ଭୁବନେଶ୍ୱର : ରାଜଧାନୀରେ ପୁଣି ବ୍ୟାଙ୍କ ଲୁଟ୍। ଏଥର ମଧ୍ୟ ପୂରା ସିନେମା ଷ୍ଟାଇଲ୍ରେ ବନ୍ଧୁକ ଫୁଟାଇ ଏକାକୀ ଲୁଟିଛି ଲୁଟେରା। ଆଜି ଅପରାହ୍ଣରେ ମଞ୍ଚେଶ୍ବର ଥାନା ଅଧୀନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବରିମୁଣ୍ଡ ଶାଖାରୁ ଲୁଟେରା ଜଣକ ଅନାୟାସରେ ୧୦ ଲକ୍ଷ ଟଙ୍କା ନେଇ ଫେରାର୍ ହୋଇଯାଇଛି। ପୁଲିସ ଛାନ୍ଭିନ୍ ଆରମ୍ଭ କରିଥିଲେ ମଧ୍ୟ ଲୁଟେରା ସଂପର୍କରେ ସୁରାକ୍ ପାଇନଥିବା ଜଣାପଡ଼ିଛି। ଇନ୍ଫୋସିଟି ଥାନା ନନ୍ଦନବିହାରସ୍ଥିତି ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍ ଲୁଟ୍ ପରେ ଏହା ହେଉଛି ଚଳିତ ମାସର ଦ୍ବିତୀୟ ଲୁଟ୍। ଜଣେ ଲୁଟେରା ଏକାକୀ କମିସନରେଟ୍ ପୁଲିସକୁ ଚ୍ୟାଲେଞ୍ଜ କରି ବ୍ୟାଙ୍କ ଲୁଟୁଥିବାରୁ ଅନ୍ୟ ବ୍ୟାଙ୍କଗୁଡ଼ିକରେ ଆତଙ୍କ ସୃଷ୍ଟି ହୋଇଛି। ଏହି ୱାନ୍ ମ୍ୟାନ୍ ଆର୍ମିକୁ ନେଇ ଏବେ କମିସନରେଟ ପୁଲିସର ଛାନ୍ଭିନ୍ ଜୋର୍ଦାର ହୋଇଛି।
ସୂଚନାନୁସାରେ ଆଜି ଅପରାହ୍ନ ଗୋଟାଏ ୫୮ ମିନିଟ୍। ସେତେବେଳେ ଏହି ବ୍ୟାଙ୍କ ଶାଖାରେ ମାତ୍ର ଜଣେ ଗ୍ରାହକ ଥିଲେ। କାଉଣ୍ଟରରେ ତିନିଜଣ କର୍ମଚାରୀ ଥିଲେ। ମଧ୍ୟାହ୍ନ ଭୋଜନ ବିରତି ପାଇଁ ପିଅନ ଗେଟ୍ ବନ୍ଦ କରୁଥିଲେ। ଏତିକିବେଳେ ହଠାତ୍ ଜଣେ ହେଲ୍ମେଟ୍ ପିନ୍ଧିଥିବା ଯୁବକ ବ୍ୟାଙ୍କ ଭିତରକୁ ଧସେଇ ପଶିଥିଲା। ତା’ର ଦୁଇ ହାତରେ ଦୁଇଟି ପିସ୍ତଲ ଥିଲା। ତା’ର ଗୋଟିଏ ଧକ୍କାରେ ପିଅନ ତଳେ ପଡ଼ିଯାଇଥିଲେ। ଯୁବକ ଜଣକ ଭିତରେ ପଶୁ ପଶୁ ତା’ର ଗୋଟିଏ ବନ୍ଧୁକ ଗର୍ଜନ କରିଥିଲା। ଗୁଳିଟି ଛାତରେ ବାଜିଥିଲା। ଅତର୍କିତ ଗୁଳି ମାଡ଼ ଦେଖି କର୍ମଚାରୀମାନେ ଭୟରେ ଥରିବାକୁ ଲାଗିଥିଲେ। ଦୁର୍ବୃତ୍ତର ଧମକରେ ସେମାନେ ମୋବାଇଲ୍ ଫୋନ୍ ତଳେ ରଖି ଉପରକୁ ହାତ ଟେକି ଠିଆ ହୋଇ ରହିଥିଲେ। ତା’ପରେ ଦୁର୍ବୃତ୍ତ ଦୁଇଟି କ୍ୟାସ୍ ବକ୍ସରୁ ମୋଟ୍ ୯ ଲକ୍ଷ ୫୦ ହଜାର ଟଙ୍କା ଧରି ବାହାରକୁ ପଳାଇଥିଲା। ମାତ୍ର କେଇ ମିନିଟ୍ ଭିତରେ ଦୁର୍ବୃତ୍ତ ଜଣକ ଏହି କାଣ୍ଡ ଘଟାଇ ପାର୍ ହୋଇଗଲା। ଏହାର କିଛି ମିନିଟ୍ ପରେ କର୍ମଚାରୀମାନେ ପୁଲିସକୁ ଖବର ଜଣାଇଥିଲେ। ବ୍ୟାଙ୍କ୍ର ଶାଖା ପରିଚାଳକ ନନ୍ଦନ କୁମାର ରାଉଳଙ୍କ ଅଭିଯୋଗକୁ ଆଧାର କରି ମଞ୍ଚେଶ୍ବର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ରୁ ମାସ୍କ ଓ ହେଲ୍ମେଟ୍ ପିନ୍ଧିଥିବା ଲୁଟେରାକୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି।
ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍ ଲୁଟ୍ ଘଟଣାରେ ପୁଲିସ ବିଫଳ ହେବାରୁ ଅପରାଧୀ ଉପରମୁହାଁ ହୋଇଛନ୍ତି। ଉଭୟ ଘଟଣାରେ ସମାନ ଅପରାଧୀ ସମ୍ପୃକ୍ତ ବୋଲି ପୁଲିସ ଅନୁମାନ କରୁଛି। ସୂଚନାଯୋଗ୍ୟ, ଚଳିତ ମାସ ୭ ତାରିଖରେ ଇନ୍ଫୋସିଟି ଥାନା ନନ୍ଦନବିହାର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ଅନୁରୂପଭାବେ ଲୁଟ୍ ହୋଇଥିଲା। ଠିକ୍ ଅପରାହ୍ଣରେ ଶାଖାରେ କୌଣସି ଗ୍ରାହକ ନଥିବାବେଳେ ଜଣେ ଦୁର୍ବୃତ୍ତ ବନ୍ଧୁକ ମୁନରେ ପ୍ରାୟ ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଥିଲା।
ସିସିଟିଭି ଫୁଟେଜ୍ ଅନୁସାରେ ମୁତାବକ ଦୁର୍ବୃତ୍ତ ଜଣକ ଏକ ୟାମାହା ବାଇକ୍ରେ ଆସିଥିଲା। ବ୍ୟାଙ୍କ୍ ସମ୍ମୁଖରେ ବାଇକ୍ ରଖି ଭିତରକୁ ପଶିଲା। ପକେଟ୍ରୁ ଦୁଇଟି ବନ୍ଧୁକ ବାହାର କଲା ଓ ଦୁଇ ହାତରେ ଧରି ବ୍ୟାଙ୍କ ଭିତରେ ପଶିଲା ଓ ବ୍ୟାଙ୍କରୁ ବାହାରି ବାଇକ୍ ଯୋଗେ କଟକ-ଭୁବନେଶ୍ବର ରାଜପଥ ଆଡ଼କୁ ଦ୍ରୁତବେଗରେ ପଳାଇଥିଲା। ପୂର୍ବ ଥର ଓଭରସିଜ୍ ବ୍ୟାଙ୍କରୁ ସମାନ ଢଙ୍ଗରେ ଲୁଟ୍ ହୋଇଥିଲା। ପୁଲିସ ଉକ୍ତ ଲୁଟେରାକୁ ଠାବ କରିବାରେ ସକ୍ଷମ ହୋଇନଥିବା ବେଳେ ପୁଣି ଅନୁରୂପ ଲୁଟ୍ କମିସନରେଟ୍ ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦୁର୍ବୃତ୍ତ ଜଣକ ରାଜଧାନୀର ଛୋଟ ଛୋଟ ବ୍ୟାଙ୍କ ଶାଖାକୁ ଟାର୍ଗେଟ୍ କରୁଛି। ଅଥଚ ପୁଲିସ ତା’ର ଟେର୍ ପାଉନି। ସେହିଭଳି ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଏଭଳି ଛୋଟ ଶାଖାଗୁଡ଼ିକରେ ସୁରକ୍ଷାକର୍ମୀ ନିୟୋଜିତ କରୁନଥିବାରୁ ଲୁଟେରାକୁ ସହଜ ହେଉଛି ବୋଲି କୁହାଯାଉଛି।