କଟକ : ବକ୍ସିବଜାର ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ୫ ଲକ୍ଷ ଟଙ୍କାର ଋଣ କେଳେଙ୍କାରୀ ମାମଲାରେ ବ୍ୟାଙ୍କ୍ ମ୍ୟାନେଜରଙ୍କ ସମ୍ପୃକ୍ତି ପ୍ରମାଣ ମିଳିଛି। ଗିରଫ ଭୟରେ ବ୍ୟାଙ୍କ ମ୍ୟାନେଜର ରାଜେନ୍ଦ୍ର କୁମାର ବେହେରା କୋର୍ଟରେ ଆତ୍ମସମର୍ପଣ କରିଥିବା ବେଳେ ଫିଲ୍ଡ ଅଫିସର ରାଜ୍ୟ ବାହାରକୁ ବଦଳି ହୋଇ ପଳାଇଛନ୍ତି। କେଳେଙ୍କାରୀରେ ତିନି ଜଣ ଧରାପଡ଼ିଥିବା ବେଳେ ଆହୁରି ଦୁଇ ଜଣଙ୍କୁ ପୁଲିସ ଖୋଜୁଥିବା ସୂଚନା ମିଳିଛି।
ଚାଉଳିଆଗଞ୍ଜ ଥଟ୍ଟାରିସାହିର ଜଗବନ୍ଧୁ ସାହୁଙ୍କର ମସଲା ବ୍ୟବସାୟ କରିବାକୁ ଅର୍ଥର ଆବଶ୍ୟକ ପଡ଼ିଥିଲା। ତାଙ୍କୁ ସେହି ସାହିର ପ୍ରମୋଦ କୁମାର ସାହୁ ବକ୍ସିବଜାର ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଋଣ କରାଇ ଦେବାକୁ କହିଥିଲେ। ୨୦୨୦ରେ ଜଗବନ୍ଧୁ ଋଣ ଆବେଦନ କରିଥିଲେ। ତାଙ୍କୁ ୯ ଲକ୍ଷ ୯୦ ହଜାର ଟଙ୍କା ଋଣ ପାଇଁ ମଞ୍ଜୁରି ମିଳିଥିଲା। ଋଣ ମିଳିବାର ଦୁଇ ଦିନ ପରେ ଜଗବନ୍ଧୁଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। ଏହି ଟଙ୍କା ମହାନଦୀ ବିହାରରେ ରହୁଥିବା ଗଞ୍ଜାମର କିଶନ କୁମାର ଜେନାର ଆକାଉଣ୍ଟକୁ ଟ୍ରାନସଫର ହୋଇଥିଲା। ଜଗବନ୍ଧୁ ପ୍ରଥମେ କ୍ରାଇମବ୍ରାଞ୍ଚରେ ଏତଲା ଦେଇଥିଲେ। ପରେ କୋର୍ଟ ମାଧ୍ୟମରେ କ୍ୟାଣ୍ଟନମେଣ୍ଟ ଥାନାରେ ଗଲା ୨୦୨୧ ଡିସେମ୍ବର ୨୮ ତାରିଖରେ ଏତଲା ଦେଇଥିଲେ। ପୁଲିସ ଏହି ଠକେଇ ମାମଲାରେ ଗଲା ଏପ୍ରିଲରେ ପ୍ରମୋଦକୁ ଗିରଫ କରିଥିଲା। କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ପ୍ରମୋଦକୁ ଋଣ କେଳେଙ୍କାରୀ ମାମଲାରେ ରିମାଣ୍ଡରେ ଆଣିଥିଲା। ନିକଟରେ କିଶନ ଜେନାକୁ ବି ପୁଲିସ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/bank-of-baroda.jpg)