ଭୁବନେଶ୍ବର/ବାଲେଶ୍ବର: ଓଡ଼ିଶାର ବାଲେଶ୍ବରରେ ସ୍ଥାପନ ହେବ ବ୍ୟାଙ୍କ ନୋଟ ପେପର ମିଲ୍ । ଏ ନେଇ ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ।
ଆଜି ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କମ୍ପାନିର ଓଡ଼ିଶା ପ୍ରକଳ୍ପ ସଂପର୍କରେ ତାଙ୍କୁ ଅବଗତ କରାଇଛନ୍ତି । ବାଲେଶ୍ବର ପ୍ରକଳ୍ପରେ କମ୍ପାନି ପ୍ରାୟ ୨୫୦୦ କୋଟି ଟଙ୍କା ନିବେଶ କରିବ । ଏହି ପ୍ରକଳ୍ପକୁ ଓଡ଼ିଶା ସରକାର ସବୁପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ମଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ବାସନା ପ୍ରଦାନ କରିଛନ୍ତି । ଏହି ଅବସରରେ ୫ଟି ସଚିବ ଭି.କେ.ପାଣ୍ଡିଆନ ଉପସ୍ଥିତ ଥିଲେ ।
ଗତକାଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ)ର ତିନିଜଣିଆ ଟିମ୍ ବାଲେଶ୍ବର ଗସ୍ତରେ ଆସି ଜମି ଅନୁଧ୍ୟାନ କରି ଫେରିଥିଲେ। ରେମୁଣା ତହସିଲ ଅଧୀନ ଚଷାଖଣ୍ଡ ପଞ୍ଚାୟତ ପଦାବଡ଼ଗାଁ, ନରହରିପୁର ଓ ବାଉଁଶମୁହାଁ ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ଜମିକୁ ଅନୁଧ୍ୟାନ କରିଥିଲେ। ଏଥିରୁ ପଦାବଡ଼ଗାଁ ଓ ନରହରିପୁର ଅଞ୍ଚଳରେ ଥିବା ଜମିକୁ ଏହି ଟିମ୍ ପସନ୍ଦ କରିଥିବା ଜଣାଯାଇଛି।
ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ହେଉଛି ସିକ୍ୟୁରିଟି ପ୍ରିଣ୍ଟିଂ ଏଣ୍ଡ ମିଣ୍ଟିଂ କର୍ପୋରେସନ ଅଫ ଇଣ୍ଡିଆ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡର ଏକ ଯୌଥ ଉଦ୍ୟୋଗ । ଏହି କମ୍ପାନିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତକୁ ବ୍ୟାଙ୍କ ନୋଟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା । ଏବେ କର୍ଣ୍ଣାଟକର ମହୀଶୂରରେ ଏହାର କାରଖାନା ରହିଛି । ଏହି କାରଖାନାର ଉତ୍ପାଦନ କ୍ଷମତା ବାର୍ଷିକ ୧୨ ହଜାର ଟନ । ସୂଚନାଯୋଗ୍ୟ ଯେ ଭାରତକୁ ବ୍ୟାଙ୍କ ନୋଟ ଉତ୍ପାଦନ ଓ ପ୍ରିଣ୍ଟିଂ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଉପରେ ରିଜର୍ଭ ବ୍ୟାଙ୍କ ଓ ଭାରତ ସରକାର ଉଦ୍ୟମ କରୁଛନ୍ତି । ନୋଟ ପ୍ରିଣ୍ଟିରେ ଲାଗୁଥିବା ସବୁ ସାମଗ୍ରୀ ଓ କଞ୍ଚାମାଲ ଭାରତରେ ଉତ୍ପାଦନ ପାଇଁ ଉଦ୍ୟମ କରାଯାଉଛି ।
ବ୍ୟାଙ୍କ ନୋଟ୍ ପେପର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରାନ୍ ପ୍ରାଇଭେଟ୍ ଲିମିଟେଡ ମିଳିତ ଉଦ୍ୟମରେ ଏହି କାରଖାନା ବାଲେଶ୍ବରରେ ସ୍ଥାପନ କରାଯିବ। ଏହି ପ୍ରକଳ୍ପ ପାଇଁ ୧୦୦ ଏକର ଜମି ଆବଶ୍ୟକ ହେଉଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ସହଯୋଗ କରିବାକୁ ପ୍ରତିନିଧି ଦଳ ଅନୁରୋଧ କରିଥିଲେ। ପ୍ରକଳ୍ପରେ ରାଜ୍ୟ ସରକାର ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/WhatsApp-Image-2022-07-13-at-4.10.02-PM.jpeg)