ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଲୁଟ୍‌! ଲକର୍‌ କାଟି ଲୁଟିନେଲେ, ଖୁଚୁରା ବସ୍ତା ଛାଡ଼ିଦେଲେ

୪୦ ହଜାର ଟଙ୍କାର ଖୁଚୁରା ବସ୍ତା, ୫ ଗ୍ୟାସ ସିଲିଣ୍ଡର ଜବତ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗାସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ଗତକାଲି ରାତିରେ ବ୍ୟାଙ୍କ ଲକର୍‌ ଭାଙ୍ଗି ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଏକ ଖୁଚୁରା ମୁଦ୍ରା ଭର୍ତ୍ତି ବସ୍ତାକୁ ଲୁଟେରାମାନେ ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ଓଜନ ଅଧିକ ହେବାରୁ ରାସ୍ତାରେ ପକାଇଦେଇ ପଳାଇ ଯାଇଛନ୍ତି। ଆଜି ତାହା ଜଣାପଡ଼ିବା ପରେ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ପଳାସପଙ୍ଗାସ୍ଥିତ ଓଡ଼ିଶା ସ୍ପଞ୍ଜ ଆଇରନ କମ୍ପାନି ପରିସରରେ ରହିଛି ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶାଖା। ଗତ ଶନିବାର ଓ ରବିବାର ଛୁଟି ଥିବାରୁ ବ୍ୟାଙ୍କ ବନ୍ଦ ରହିଥିଲା। ଏହାର ସୁଯୋଗ ନେଇ ଲୁଟେରା ଗୋଷ୍ଠୀ ରାତିରେ ବ୍ୟାଙ୍କ ଲକର୍‌ କାଟି ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟି ନେଇଥି‌ବା ଅଭିଯୋଗ ହୋଇଛି। ଟଙ୍କା ନେବା ବେଳେ ଏକ ଖୁଚୁରା ଟଙ୍କା ବସ୍ତାକୁ ମଧ୍ୟ ନେବାକୁ ଉଦ୍ୟମ କରିଥିଲେ। ଏହି ବସ୍ତାରେ ପ୍ରାୟ ୪୦ ହଜାର ଟଙ୍କାର ମୁଦ୍ରା ଥିଲା। ମାତ୍ର ତାହା ବେଶି ଦୂର ଟେକି ନ ପାରିବାରୁ ବ୍ୟାଙ୍କ ପାଚେରି କଡ଼ରେ ପକାଇଦେଇ ପଳାଇ ଯାଇଥିଲେ। ଆଜି ସକାଳେ କର୍ମଚାରୀ ମୟାଧର ମୁଖୀ ବ୍ୟାଙ୍କ ଖୋଲିବାକୁ ଯିବାବେଳେ ଲୁଟ୍‌ ସଂପର୍କରେ ଜଣାପଡ଼ିଥିଲା। ଏହାପରେ ବ୍ୟାଙ୍କ ମ୍ୟାନେଜର ଆଶିଷ କୁମାର ହୋତା କେନ୍ଦୁଝର ସଦର ଥାନାରେ ଅଭିଯୋଗ କରିଥିଲେ। ସଦର ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ପହଞ୍ଚି ତଦନ୍ତ କରିଛନ୍ତି। ତଦନ୍ତ ବେଳେ ୫ଟି ଗ୍ୟାସ ସିଲିଣ୍ଡର ଓ ଖୁଚୁରା ବସ୍ତାକୁ ଜବତ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ଶୁକ୍ରବାର ରାତିରେ ବ୍ୟାଙ୍କ ଭିତରେ ପଶିବା ପରେ ପ୍ରଥମେ ସିସିଟିଭି କାଢ଼ି ଦେଇଛନ୍ତି। ଏହାର ହାର୍ଡଡିକ୍ସ ମଧ୍ୟ ଖୋଲି ଦେଇଛନ୍ତି। ଯେଉଁ ଆଇରନ୍‌ ଲକର ରହିଛି ତାହାକୁ ସେମାନେ ପ୍ରାୟତଃ ଦୁଇଦିନ ଧରି କାଟିଥିବା ପୁଲିସ ସନ୍ଦେହ କରାଯାଉଛି। ଲକର୍‌ ରୁମ୍‌ ଭିତରକୁ ଖାଦ୍ୟ ନେଇ ଆରାମରେ ସେଠାରେ ଖାଇପିଇ ଲୁଟ୍‌ କରିଥିବା ପୁଲିସ ଜାଣିବାକୁ ପାଇଛି। ତେବେ ଲୁଟେରାଙ୍କ ସନ୍ଧାନ ପାଇବାରେ ପୁଲିସ ବିଫଳ ହୋଇଛି।

ସମ୍ବନ୍ଧିତ ଖବର