ଏହି ପର୍ବକୁ ଭିନ୍ନ ଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ନାଁରେ ପାଳନ କରିଥାନ୍ତି । ଓଡିଶାରେ ମକର ସଂକ୍ରାନ୍ତି, ଆନ୍ଧ୍ରପ୍ରଦେଶରେ ପୋଙ୍ଗଲ, ପଞ୍ଜାବରେ ଲୋହରି, ଆସାମରେ ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଭାବେ ଜଣାଶୁଣା ।