ବ୍ୟାଙ୍କ ଡକାୟତଙ୍କୁ ଧରିବ କିଏ?

ଭୁବନେଶ୍ୱର, ଅନୁଗୁଳ, ରାଉରକେଲାରେ ବ୍ୟାଙ୍କ ଲୁଟିଥିଲେ, ଦୁଇ ବର୍ଷ ହେଲା ଖୋଜୁଛି ପୁଲିସ, ଟେର୍‌ ପାଉନି, ଡିଜିଙ୍କ ନିର୍ଦେଶ ବି କାମ ଦେଉନି, ଚିନ୍ତାରେ ବ୍ୟାଙ୍କ କର୍ତ୍ତୃପକ୍ଷ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦିନ ଦିପହରେ ବ୍ୟାଙ୍କ ଡକାୟତି ଘଟିଲା। ଥାନାଠାରୁ କେଇ ଶହ ମିଟର ଦୂରରେ ଅର୍ଥାତ୍‌ ରାଜମହଲ ଭଳି ଜନଗହଳି ଅଞ୍ଚଳରେ ବାପୁଜୀନଗର ୟୁକୋ ବ୍ୟାଙ୍କରୁ ଦୁର୍ଦାନ୍ତ ଡକାୟତମାନେ ପାଖାପାଖି ୧୩ଲକ୍ଷ ଟଙ୍କା ଓ ୪୦ ଲକ୍ଷ ଟଙ୍କାର ସୁନାଳଙ୍କାର ଲୁଟି ନେଲେ।

୨୦୧୬ ସେପ୍ଟେମ୍ବର ମାସରେ ଏହି ଲୁଟ୍‌ ହୋଇଥିଲେ ମଧ୍ୟ କମିସନରେଟ୍‌ ପୁଲିସ ଏତେ ଦକ୍ଷ ଯେ ଡକାୟତଙ୍କ ପାଖରେ ଏଯାଏ ପହଞ୍ଚିପାରିଲା ନାହିଁ। ଘରେ ରଖିଲେ ଚୋର ଲୁଟି ନେବ ବୋଲି ଯେଉଁ ବ୍ୟକ୍ତିମାନେ ବ୍ୟାଙ୍କରେ ସୁନାଳଙ୍କାର ରଖିଥିଲେ, ସେମାନେ ସର୍ବସ୍ୱ ହରାଇଲେ। ପୁଲିସ କମିସନର ବଦଳିଲେ, କାଇଦା ବଦଳିଲା। କିନ୍ତୁ ସମସ୍ତେ ଏତେ ବଡ଼ ଘଟଣାକୁ ଭୁଲିଗଲେ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ଅନୁଗୁଳରେ ଏକାଧିକ ବ୍ୟାଙ୍କ ଡକାୟତି ଘଟିଲା। ଢେଙ୍କାନାଳରେ ବି। ଏସବୁରେ ପୁଲିସ ହାତ ଖାଲି। ରାଉରକେଲା କଥା ନ କହିବା ଭଲ। ଦୁଇ ଦୁଇଟି ଡକାୟତି ଘଟଣାରେ ୪୫ଲକ୍ଷ ଲୁଟିନେଲେ। ୪ମାସ ଭିତରେ ଟଙ୍କାଟିଏ ଉଦ୍ଧାର କରିପାରିଲାନି ପୁଲିସ। ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ପୁଲିସକୁ କିଛି ସଫଳତା ମିଳିଥିଲା। ଏହି ଘଟଣାର ଅନ୍ୟ ଅଭିଯୁକ୍ତଙ୍କ ସହିତ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ବାବୁ ନାଏକ ଗିରଫ ହୋଇଥିଲା। ହେଲେ ଜେଲ୍‌ରୁ ଚମ୍ପଟ ମାରିଲା, ପୁଲିସ ଜାଣିପାରିଲାନି।

କେବଳ ବ୍ୟାଙ୍କ ଡକାୟତିକୁ ଉଦାହରଣ ବୟାନ କରୁଛି, ରାଜ୍ୟରେ ପୁଲିସ ବ୍ୟବସ୍ଥା କିଭଳି ହୁଗୁଳା ସ୍ଥିତିକୁ ଚାଲିଗଲାଣି। ଖୋଦ୍‌ ପୁଲିସ ଡିଜିଙ୍କ ନିର୍ଦେଶର ବି କିଛି ପ୍ରଭାବ ପଡ଼ୁନାହିଁ। ଅନୁଗୁଳ ଘଟଣାରେ ତନାଘନା କଲେ, ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା, ଫଳ ଶୂନ।

ନିକଟରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅବସରରେ ପ୍ରକାଶିତ ଏଜେଣ୍ଡା ପୁସ୍ତିକାରେ ବ୍ୟାଙ୍କମାନେ ଖୋଲା ଅସନ୍ତୋଷ ଓଗାଳିଥିଲେ। ସୂଚାଇଥିଲେ, ଦିନକୁ ଦିନ ବ୍ୟାଙ୍କ ଡକାୟତି ଓ ଏଟିଏମ୍‌ ଲୁଟ୍‌ ମାମଲା ବଢିଚାଲିଥିଲେ ହେଁ, ପୁଲିସ କର୍ତ୍ତୃପକ୍ଷଙ୍କ ନିକଟରେ ଏ ସଂକ୍ରାନ୍ତରେ ଏତଲା ଦାୟର କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡୁଛି। ଠକେଇ ମାମଲାରେ ଏତଲା ଦେବା ବେଳେ ସ୍ଥାନୀୟ ପୁଲିସ ଅଧିକାରୀମାନେ ଅସହଯୋଗ କରୁଛନ୍ତି। ଯେଉଁ କ୍ଷେତ୍ରରେ ଏତଲା ରୁଜୁ ହେଉଛି, ସେଠାରେ ଆଉ ଏକ ବଡ଼ ସମସ୍ୟା ଦେଖାଯାଉଛି। ତାହା ହେଲା, ତଦନ୍ତ ଆଳରେ ପୁଲିସ ଏତେ ସମୟ ପୁଲିସ ନେଉଛି ଯେ ମାମଲା ତୁଟାଯାଇପାରୁନାହିଁ ଏବଂ ବୀମା ପାଇଁ ଧାର୍ଯ୍ୟ ସମୟ ମଧ୍ୟ ବିତିଯାଉଛି।

ବ୍ୟାଙ୍କମାନେ ଆହୁରି ଅଭିଯୋଗ କରିଥିଲେ, ଟଙ୍କା ନେବା ଆଣିବା ସମୟରେ ମଧ୍ୟ ପୁଲିସ ସୁରକ୍ଷା ଦେଉନାହିଁ କି ବ୍ୟାଙ୍କରେ ଆଲାରାମ୍‌ ବାଜିବା ପରେ ବି ତତ୍କାଳ ପୁଲିସ କର୍ତ୍ତୃପକ୍ଷ ଆସି ପହଞ୍ଚୁନାହାନ୍ତି।

ଏତେ ପରେ ରାଜ୍ୟ ସରକାର ନିରବ ରହିବା, ସର୍ବୋପରି ପୁଲିସ ଡିଜି ତନାଘନା ନ କରିବା ଘଟଣା ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ତାଜୁବ୍‌ କରୁଛି।

ଉଲ୍ଲେଖଯୋଗ୍ୟ, ଅନୁଗୁଳ ଶଙ୍କର ସିନେମା ରୋଡ୍‌ସ୍ଥିତ ଆନ୍ଧ୍ର ବ୍ୟାଙ୍କ୍‌ରୁ ଗତ ଏପ୍ରିଲ୍‌ ୬ତାରିଖରେ ଛଅ ଜଣ ଡକାୟତ ବ୍ୟାଙ୍କ୍‌ କର୍ମଚାରୀଙ୍କ ମୁଣ୍ଡରେ ମାଉଜର୍‌ ଲଗାଇ ଷ୍ଟ୍ରଙ୍ଗ୍‌ ରୁମ୍‌ରୁ ନଗଦ ୨୨ଲକ୍ଷ ୭୯ହଜାର ୫୦୪ ଟଙ୍କା ଏବଂ ୨କେଜି ୯୨୧ଗ୍ରାମ୍‌ ସୁନାଗହଣା ଲୁଟି ନେଇଥିଲେ। ଲୁଟ୍‌ ସୁନାର ଆନୁମାନିକ ମୂଲ୍ୟ ୭୮ଲକ୍ଷ ୭୬ହଜାର ଟଙ୍କା ହେବ ବୋଲି ସେତେବେଳେ ବ୍ୟାଙ୍କ୍‌ କର୍ତୃପକ୍ଷ ଆକଳନ କରିଥିଲେ।

