ଅନୁଗୁଳ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ଠାରୁ ଆରମ୍ଭ କରି ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ୍, ଇଣ୍ଡିଆନ୍ ବ୍ୟାଙ୍କ୍, ମଧ୍ୟ ବିହାର ଗ୍ରାମୀଣ ବ୍ୟାଙ୍କ୍ ସବୁଠି ବୁଲି ଯାଉଥିଲା କଳାକନା। କେଇଟା ମିନିଟ୍ରେ ସବୁ ନିରାପତ୍ତା ବ୍ୟବସ୍ଥାକୁ ଖେଦି ଗୋଟିଏ ପରେ ଗୋଟିଏ ଷ୍ଟ୍ରଙ୍ଗ୍ରୁମ୍କୁ ସଫା କରି ଚାଲିଥିଲେ ଦୁର୍ବୃତ୍ତ। ବିଗତ ୧୦ବର୍ଷରେ ଅନ୍ୟୂନ ୧୩ବ୍ୟାଙ୍କ୍ ଲୁଟ୍ପାଟ୍ କରିଥିଲେ। କେବଳ ବ୍ୟାଙ୍କ୍ ନୁହେଁ, ଅନ୍ୟାନ୍ୟ ଡକାୟତିକୁ ମିଶାଇଲେ ଏମାନଙ୍କ ଅପରାଧ ସାମ୍ରାଜ୍ୟ ଏତେ ବିଶାଳ ଯେ ଗତ ବର୍ଷକ ମଧ୍ୟରେ ପ୍ରାୟ ୫୦କୋଟି ସମ୍ପତ୍ତିର ସାମ୍ରାଜ୍ୟ ବିସ୍ତାର କରିଥିଲେ।
ମଙ୍ଗଳବାର ବିହାରର ଗୟା ପୁଲିସ ଏହି ଖୁଲାସା କରିଛି। ପୁଲିସ ଦର୍ଶାଇଛି, ଅନୁଗୁଳ, ରାଉରକେଲା ପୁଲିସ ସହଯୋଗରେ ସୋମବାର ବିଳମ୍ବିତ ରାତିରେ ଯେଉଁ ଦୁଇ ଡକାୟତ ପୁଲିସ ପଞ୍ଝାରେ ଧରାପଡ଼ିଛନ୍ତି, ସେଥିରୁ ରାଜେଶ ଦାସ ଓରଫ୍ ଆକାଶର ସମ୍ପୃକ୍ତି ସବୁଥିରେ ଥିଲା। ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଯେଉଁ ୧୩ଟି ବ୍ୟାଙ୍କ୍ରେ ଡକାୟତି ହୋଇଛି ସବୁଥିରେ ସାମିଲ ଥିଲା ରାଜେଶ। ଗତ ଏକ ବର୍ଷ ମଧ୍ୟରେ ରାଜେଶ ଅନ୍ୟ ସଦସ୍ୟଙ୍କ ସହିତ ମିଶି ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦କୋଟିର ସମ୍ପତ୍ତି ଲୁଟିଛି ବୋଲି ଗୟା ପୁଲିସ କହିଛି। ପୁରୁଲିଆ ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ୍ରୁ ୮୪ଲକ୍ଷ ଟଙ୍କା ଡକାୟତି, ବାଙ୍କା ଜିଲ୍ଲାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପଶ୍ଚିମବଙ୍ଗ ରାମପୁର ହୁଗୁଳିି ବ୍ୟାଙ୍କ୍ ଡକାୟତି, ରାଉରକେଲାର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍କୁ ପଶି ନଗଦ ୪୧ଲକ୍ଷ ୬୫ହଜାର ଟଙ୍କା, ଅନୁଗୁଳ ଆନ୍ଧ୍ର ବ୍ୟାଙ୍କ ଶାଖାରୁ ନଗଦ ୨୨ଲକ୍ଷ ୭୯ହଜାର ୫୦୪ଟଙ୍କା ଓ ୨୨କିଲୋ ୯୨୧ଗ୍ରାମ ସୁନାଗହଣା, ଅନୁଗୁଳ ଇଣ୍ଡିଆନ ବ୍ୟାଙ୍କ୍ ଶାଖାରୁ ନଗଦ ୮ ଲକ୍ଷ ଟଙ୍କା ସହ ୩୬୯ ପ୍ୟାକେଟ ସୁନା ଗହଣା ଲୁଟ୍ପାଟ୍ ଆଦି ଲମ୍ବା ହିସାବ ରାଜେଶ ଡକାୟତି ତାଲିକାରେ ରହିଛି।
ଦ୍ୱିତୀୟ ଅଭିଯୁକ୍ତ ଓମ୍ ପ୍ରକାଶ ଦାସ ମଧ୍ୟ ଅନେକ ମାମଲାରେ ସମ୍ପୃକ୍ତ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଉଭୟ ରାଜେଶ ଓ ଓମ୍ପ୍ରକାଶ ଓଡ଼ିଶାର ତିନିଟି ଯାକ ବ୍ୟାଙ୍କ୍ ଡକାୟତିରେ ସମ୍ପୃକ୍ତ ଥିବା ପୁଲିସ ସ୍ପଷ୍ଟ କରିଛି। ଡକାୟତି ଟଙ୍କାରେ ଅଭିଯୁକ୍ତମାନେ ବିଭିନ୍ନ ସ୍ଥାବର ସମ୍ପତ୍ତି ଖରିଦ୍ କରିଥିବା ଜଣାପଡ଼ିଛି। ତେବେ ଏମାନଙ୍କର ମାଷ୍ଟର ମାଇଣ୍ଡ୍ କିଏ ଏବଂ ଅନ୍ୟ ଅପରାଧୀମାନେ କେଉଁଠି ଲୁଚିଛନ୍ତି ଏଯାବତ୍ କିଛି ସ୍ପଷ୍ଟ ହୋଇନାହିଁ। ତଦନ୍ତ ପାଇଁ ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରେ ଅନୁଗୁଳ ପୁଲିସର ଟିମ୍ ଯାଇ ଛାନ୍ଭିନ୍ ଚଳାଇଥିବା ଅନୁଗୁଳ ପୁଲିସ ସୂତ୍ରରୁ ଜଣାପଡ଼ିଛି।