ଲକ୍‌ଡାଉନ୍‌ ପାଇଁ କୌଣସି ବ୍ୟାଙ୍କ ବନ୍ଦ ହେବନି, ଦିନେ ଛଡ଼ା ଦିନେ ଖୋଲିବା କଟକଣା ପ୍ରତ୍ୟାହାର ହେବ

କେତେ ମହିଳା ଜନଧନ ହିତାଧିକାରୀ ଅର୍ଥ ପାଇବେ ହିସାବ ଚାଲିଛି
ଏଟିଏମ୍‌ରେ ଟଙ୍କା ଅଛି; କୌଣସି ସମସ୍ୟା ଉପୁଜିବାର ନାହିଁ

ଭୁବନେଶ୍ବର : କରୋନା କଟକଣା ପରିପ୍ରେକ୍ଷୀରେ ଯେଉଁ ସବୁ ବ୍ୟାଙ୍କକୁ ଦିନେ ଛଡ଼ା ଦିନେ ଖୋଲିବାକୁ ଅନୁମତି ଦିଆଯାଇଥିଲା, ତାହାକୁ ପ୍ରତ୍ୟାହାର କରି ନିଆଯିବ। ଆସନ୍ତା ସୋମବାରଠାରୁ କିଛି ଜିଲ୍ଲାରେ ଗ୍ରାମାଞ୍ଚଳ ବ୍ୟାଙ୍କମାନେ ଜିଲ୍ଲା ପ୍ରଶାସନଠାରୁ ଏମିତି ଅନୁମତି ହାସଲ କରିଥିଲେ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ଜନଧନ ଆକାଉଣ୍ଟଧାରୀଙ୍କ ପାଇଁ ଯେଉଁ ୨ହଜାର ଟଙ୍କା ଲେଖାଏଁ ମିଳିବ ବୋଲି ଘୋଷଣା କରିଛନ୍ତି, ହିତାଧିକାରୀ କିଭଳି ସୁବିଧାରେ ଏ ଅର୍ଥ ପାଇପାରିବେ, ସେ ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ପକ୍ଷରୁ ସଂଜୟ କୁମାର ‘ସମ୍ବାଦ’କୁ ଏଭଳି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରିପ୍ରେକ୍ଷୀରେ ଓଡ଼ିଶାର କେତେ ମହିଳା ଜନଧନ ଆକାଉଣ୍ଟଧାରୀ ଉପକୃତ ହେବେ, ତାହା ଜଣାପଡ଼ି ନାହିଁ। ଏ ନେଇ ବ୍ୟାଙ୍କମାନେ ତଥ୍ୟ ଦେଇ ସାରିଛନ୍ତି ଓ ଆସନ୍ତା ସୋମବାର ସୁଦ୍ଧା ପ୍ରକୃତ ଛବି ସାମ୍ନାକୁ ଆସିବ ବୋଲି ଶ୍ରୀ କୁମାର କହିଛନ୍ତି।

ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲକଡାଉନ କଟକଣା ପରେ କିଛି ବ୍ୟାଙ୍କ କାର୍ଯ୍ୟ ବନ୍ଦ କରିବା ଲାଗି ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲେ। ଅର୍ଥ ବିଭାଗର ଅଧିକାରୀମାନଙ୍କ ଯୁକ୍ତି ଥିଲା, କୌଣସି ପରିସ୍ଥିତିରେ ଆର୍ଥିକ ବର୍ଷ ଶେଷରେ ବ୍ୟାଙ୍କ ବନ୍ଦ ହେବା ଉଚିତ ନୁହେଁ। କେବଳ ସେତିକି ନୁହେଁ, ଗୋଟିଏ ପଟେ ଲୋକେ ଲକଡାଉନରେ ଅଛନ୍ତି, ଏଭଳି ସ୍ଥିତିରେ ଯଦି ବ୍ୟାଙ୍କ ବନ୍ଦ ହୁଏ ଏବଂ ଏହି କାରଣରୁ ଏଟିଏମ୍‌ରେ ଟଙ୍କା ନ ରହେ, ତେବେ ସ୍ଥିତି ଅତି ସାଂଘାତିକ ରୂପ ନେବ। କେବଳ ସେତିକି ନୁହେଁ, ବ୍ୟାଙ୍କିଙ୍ଗ୍ କାରବାର କୌଣସି ପରିସ୍ଥିତିରେ ବି ପ୍ରଭାବିତ ହେଲେ, ତାହା ଜନଜୀବନକୁ ଅତି ବିପଜ୍ଜନକ ସ୍ତରକୁ ନେଇଯାଇପାରେ। ଏଣୁ ଅର୍ଥ ବିଭାଗ ବ୍ୟାଙ୍କ ପାଇଁ କୋହଳ ନୀତିକୁ ଅଗ୍ରାହ୍ୟ କରିଦେଇ ଚତୁରତାର ସହିତ ଜିଲ୍ଲାପାଳଙ୍କ ପାଖକୁ ବଲ୍ ଫିଙ୍ଗିଥିଲେ। ଅର୍ଥାତ୍ ଜିଲ୍ଲାପାଳମାନେ ଅନୁମତି ଦେଲେ ଯାଇ ବ୍ୟାଙ୍କ ବନ୍ଦ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ ସୂଚାଇ ଦିଆଯାଇଥିଲା।

ହସ୍ତଗତ ହୋଇଥିବା ଖବର ଅନୁସାରେ, କିଛି ଜିଲ୍ଲାର ଜିଲ୍ଲାପାଳ ଗ୍ରାମାଞ୍ଚଳ ବ୍ୟାଙ୍କକୁ ଦିନେ ଛଡ଼ା ଦିନେ କରିବା ଲାଗି ଅନୁମତି ଦେଇଥିଲେ। ଆସନ୍ତା ସୋମବାରଠାରୁ ଏହା କାର୍ଯ୍ୟକାରୀ କରାଯାଇଥାନ୍ତା। ମାତ୍ର ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ୟାକେଜ୍ େଘାଷଣା କରିଛନ୍ତି ଓ ଏବେ ମହିଳା ଜନଧନ ଆକାଉଣ୍ଟଧାରୀମାନେ ବ୍ୟାଙ୍କ ଆସି ସେମାନଙ୍କ ଅର୍ଥ ନେବେ। ଏଣୁ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଏହି ଅନୁମତି ପ୍ରତ୍ୟାହାର କରିନିଆଯିବ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସାଂପ୍ରତିକ ପରିସ୍ଥିତିରେ କମ୍ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଚାଲିଛି। ସମସ୍ତ ବ୍ୟାଙ୍କର ଏଟିଏମରେ ଟଙ୍କା ଅଛି ଓ କୌଣସି ସମସ୍ୟା ଉପୁଜିବାର ନାହିଁ। ତେବେ ବ୍ୟାଙ୍କରେ ହିତାଧିକାରୀମାନେ ଅଯଥା ଗହଳି ନ କରିବା ତଥା ସାମାଜିକ ଦୂରତ୍ବ ରଖିବା ଦିଗରେ ସଜାଗ ହେବା ଉଚିତ ହେବା ଉଚିତ।

ସମ୍ବନ୍ଧିତ ଖବର