ଏହାର ୧୨ଘଣ୍ଟା ନପୂରୁଣୁ ଅନୁଗୁଳ ବ୍ଲକ ବନ୍ତଳା ଏସ୍‌ବିଆଇ ବ୍ୟାଙ୍କ୍‌ରୁ ଡକାୟତମାନେ ଲୁଟ୍‌ ଉଦ୍ୟମ କରିଥିଲେ। ରାତି ପ୍ରାୟ ୧୧ଟା ବେଳେ ବ୍ୟାଙ୍କ୍‌ ତାଲା ଭାଂଗି ଷ୍ଟ୍ରଙ୍ଗ୍‌ରୁମ ପର୍ଯ୍ୟନ୍ତ ଯାଇଥିଲେ। ଟଙ୍କା, ସୁନାଗହଣା ଲୁଟିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସାଇରନ ବାଜିବାରୁ ଲୁଟ୍‌ ହୋଇ ପାରି ନ ଥିଲା।

ଠିକ୍‌ ୩ମାସ ପରେ ଜୁଲାଇ ୭ତାରିଖ ଦିନ ସମାନ ଢଙ୍ଗରେ ଡକାୟତ ଅନୁଗୁଳର ଇଣ୍ଡିଆନ ବ୍ୟାଙ୍କ ଷ୍ଟ୍ରଙ୍ଗରୁମ୍‌ରୁ ନଗଦ ୮ଲକ୍ଷ ଟଙ୍କା ଏବଂ ୩୭୧ପ୍ୟାକେଟ୍‌ ସୁନା ଲୁଟି ନେଇଛନ୍ତି। ୧୭କେଜି ୭୮୭ଗ୍ରାମ୍‌ ସୁନା ଗହଣା ଲୁଟ୍‌ ହୋଇଥିବା ବ୍ୟାଙ୍କ୍‌ କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନର ବଜାର ଦର ହିସାବ କଲେ ଅଳଙ୍କାର ମୂଲ୍ୟ ୫କୋଟି ୧୫ଲକ୍ଷ ହେବ। ଏହି ଘଟଣାରେ ପୁଲିସ ଓମ୍‌ ପ୍ରକାଶ ଦାସ ଓ ରାଜେଶ ଦାସ ନାମକ ଦୁଇ ଜଣ ଦୁର୍ଦ୍ଦାନ୍ତ ଅନ୍ତଃରାଜ୍ୟ ବ୍ୟାଙ୍କ ଡକାୟତଙ୍କୁ ଧରିଥିବା ନେଇ ଦାବି କରିଥିଲା। ଏକଥା ବି କହିଥିଲା ଯେ ଏମାନେ ରାଉର୍‌କେଲା ବ୍ୟାଙ୍କ୍‌ ଡକାୟତିରେ ବି ସଂପୃକ୍ତ। ହେଲେ ଟଙ୍କା ତ ଦୂରର କଥା ଉଭୟ ବ୍ୟାଙ୍କ୍‌ରୁ ଲୁଟ୍‌ ୨୦କେଜିରୁ ଅଧିକ ସୁନା ଗହଣାର ପତ୍ତା ପାଇପାରିଲାନି।

ସେହିଭଳି ୨୦୧୬ମସିହା ନଭେମ୍ବର ୧୬ରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ ଢେଙ୍କାନାଳ ଶାଖାରୁ ଏକ କୋଟି ୧୫ଲକ୍ଷ ୫୦ହଜାର ଟଙ୍କା ଡକାୟତି ହୋଇଥିଲା। ଘଟଣାରେ କେହି ଧରା ପଡ଼ି ନାହାନ୍ତି। ତେବେ ୨୦୧୭ ମସିହା ଏପ୍ରିଲ୍‌ ୨୫ତାରିଖରେ ଢେଙ୍କାନାଳ ସଦର ଥାନାର ସିମିନଇ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଭିତରୁ ହୋଇଥିବା ୫ଲକ୍ଷ ୨୫ହଜାର ଲୁଟ୍‌ ଘଟଣାରେ ୩ଜଣ ଗିରଫ ହୋଇଛନ୍ତି। ଦୁଇ ଲକ୍ଷ ଟଙ୍କା ଜବତ ହୋଇଛି।

ରାଉରକେଲା ମଧୁସୂଦନ ମାର୍ଗ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ୪୧ ଲକ୍ଷ ଟଙ୍କା ଓ କଚାରୁ ବ୍ୟାଙ୍କ୍‌ ଅଫ୍‌ ବରୋଦାକୁ ଯାଉଥିବା ୪ ଲକ୍ଷ ଟଙ୍କା ରାସ୍ତାରୁ ଲୁଟ୍‌ ଘଟଣାରେ ବି ପୁଲିସ ସଫଳତା ପାଇପାରିନି। ଉଭୟ ଘଟଣାରେ ଅପରାଧୀମାନେ ମାଉଜର ଓ ପିସ୍ତଲ ଦେଖାଇ ଡକାୟତି କରିଥିଲେ।

ସମ୍ବନ୍ଧିତ ଖବର