ସୁନ୍ଦରଗଡ଼ : ଜୁଲାଇ ୨୭ ତାରିଖ ଅପରାହ୍ନରେ ସୁନ୍ଦରଗଡ଼ କିରେଇସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୨.୯୨ ଲକ୍ଷ ଟଙ୍କା ଓ ମହିଳା କର୍ମଚାରୀଙ୍କ ସୁନା ଚେନ୍‌ ଡକାୟତି ଘଟଣାର ୪ ଡକାୟତ ଧରାପଡ଼ିଛନ୍ତି। ବିହାର, ଝାଡ଼ଖଣ୍ଡ ଓ ସୁନ୍ଦରଗଡ଼ ପୁଲିସର ମିଳିତ ତନାଘନା ପରେ ଘଟଣାର ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହି ସଫଳତା ମିଳିଛି।

Advertisment

ଗତ ୨୭ ତାରିଖ ଅପରାହ୍ନ ୨ଟା ୧୩ରେ କିରେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ପଶି ୪ ଡକାୟତ ବନ୍ଧୁକ ମୁନରେ ଲକରରୁ ୨.୯୨ ଲକ୍ଷ ଓ ମହିଳା କର୍ମଚାରୀଙ୍କ ସୁନାଚେନ୍‌ ଲୁଟି ବ୍ୟାଙ୍କ ପରିଚାଳକ ନୀଳକାନ୍ତ କୁମାର, କ୍ୟାସିୟର ରାଖୀ କୁଜୁର, ଅନ୍ୟ ଜଣେ କର୍ମଚାରୀ ଡିଲେଶ୍ବର ଭୋଇ ଓ ଏସବିଆଇ ଜୀବନବୀମା କର୍ମଚାରୀ ସଂଜୟ ପ୍ରଧାନଙ୍କୁ ବ୍ୟାଙ୍କ ଶୌଚାଳୟରେ ବନ୍ଦ କରି ୨ଟି ବାଇକ୍‌ରେ ଫେରାର ହୋଇଯାଇଥିଲେ। ଦିନ ଦ୍ବିପ୍ରହରରେ ମାତ୍ର ୭ ମିନିଟ ମଧ୍ୟରେ ଟଙ୍କା ଓ ସୁନା ଚେନ୍‌ ଲୁଟି ନେଇ ଚମ୍ପଟ ମାରିବା ସୁନ୍ଦରଗଡ଼ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ସାଗରିକାଙ୍କ ତତ୍ତ୍ବାବଧାନ ଓ ଉପଖଣ୍ଡ ପୁଲିସ ଅଧିକାରୀ ମଧୁସିକ୍ତା ମିଶ୍ରଙ୍କ ନେତୃତ୍ବରେ ଅନ୍ତଃରାଜ୍ୟ ସମନ୍ବୟ ଟିମ୍‌ର ଶିକ୍ଷାନବିସ ଉପ ଅଧିକ୍ଷକ ସନ୍ତୋଷ କୁମାର ବାରିକ, ରାଜଗାଙ୍ଗପୁର ଥାନାଧିକାରୀ ବିବତ୍ସ ପ୍ରଧାନ ଓ ସ୍ଥାନୀୟ ସା‌ଇବର ଟିମ୍‌ ୨ ରାଜ୍ୟ ପୁଲିସ ସହ ଯୋଗାଯୋଗ କରି ମିଳିତ ତନାଘନା ଚଳାଇଥିଲେ। ଘଟଣାର ମାତ୍ର ୪୮ ଘଣ୍ଟାରେ ଡକାୟତମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବାରୁ ସୁନ୍ଦରଗଡ଼ ପୁଲିସ ସାଧାରଣରେ ପ୍ରଶଂସନୀୟ ହୋଇଛି।