କଟକ : ମଧୁପାଟଣା ଘାଟକୂଳ ଅଞ୍ଚଳରେ ଟ୍ରକ ଧକ୍କାରେ ଜଣେ ଯୁବ ବ୍ୟାଙ୍କ ମ୍ୟାନେଜର୍ଙ୍କ ପ୍ରାଣ ଯାଇଛି। ମୃତକ ବୟାଳିଶମୌଜା ପାଟଣାର ସ୍ମରଜିତ୍ ବାରିକ(୩୨)। ଦୁର୍ଘଟଣାରେ ତାଙ୍କ ମୃତ୍ୟୁକୁ କେନ୍ଦ୍ର କରି ଗ୍ରାମବାସୀ ୧୬ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ଘଣ୍ଟାଏ କାଳ ରାସ୍ତାରୋକ କରିଥିଲେ। ଏଥିପାଇଁ ଶହ ଶହ ଗାଡ଼ି ଅଟକି ରହିଥିଲା । ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡ୍କ୍ରସ ପାଣ୍ଠିରୁ ସହାୟତା ରାଶି ଦେବାକୁ ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ଓହରିଥିଲେ। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ର ହେଲ୍ପରକୁ ମଧୁପାଟଣା ଥାନା ପୁଲିସ ଅଟକ ରଖିଥିବା ସୂଚନା ମିଳିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ସ୍ୱର୍ଗତ ଲକ୍ଷ୍ମୀଧର ବାରିକଙ୍କ ପୁଅ ସ୍ମରଜିତ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଆଜି ଦିନ ପ୍ରାୟ ୧୧ଟା ବେଳେ ବୟାଳିଶମୌଜାରୁ କଟକ ଏକ ନୂଆ ହୋଣ୍ଡ ଆକ୍ଟିଭା ଗାଡ଼ିରେ ଆସୁଥିଲେ। ଏହି ସମୟରେ ଘାଟକୂଳ ନିକଟରେ ପଛପଟୁ ଆସୁଥିବା ଏକ ଖାଲି ଟ୍ରକ୍(ଓଆର୍ ୦୧ ଏଚ୍ ୨୯୮୨) ତାଙ୍କୁ ଧକ୍କା ଦେଇଥିଲା । ଗାଡ଼ି ଚକା ତାଙ୍କ ଉପରେ ଚଢ଼ିଯିବା ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠି ସ୍ମରଜିତ୍ଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା । ଅପରାହ୍ନ ପ୍ରାୟ ସାଢ଼େ ଚାରିଟା ବେଳେ ତାଙ୍କ ପରିବାର ଏବଂ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ପ୍ରେସ୍ ଛକରେ ରାସ୍ତା ରୋକ କରିଥିଲେ । ଅପରାହ୍ନ ପ୍ରାୟ ସାଢ଼େ ୫ଟା ପର୍ଯ୍ୟନ୍ତ ରାସ୍ତା ରୋକ୍ କରିବା ସହିତ ରାସ୍ତାରେ ଟାୟାର ଜାଳିଥିଲେ ।
ପରିସ୍ଥିତି ଅଣାୟତ ହେବାରୁ ଏସିପି ଅନିଲ ମିଶ୍ର, ଟ୍ରାଫିକ ଏସିପି ପ୍ରଦୀପ ଦଳାଇ, ବାଦାମବାଡ଼ି ଥାନା ଇନ୍ସ୍ପେକ୍ଟର ବିରଞ୍ଚି ପତି, ପୁରୀଘାଟ ଥାନା ଇନ୍ସ୍ପେକ୍ଟର ତାପସ ପ୍ରଧାନ ପ୍ରମୁଖ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ । ମୃତ ସ୍ମରଜିତଙ୍କ ପାଇଁ ଗ୍ରାମବାସୀମାନେ କ୍ଷତିପୂରଣ ଦାବି କରିବା ସହିତ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ବୟାଳିଶମୌଜା ବାଲିଘାଟକୁ ବାଲି ଗାଡ଼ି ଚଳାଚଳ ବନ୍ଦ କରିବାକୁ ଦାବି କରିଥିଲେ ପୁଲିସ ସେମାନଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବାରୁ ଧାରଣରୁ ଲୋକେ ଓହରିିଥିଲେ। ଅନ୍ୟପଟେ ଗାଡ଼ିର ହେଲ୍ପର ବିହାର ରାଜ୍ୟ ମୁଙ୍ଗେର୍ର ନିଲେଶ କୁମାରକୁ ପୁଲିସ ଗିରଫ କରିଥିବା ବେଳେ ଟ୍ରକ ଡ୍ରାଇଭର୍ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲା। ଗାଡ଼ିଟି ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି । ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିଥିବା ଏସିପି ଅନିଲ ମିଶ୍ର କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ସ୍ମରଜିତ୍ ଗଲା କିଛି ମାସ ତଳେ ବିବାହ କରିଥିଲେ।