ଅନୁଗୁଳ : ଅନୁଗୁଳ ସହରରେ ପୁଣି ସାଇବର ଠକେଇ। ଏଥର ଠକାମିର ଶିକାର ହୋଇଛନ୍ତି ଜଣେ ଶିକ୍ଷିତ ବ୍ୟାଙ୍କ୍‌ ମ୍ୟାନେଜର। ଅନ୍‌ଲାଇନ୍‌ କାରବାରରେ ବେଶ୍ ଦକ୍ଷତା ରଖୁଥିବା ଏହି ମ୍ୟାନେଜରବାବୁ ନିଜର ମୋବାଇଲ୍ ସିମ୍‌କୁ ୪-ଜିରୁ ୫-ଜି କରିବା ଚକ୍କରରେ ପଡ଼ି ନିଜ ଆକାଉଣ୍ଟ୍‌ରୁ ୫ଥରରେ ମୋଟ୍ ୭ଲକ୍ଷ ଟଙ୍କା ହରାଇଛନ୍ତି। ବ୍ୟାଙ୍କ ମ୍ୟାନେଜର ଏନେଇ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କଲା ପରେ ଘଟଣା ପଦାକୁ ଆସିଛି।

Advertisment

ମ୍ୟାନେଜରଙ୍କ ଅଭିଯୋଗ ଅନୁସାରେ, ସେ ଅନୁଗୁଳ ସହରରେ ଏକ ଘରୋଇ ବ୍ୟାଙ୍କ୍‌ର ଶାଖା ପରିଚାଳକ ଭାବେ କାମ କରୁଥିଲେ। ସେ ଯେଉଁ ବ୍ୟାଙ୍କ୍‌ରେ ଚାକିରି କରୁଥିଲେ, ସେହି ବ୍ୟାଙ୍କ୍‌ ଆକାଉଣ୍ଟରେ ତାଙ୍କର ୧୨ଲକ୍ଷ ଟଙ୍କା ଥିଲା। ଗତକାଲି ହଠାତ୍‌ ତାଙ୍କୁ ଏକ ଅଜଣା ମୋବାଇଲ୍‌ରୁ କଲ୍‌ ଆସିଲା। ଠକ ନିଜକୁ ଏୟାରଟେଲ୍‌ ଅଫିସର ବୋଲି ଦର୍ଶାଇଥିଲା। କହିଥିଲା, ଆପଣଙ୍କ ଏୟାରଟେଲ୍ ସିମ୍‌କୁ ୪-ଜିରୁ ୫-ଜିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି? ମ୍ୟାନେଜର ବାବୁ ସେୟା ବି ଚାହୁଁଥିଲେ। ସାଙ୍ଗେ ସାଙ୍ଗେ ଠକ କଥାରେ ହଁ ଭରିଥିଲେ। ମ୍ୟାନେଜର ବାବୁଙ୍କ ହଁ ଶୁଣି, ସେପଟୁ ମ୍ୟାନେଜରଙ୍କ ମୋବାଇଲ୍‌କୁ ଏକ ଲିଙ୍କ୍‌ ପଠାଇଥିଲା ଠକ। ତା’ ସହିତ ଏକ ମୋବାଇଲ୍ ନମ୍ବର ବି ଦେଇଥିଲା। ଏହି ଲିଙ୍କ୍‌କୁ ସେହି ମୋବାଇଲ୍ ନମ୍ବରରେ ସେୟାର କରିବାକୁ କହିଥିଲା। ଠକ କଥାକୁ ପୂରା ବିଶ୍ବାସ କରି ବ୍ୟାଙ୍କ୍‌ ମ୍ୟାନେଜର ଲିଙ୍କ୍‌କୁ ମୋବାଇଲ୍‌ ନମ୍ବରରେ ସେୟାର କରି ଦେଇଥିଲେ। ତା’ପରଠାରୁ ତାଙ୍କ ଆକାଉଣ୍ଟ୍‌ରୁ ଟଙ୍କା କଟିବା ଆରମ୍ଭ ହୋଇଥିଲା। ଆଇଏମ୍‌ପିଏସ୍‌ ଜରିଆରେ ତିନିଥରରେ ତାଙ୍କ ଆକାଉଣ୍ଟ୍‌ରୁ ମୋଟ୍ ୪ଲକ୍ଷ ଟଙ୍କା କଟିଥିବା ବେଳେ ଆର୍‌ଟିଜିଏସ୍‌ରେ ଦୁଇ ଲକ୍ଷ ଏବଂ ଏନ୍‌ଇଏଫ୍‌ଟି ଜରିଆରେ ଏକ ଲକ୍ଷ ଟଙ୍କା ଆକାଉଣ୍ଟ୍‌ରୁ କଟିଛି ବୋଲି ବ୍ୟାଙ୍କ୍‌ ମ୍ୟାନେଜର ନିଜ ଏତଲାରେ ଦର୍ଶାଇଛନ୍ତି।

ଅଭିଯୋଗ କ୍ରମେ ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜଣେ ଶିକ୍ଷିତ ଲୋକ ଏମିତି ସାଇବର ଠକେଇର ଶିକାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।