କବିସୂର୍ଯ୍ୟନଗର : ବ୍ୟାଙ୍କ୍ ଓ ଏଟିଏମ୍ କାଉଣ୍ଟର୍‌କୁ ଲଗାତାର ଭାବେ ଟାର୍ଗେଟ୍ କରି ପୁଲିସ ଆଖିରୁ ନିଦ ହଜାଇଥିବା ୫ ଜଣିଆ ଲୁଟେରା ଗ୍ୟାଙ୍ଗ୍‌ ଶେଷରେ ପୁଲିସ ଜାଲରେ ପଡ଼ିଛନ୍ତି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୁଲିସ ସେମାନଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ପୁରୁଷୋତ୍ତମପୁର ଥାନା ଅଧୀନ ନଇତଡ଼ସାହିର ଘନଶ୍ୟାମ ବେହେରା ଓରଫ୍ କାଳିଆ (୩୩), ଝରଣ ଗ୍ରାମର ନାରାୟଣ ବିଷୋୟୀ (୨୩), ଭୂତସରସିଙ୍ଗି ଗ୍ରାମ ତଳସାହିର ବଂଶୀଧର ବିଷୋୟୀ ଓରଫ୍ ପାଣ୍ଡା (୨୦), ଝରଣ ଗ୍ରାମର ବିକାଶ ନାୟକ (୨୧) ଓ ଚାଟମୁଣ୍ଡୁଳିର ପିଣ୍ଟୁ ନାହାକ (୨୧)।

Advertisment

ସମସ୍ତ ଅଭିଯୁକ୍ତ ପୁରୁଷୋତ୍ତମପୁର ଥାନା ଇଲାକାର ହୋଇଥିବା ବେଳେ ସେମାନଙ୍କଠୁ ଗୋଟିଏ କାର୍, ଗୋଟିଏ ବାଇକ୍ ସମେତ ‌ଦେଶୀପିସ୍ତଲ, ବୋମା, ଗ୍ୟାସ୍ ସିଲିଣ୍ଡର୍, କଟର୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। କାଳିଆ ହିଁ ଏହି ଗ୍ୟାଙ୍ଗ୍‌ର ମାଷ୍ଟମାଇଣ୍ଡ୍ ହୋଇଥିବା ରାତାରାତି ବଡ଼ଲୋକ ହେବା ଲକ୍ଷ୍ୟରେ ସେ ତାର ନେଟ୍‌ୱର୍କକୁ ସକ୍ରିୟ କରିଥିଲା।

ଏହି ଗ୍ୟାଙ୍ଗ୍ ଚଳିତମାସ ୧୧ ଓ ୧୯ ତାରିଖରେ କବିସୂର୍ଯ୍ୟନଗର ଥାନା ଜରଡ଼ ଛକ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍‌ରେ ପଶି ଲୁଟ୍ ଉଦ୍ୟମ କରିଥିଲେ। ପ୍ରଥମ ଉଦ୍ୟମ ବେଳେ ସାଇରନ୍ ବାଜିବାରୁ ଲୁଟେରାମାନେ ଚମ୍ପଟ୍ ମାରିଥିବା ବେଳେ ସେଠାରୁ ଶାବଳ ଜବତ ହୋଇଥିଲା। ସେହିପରି ଦ୍ବିତୀୟ ଉଦ୍ୟମ ବେଳକୁ ପୁଲିସ ଭ୍ୟାନ୍ ଆସିଥିବା ସନ୍ଦେହ କରି ଫେରାର ହୋଇଯାଇଥିଲେ। ସେହିପରି ଗତ କିଛିମାସ ତଳେ ପୁରୁଷୋତ୍ତମପୁର ଥାନା ଭୂତସରସିଙ୍ଗିସ୍ଥିତ କାନାରା ବ୍ୟାଙ୍କ୍‌ରେ ବି ଲୁଟ୍ ଉଦ୍ୟମ ‌କରିଥିଲେ। ୨୦୨୦ ମସିହାରେ ପୁରୁଷୋତ୍ତମପୁର ଥାନା ଇଲାକାର ଜଣେ ବ୍ୟକ୍ତିଙ୍କୁ ମାଡ଼ମାରି ୯ କେଜି ସୁନା ନେଇଯାଇଥିଲେ। ଏଭଳି ଭାବେ ଅଭିଯୁକ୍ତମାନଙ୍କ ନାମରେ କବିସୂର୍ଯ୍ୟନଗର ଥାନାରେ ୨ଟି ଓ ପୁରୁଷୋତ୍ତପୁର ଥାନାରେ ୫ଟି ମାମଲା ରହିଛି।

ଗତକାଲି ବିଳମ୍ବିତ ରାତିରେ ଏହି ଗ୍ୟାଙ୍ଗ୍ କବିସୂର୍ଯ୍ୟନଗର ଥାନା ରାଉଳପଲ୍ଲୀ ଗ୍ରାମ ନିକଟ ଗୁପ୍ତେଶ୍ୱର ମନ୍ଦିରରେ ଲୁଟ୍ ଯୋଜନା କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ହିଞ୍ଜିଳିକାଟୁ ଥାନା ଗଣ୍ଡଳା ଛକରେ ଥିବା ଏକ ଏଟିଏମ୍‌ କାଉଣ୍ଟର୍‌ରେ ପଶି ମେସିନ୍‌କୁ ଗ୍ୟାସ୍‌କଟର୍‌ରେ କାଟୁଥିବା ବେଳେ କବିସୂର୍ଯ୍ୟନଗର ପୁଲିସର ଏକ ଟିମ୍ ଏମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା।