ବୃଦ୍ଧାଙ୍କୁ ଖଟିଆରେ ଘୋଷାଡ଼ି ଘୋଷାଡ଼ି ବ୍ୟାଙ୍କ ନେବା ଘଟଣାରେ ମ୍ୟାନେଜର ଅଜିତ ପ୍ରଧାନ ନିଲମ୍ବିତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରୁ ଦୁଇଦିନ ତଳେ ଏକ ଅଭାବନୀୟ ଘଟଣାର ଦୃଶ୍ୟ ସାମ୍ନାକୁ ଆସିଥିଲା। ବ୍ୟାଙ୍କ ମ୍ୟାନେଜରଙ୍କ କହିବାନୁସାରେ ଜଣେ ଝିଅ ଚାଲିବାକୁ ଅକ୍ଷମ ଥିବା ମା’ଙ୍କ ଜନଧନ ଯୋଜନାର ଟଙ୍କା ଉଠାଇବା ପାଇଁ ବାଧ୍ୟ ହୋଇ ଦଉଡିଆ ଖଟରେ ମା’କୁ ଶୁଆଇ ଘୋଷାଡ଼ି ଘୋଷାଡି ବ୍ୟାଙ୍କ ପର୍ଯ୍ୟନ୍ତ ନେଇଥିଲେ। ଏହି ଘଟଣାର ଦୃଶ୍ୟ ପ୍ରଘଟ ହେବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଆଜି ଏହି ପ୍ରସଙ୍ଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବରଗାଁ ଶାଖାର ମ୍ୟାନେଜର ଅଜିତ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଦଉଡିଆ ଖଟରେ ଟଣା ହୋଇ ଯାଉଥିବା ବୃଦ୍ଧା ମହିଳା ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ବଗାଁର ଲବେ ବାଗ୍‌। ଜନଧନ ଯୋଜନାରେ ମହିଳାଙ୍କ ଖାତାକୁ ତିନି ମାସରେ ୧୫ଶହ ଟଙ୍କା ଆସିଥିଲା । ଆଉ ଟଙ୍କା ଉଠାଇବା ପାଇଁ ତାଙ୍କ ଝିଅ ଯେତେବେଳେ ସ୍ଥାନୀୟ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଯାଇଥିଲେ। ବ୍ୟାଙ୍କ କର୍ମଚାରୀ ମା’ ନଆସିଲେ ଟଙ୍କା ମିଳିବ ନାହିଁ ବୋଲି କହିଥିଲେ। ଗାଡ଼ିଘୋଡ଼ାର ସୁବିଧା ନ ଥିବାରୁ ଝିଅ ବାଧ୍ୟ ହୋଇ ଚାଲିବାକୁ ଅକ୍ଷମ ଥିବା ମା’କୁ ଦଉଡିଆ ଖଟିଆରେ ଟାଣିଟାଣି ବ୍ୟାଙ୍କ ପର୍ଯ୍ୟନ୍ତ ନେବାକୁ ବାଧ୍ୟ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର