ହଜାରେ ପାଇଁ ପାହାରେ: ଟଙ୍କା ନେବାକୁ ରୁଣ୍ଡ ହୋଇଥିବାବେଳେ ପହଞ୍ଚିଲା ପୁଲିସ, ବ୍ୟାଙ୍କ ଭୁଲିଗଲା ସାମାଜିକ ଦୂରତ୍ୱର କଥା

ଜୟପୁର:  ହଜାରେ ଟଙ୍କା ନେବାକୁ ଆସିଲେ ପାହାରେ ଖାଇଲେ | କୋରାପୁଟ ଜିଲ୍ଲାର  ଜୟପୁରସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଜୟପୁର ନିକଟସ୍ଥ ଫାମ୍ପୁନି, ବଡଜିଉନା, ଏକମ୍ବା ସମେତ ଅଧିକାଂଶ ଗ୍ରାମର ବହୁ ସଂଖ୍ୟାରେ ଆଦିବାସୀ ଲୋକ ସେମାନଙ୍କ ଜମାଖାତାରୁ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ | ସେମାନଙ୍କ ଜନଧନ ଆକାଉଣ୍ଟରେ ହଜାରେ ଟଙ୍କା ଲେଖାଏଁ ଜମା ହୋଇଥିବାର ଶୁଣି ବହୁ ସଂଖ୍ୟାରେ ମହିଳାମାନେ ସହରର ମୁଖ୍ୟ ରାସ୍ତାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଆସିଥିଲେ |

୨୦ କିଲୋମିଟର ଦୂରରୁ ଚାଲି ଚାଲି ମହିଳାମାନେ ଆସିଥିବା ବେଳେ ଶହ ଶହ ସଂଖ୍ୟାରେ ବ୍ୟାଙ୍କ ସାମ୍ନାରେ ରୁଣ୍ଡ ହୋଇଥିଲେ | ସାମାଜିକ ଦୂରତ୍ୱକୁ ନ ମାନି ଶହ ଶହ ସଂଖ୍ୟାରେ ମହିଳା ରୁଣ୍ଡ ହୋଇଥିବା ଜାଣି ପୁଲିସ ସେଠାରେ ପହଂଚି ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଲକଡାଉନ୍ ନିୟମ ମାନି ନଥିବା ଓ ସାମାଜିକ ଦୂରତା ବଜାୟ ରଖି ନଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

 

ତେବେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ବ୍ୟାଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନଥିବାବେଳେ ପୁଲିସ ପହଂଚି ନିରୀହ ଆଦିବାସୀ ମହିଳାମାନଙ୍କୁ ଘଉଡାଇଥିଲା | ତେବେ ପ୍ରଶାସନ ଓ ବ୍ୟାଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନ କରାଯାଇ ମହିଳାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି |

ସମ୍ବନ୍ଧିତ ଖବର