ବ୍ୟାଙ୍କ ଲୁଟ୍‌: ଢୋଲ ଭିତରେ ମୂଷା! ଲକ୍ଷ୍ମୀପୁର ଏସ୍‌ବିଆଇ ଲୁଟ୍‌ ଘଟଣାରେ ଅସ୍ଥାୟୀ କର୍ମଚାରୀ ସମ୍ପୃକ୍ତ

ରାସୋଳ ବ୍ୟାଙ୍କ ଲୁଟ୍‌ ଘଟଣାରେ ୯ ଜଣିଆ ଗ୍ୟାଙ୍ଗ୍‌ ଠାବ
ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା

ଲକ୍ଷ୍ମୀପୁର/ରାସୋଳ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ଏସ୍‌ବିଆଇ ଶାଖା ଏବଂ ଅନୁଗୁଳ ଜିଲ୍ଲା ରାସୋଳ ବ୍ୟାଙ୍କରେ ହୋଇଥିବା ଲୁଟ୍‌ ‘ଢୋଲ ଭିତରେ ମୂଷା’ ଭଳି ଘଟଣା। ଅର୍ଥାତ୍‌, ବ୍ୟାଙ୍କର କର୍ମଚାରୀ ହିଁ ଅଭିଯୁକ୍ତ ଏବଂ ଲୁଟ୍‌ ଘଟଣାରେ ସମ୍ପୃକ୍ତ। ଦୁଇ ଜଣଙ୍କ ମଧ୍ୟରୁ ପୁଲିସ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟଜଣଙ୍କୁ ଡାକି ପଚରାଉଚରା କରୁଛି। ତେବେ, ଦୁଇଟି ଘଟଣା ସାମ୍‌ନାକୁ ଆସିବାପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଏକ ନୂଆ ଆହ୍ବାନ ସୃଷ୍ଟି କରିଛି।

ଲକ୍ଷ୍ମୀପୁର ଏସ୍‌ବିଆଇ ଶାଖା ଲୁଟ୍‌ ଘଟଣାର ଅଭିଯୁକ୍ତ ହେଉଛନ୍ତି ଶେଖର କୁଳଦୀପିଆ। ଯଦିଓ ସେ ଜଣେ ବିତାଡ଼ିତ ଅସ୍ଥାୟୀ କର୍ମଚାରୀ, ବ୍ୟାଙ୍କର କାରବାର ସହିତ ବେଶ୍‌ ପରିଚିତ ଥିଲେ ସେ। ଗତବର୍ଷ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ପରେ କିଛିମାସର ଦରମା ଦିଆଯାଇନଥିଲା। ବକେୟା ଦରମା ପାଇଁ ବାରମ୍ବାର ବ୍ୟାଙ୍କକୁ ଆସି ନିରାଶ ହେବାପରେ ଚୋରି କରିବାକୁ ସେ ଯୋଜନା କରିଥିଲେ। ‌ସେଦିନ ଥିଲା ନଭେମ୍ବର ୩୦ ତାରିଖ। ସେଦିନ ଶେଖର ବକେୟା ଦରମା ସଂପର୍କରେ କଥାବର୍ତ୍ତା କରିବା ଆଳରେ ବ୍ୟାଙ୍କକୁ ଆସିଥିଲା। କିଛି କର୍ମଚାରୀଙ୍କୁ ଏ ନେଇ ଭେଟିବା ପରେ ସୁବିଧା ଦେଖି ଶୌଚାଳୟ ଭିତରେ ଲୁଚି ଯାଇଥିଲା। ରାତି ପ୍ରାୟ ୮ଟାରେ ସେ ଦିନ ବ୍ୟାଙ୍କ ବନ୍ଦ ହୋଇଥିଲା। ଏହାପରେ ଶୌଚାଳୟରୁ ବାହାରି ଶାଖା ପରିଚାଳକଙ୍କ ଚାମ୍ବରରୁ ଚାବି ସଂଗ୍ରହ କରିଥିଲା। ଷ୍ଟ୍ରଙ୍ଗରୁମ୍‌ ଖୋଲି ଲକରରେ ୨୧ଟି ପ୍ୟାକେଟ୍‌ରେ ଥିବା ୧୬୧୦ଗ୍ରାମ ସୁନା ଗହଣାକୁ ଗୋଟିଏ ବ୍ୟାଗ୍‌ରେ ଭର୍ତ୍ତି କରି ପୁଣି ଶୌଚାଳୟରେ ପଶି ଯାଇଥିଲା। ପରଦିନ ବ୍ୟାଙ୍କ ଖୋଲିବା ପରେ ଗହଳି ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ଭିଡ଼ର ସୁଯୋଗ ନେଇ ବ୍ୟାଙ୍କ ବାହାରକୁ ଚାଲି ଯାଇଥିଲା ବୋଲି କୋରାପୁଟ ଏସ୍‌ପି ବରୁଣ ଗୁଣ୍ଠପାଲ୍ଲୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୪୫ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଅନ୍ଧାରରେ ରହିଥିଲେ। ଗତ ବୁଧବାର ଦିନ ଜଣେ ଗ୍ରାହକ ସୁନା ନେବାକୁ ଆସିବା ପରେ ଚୋରି ସଂପର୍କରେ ଜଣାପଡ଼ିଥିଲା।

ସେହିଭଳି, ଅନୁଗୁଳ ଜିଲ୍ଲା ଖୋଲିଲା ରାସୋଳ ଗ୍ରାମ୍ୟ ବ୍ୟାଙ୍କ୍‌ରୁ ଦୁର୍ବୃତ୍ତମାନେ ୫କେଜି ଓଜନର ସୁନାଗହଣା ଏବଂ ପ୍ରାୟ ନଗଦ ୧୨ଲକ୍ଷ ଟଙ୍କା ନେଇଯାଇଥିଲେ। ପୁଲିସ୍‌ ପ୍ରାୟ ୯ଜଣିଆ ଗ୍ୟାଙ୍ଗ୍‌କୁ ନିଜ କବ୍‌ଜାକୁ ନେବାରେ ସକ୍ଷମ ହୋଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଡକାୟତଙ୍କ ସହିତ ଜଣେ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ମଧ୍ୟ ପୁଲିସ ଥାନାକୁ ନେଇ ଜେରା କରୁଛି। ଡକାୟତଙ୍କ ମେସେଜ୍‌ ଦେଣେନେଣରେ ଏହି ବ୍ୟାଙ୍କ୍‌ କର୍ମଚାରୀଙ୍କର କଣ ସମ୍ପର୍କ ରହିଛି ତାର ମଧ୍ୟ ଯାଞ୍ଚ ଚାଲିଛି। ଯେଉଁ ଡକାୟତି ହେଲା, ଏଥିରେ ବ୍ୟାଙ୍କ୍‌ କର୍ମଚାରୀଙ୍କର କଣ ସମ୍ପର୍କ ରହିଛି ସେନେଇ ପୁଲିସ ଛାନ୍‌ଭିନ୍‌ ଚଳାଇଛି। ଆସନ୍ତାକାଲି ଢେଙ୍କାନାଳ ଜିଲ୍ଲା ପୁଲିସ ସମ୍ଭବତଃ ଏନେଇ ସାମ୍ବାଦିକ ସମ୍ମିଳନୀ ଡକାଇ ଘଟଣାର ଖୁଲାସା କରିପାରେ ବୋଲି କୁହାଯାଉଛି

ସମ୍ବନ୍ଧିତ ଖବର