ଅନୁଗୁଳ : ଅନୁଗୁଳରେ ଏକ ବଡ଼ ଧରଣର ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି। ରକ୍ଷକ ଭକ୍ଷକ ସାଜିବା ଭଳି ଖୋଦ୍ ବ୍ୟାଙ୍କ ମ୍ୟାନେଜର ୬୦ ଲକ୍ଷ ଟଙ୍କା ଆତ୍ମସାତ କରି ନେଇଛନ୍ତି। ତାହା ପୁଣି ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତରେ। ଟଙ୍କା ଆତ୍ମସାତ ମାମଲାରେ ବର୍ତ୍ତମାନ ଆଇଡିଏଫ୍ସି ବ୍ୟାଙ୍କ, ଭୁବନେଶ୍ବର ଶାଖାରେ କାର୍ଯ୍ୟରତ ଥିବା ଶକ୍ତିବେଦାନ୍ତ ଦାସଙ୍କୁ ଅନୁଗୁଳ ଥାନା ପୁଲିସ ଗିରଫ କରିଛି। ତାଙ୍କ ଘର ଭୁବନେଶ୍ବର ଲିଂଗରାଜ ଥାନା ଅନ୍ତର୍ଗତ ନାଗେଶ୍ବର ଟାଙ୍ଗି ଅଂଚଳରେ ବୋଲି ଜଣାପଡ଼ିଛି।
ଶ୍ରୀ ଦାସ ଆଗରୁ ଅନୁଗୁଳ ଏଚ୍ଡିଏଫ୍ସି ବ୍ୟାଙ୍କର ଶାଖା ପରିଚାଳକ ଥିଲେ। ଅନୁଗୁଳ ଜିଲ୍ଲାପାଳଙ୍କ ନାମରେ ଏଚ୍ଡିଏଫ୍ସି ବ୍ୟାଙ୍କର ଏହି ଶାଖାରେ ଏକ ଆକାଉଣ୍ଟ ରହିଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସଂପ୍ରସାରଣ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ସରକାରଙ୍କ ପକ୍ଷରୁ ୬୦ ଲକ୍ଷ ଟଙ୍କା ଜମା କରାଯାଇଥିଲା। ୨୦୧୩ ମସିହାରେ ଏହି ଟଙ୍କା ଜମା େହାଇଥିଲା। ଗତ ୨୦୧୭-୧୮ ମସିହାରେ ଶ୍ରୀ ଦାସ କିନ୍ତୁ ୮ ଟି ଜାଲ୍ ଚେକ୍ ଜରିଆରେ ୬୦ ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ଟଙ୍କା ଉଠାଇବା ପରେ ସେ ଚାକିରି ଛାଡ଼ି ଦେଇଥିଲେ।
ସେ ଭୁବନେଶ୍ବର ଯାଇ ଆଇଡିଏଫ୍ସି ବ୍ୟାଙ୍କର ଶାଖା ପରିଚାଳକ ଭାବେ ଯୋଗ ଦେଇଥିଲେ। ଟଙ୍କା ଆତ୍ମସାତ ହୋଇଥିବା ଜଣାପଡ଼ିବା ପରେ ଗତ ୧୧ ତାରିଖ ଦିନ ଆସିଷ୍ଟାଣ୍ଟ କଲେକ୍ଟର ରଂଜନ ମହାନ୍ତି ଅନୁଗୁଳ ଥାନାରେ ଏତଲା ଦେଇଥିଲେ। ପୁଲିସ ଅଧିକାରୀ ଅରକ୍ଷିତ ସେଠୀ ଏହି ମାମଲାର ତଦନ୍ତ କରୁଛନ୍ତି। ଟଙ୍କା ଆତ୍ମସାତ ଘଟଣାରେ ଅନ୍ୟ କେତେକ ଅଧିକାରୀ ଓ କର୍ମଚାରୀ ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି।