ହିତାଧିକାରୀଙ୍କ ଖାତାରୁ ବ୍ୟାଙ୍କମିତ୍ର ଟଙ୍କା ଉଠାଇ ନେଇଥିବା ଅଭିଯୋଗ

ରିଆମାଳ: ହିତାଧିକାରୀ ଟଙ୍କା ଉଠାଇବାକୁ ଗଲେ ସେମାନଙ୍କ ଖାତାରୁ ବ୍ୟାଙ୍କମିତ୍ର ଟଙ୍କା ଉଠାଇ ନେଇ ଯାଉଛନ୍ତି। ଏମିତି ଶୋଷଣର ଶିକାର ହୋଇଥିବା ରିଆମାଳ ବ୍ଲକ ଟୁହିଲାମାଳ ଗ୍ରାମର ଗୋପ ପ୍ରଧାନ ରିଆମାଳ ଥାନା ଓ ୟୁନିୟନ ବ୍ୟାଙ୍କର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଗୋପଙ୍କ ଅଭିଯୋଗ ଅନୁଯାୟୀ ୟୁନିୟନ ବ୍ୟାଙ୍କରେ ତାଙ୍କର ଆକାଉଣ୍ଟ ରହିଛି। ଗତ ୨୭ ତାରିଖ ଦିନ ଟଙ୍କା ଉଠାଇବାକୁ ସେହି ଅଞ୍ଚଳର ୟୁନିୟନ ବ୍ୟାଙ୍କମିତ୍ର ଥିବା ଖୁଣ୍ଟାବନ୍ଧ ଗ୍ରାମର ଶେଷଦେବ ଦେହୁରୀ ପାଖକୁ ଯାଇଥିଲେ। ସେ ମାତ୍ର ୪୦୦ ଟଙ୍କା ଦେଇଥିଲେ।

ଖାତାରେ ବାକି କେତେ ଟଙ୍କା ଅଛି ବୋଲି ଜାଣିବାକୁ ବ୍ୟାଙ୍କ ଆସିବାରୁ ଜଣା ପଡିଲା ତାଙ୍କ ଖାତାରୁ ୪ ହଜାର ୪ ଶହ ଟଙ୍କା ଉଠାଇ ନିଆ ଯଇଛି। ସେ ବିଷୟରେ ଥାନା ଓ ବ୍ୟାଙ୍କର ଦ୍ବାରସ୍ଥ ହୋଇଛନ୍ତି। ଗ୍ରାମାଞ୍ଚଳରେ ଲୋକଙ୍କୁ ବ୍ୟାଙ୍କିଂ ସେବା ଯୋଗାଇ ଯୋଗାଇବାକୁ ସରକାର ଏହା ଆରମ୍ଭ କରିଥିଲେ। ମାତ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ନିଆଯାଉଥିବା ଅଭିଯୋଗ ଚାରିଆଡେ ଆଲୋଡନ ସୃଷ୍ଟି କରିଛି। ଏ ବାବଦରେ ରିଆମାଳ ୟୁନିୟନ ବ୍ୟାଙ୍କ୍ ଶାଖା ପରିଚାଳକ ନିହାର ରଞ୍ଜନ କିଷାନଙ୍କୁ ପଚାରିବାରୁ ସେ ଏହି ଘଟଣା ବାବଦରେ ବ୍ୟାଙ୍କମିତ୍ରକୁ ପଚାରିଛନ୍ତି। ସେ ଟଙ୍କା ଦେଇଥିବା ନେଇ କହିଛି ବୋଲି ପ୍ରକାଶ କରିଛନ୍ତି। ସୋମବାର ହିତାଧିକାରୀ ଓ ବ୍ୟାଙ୍କମିତ୍ରକୁ ସାମ୍ନାସାମ୍ନି କରି ତଦନ୍ତ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର