ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣାର ପର୍ଦ୍ଦାଫାସ

କିଙ୍ଗ୍‌ପିନ୍‌ ସମେତ ୨ ଗିରଫ, ବ୍ଲାକ୍‌ମେଲିଂରୁ ଆତ୍ମହତ୍ୟା

ସୋନପୁର: ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୁଲିସ। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଘଟଣାର କିଙ୍ଗ୍‌ପିନ୍‌ ରାଜସ୍ଥାନ ଅଲୱାର ଜିଲ୍ଲା ତିଜରା ଥାନା ଜାଇରୋଲିର ମେହେବୁବ (୩୧) ଓ ତା’ର ଶାଳକ ସର‌ହେତାର ଆଦିଲ (୧୯)। ଉଭୟ ସାଇବର ଠକ ଏବଂ ନ୍ୟୁଡ୍‌କଲ୍‌ କରି ଦିବ୍ୟରଞ୍ଜନଙ୍କୁ ବ୍ଲାକମେଲ କରୁଥିବା ତଦନ୍ତରୁ ଜଣାପଡ଼ିଛି।

ଏ ସମ୍ପର୍କରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଅମରେଶ ପଣ୍ଡା ସବିଶେଷ ସୂଚନା ଦେଇଛନ୍ତି। ପୁଲିସ୍‌ ସୂଚନାନୁସାରେ, ଗତ ଅଗଷ୍ଟ ୧୦ ତାରିଖ ଦିନ ବଲାଙ୍ଗୀର–ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ଚେରୁପାଲି ନିକଟସ୍ଥ ଅଙ୍ଗନଦୀ ପୋଲରୁ ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ନିଖୋଜ ହୋଇ ଯାଇଥିଲେ। ଅଗଷ୍ଟ ୧୩ ତାରିଖ ଦିନ ଓଡ୍ରାଫ୍‌ ଟିମ ଲଛିପୁର ଅଙ୍ଗନଦୀରେ ଖୋଜାଖୋଜି କରି ତାଙ୍କ ମୃତଦେହ ପାଇଥିଲେ। ବଲାଙ୍ଗୀର ଶାନ୍ତିପଡ଼ାରେ ରହୁଥିବା ଦିବ୍ୟରଞ୍ଜନ ବରଗଡ଼ ଜିଲ୍ଲା ବରପାଲିସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ର ଏଗ୍ରିକଲ୍‌ଚର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ସବୁ ଦିନ ଭଳି ସେ ଅଗଷ୍ଟ ୧୦ ତାରିଖ ଦିନ କାମକୁ ଯାଇଥିଲେ। ସୋନପୁର ବିନିକା ଅଞ୍ଚଳକୁ ଫିଲ୍‌ଡ ଡ୍ୟୁଟିରେ ଯାଇ ଘରକୁ ଫେରିବାର ଥିଲା। ସନ୍ଧ୍ୟା ୬ଟାରେ ପତ୍ନୀଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ ଓ ସେ ଫେରୁଥିବା ସୂଚନା ଦେଇଥିଲେ।

ହେଲେ ଫେରିଲେ ନାହିଁ କି ଆଉ ପରିବାରର କାହା ଫୋନ୍‌ ଉଠାଇଲେ ନାହିଁ। ଅଙ୍ଗନଦୀର ଚେରୁପାଲି ପୋଲ ନିକଟରେ ଏକ ବାଇକ୍‌ ରଖାଯାଇଥିବା ଖବର ପାଇ ପରିବାର ଲୋକେ ପହଞ୍ଚି ଉକ୍ତ ବାଇକ୍‌ ଓ ହେଲ୍‌ମେଟ୍‌କୁ ଚିହ୍ନଟ କରିଥିଲେ। ଏ ନେଇ ଡୁଙ୍ଗୁରିପାଲି ଥାନାରେ ସୂଚନା ଦେବା ପରେ ପୁଲିସ୍‌ ଟିମ୍‌ ଖୋଜାଖୋଜି ଆରମ୍ଭ କରିଥିଲା। ତଦନ୍ତ ବେଳେ ଦିବ୍ୟରଞ୍ଜନ ପୋଲ ତଳକୁ ଡେଇଁଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଜାଣିବାକୁ ପାଇଥିଲା। ଫଳରେ ଓଡ୍ରାଫ୍‌ ଟିମ ଏବଂ ଅଗ୍ନିଶମ ବିଭାଗର ସହାୟତା ନିଆଯାଇଥିଲା। ସେମାନେ ଅଙ୍ଗନଦୀର ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରି ଦିବ୍ୟରଞ୍ଜନଙ୍କ ମୃତଦେହ ଲଛିପୁର ନିକଟରୁ ପାଇଥିଲେ।

ମୃତ ଦିବ୍ୟରଞ୍ଜନଙ୍କ ବାପା କେଶବ ଚରଣ ମିଶ୍ରଙ୍କ ଲିଖିତ ଏତଲା ଭିତ୍ତିରେ ଡୁଙ୍ଗୁରିପାଲି ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଅଭିଯୁକ୍ତମାନେ ଦିବ୍ୟରଞ୍ଜନଙ୍କୁ ନ୍ୟୁଡ୍‌କଲ୍‌ କରି ବ୍ଲାକମେଲ କରୁଥିଲେ। କିଙ୍ଗ୍‌ପିନ ମେହେବୁବ ନିଜକୁ ସିବିଆଇ ଅଧିକାରୀ କହି ଦିବ୍ୟରଞ୍ଜନକୁ ଗିରଫ କରିବାର ଭୟ ଦେଖାଇ ବ୍ଲାକମେଲ୍‌ କରିଥିଲା। ଫଳରେ ଭୟଭୀତ ଦିବ୍ୟରଞ୍ଜନ ଅଭିଯୁକ୍ତମାନଙ୍କୁ ତାଙ୍କ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକଉଣ୍ଟକୁ ୪୦ ଥରରେ ମୋଟ ୨୬ ଲକ୍ଷ ୧୫ ହଜାର ୭୧୦ ଟଙ୍କା ଅନ୍‌ଲାଇନ୍‌ ଟ୍ରାନ୍ସଫର୍‌ କରିଥିଲେ। ସେଥି ମଧ୍ୟରୁ ମେହେବୁବର ଆକାଉଣ୍ଟକୁ ୧ ଲକ୍ଷ ୩ ହଜାର ଟଙ୍କା, ଶାଳକ ଆଦିଲର ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ତଥା ମେହେବୁବର ସମ୍ପର୍କୀୟମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିଭିନ୍ନ ପର୍ଯ୍ୟାୟରେ ଦିବ୍ୟରଞ୍ଜନ ଏହି ଟଙ୍କା ଟ୍ରାନ୍ସଫର୍‌ କରିଥିଲେ। ଗତ ଜୁନ ୨୧ ତାରିଖରେ ଦିବ୍ୟରଞ୍ଜନ ପ୍ରଥମ ଥର ୫ ହଜାର ଟଙ୍କା ପଠାଇଥିବା ବେଳେ ଶେଷ ଥର ଗତ ଅଗ‌ଷ୍ଟ ୯ ତାରିଖରେ ୩୦ ହଜାର ଟଙ୍କା ପଠାଇଥିବା ଜଣାଯାଇଛି।

ଏହା ପରେ ବି ଅଭିଯୁକ୍ତମାନେ ବାରମ୍ବାର ଭିଡିଓ ଭାଇରାଲ ଧମକ ଦେବାରୁ ଲୋକଲଜ୍ଜା ଭୟରେ ଦିବ୍ୟରଞ୍ଜନ ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ୪ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ଓ କୌଣସି ଯୁବତୀଙ୍କ ସମ୍ପୃକ୍ତି ନଥିବା ସୂଚନା ଦିଆଯାଇଛି। ଅଭିଯୁକ୍ତ ମେହେବୁବ ଏବଂ ଆଦିଲକୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରାଯାଇଛି। ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ କାର୍‌ ଏବଂ ଗୋଟିଏ ମୋବାଇଲ ଫୋନ୍‌ ଜବତ କରାଯାଇଛି। ସେମାନେ ବିଭିନ୍ନ ସ୍ଥାନରେ ହୋଇଥିବା ଏଟିଏମ୍‌ ଲୁଟ୍‌ ଘଟଣାରେ ମଧ୍ୟ ସମ୍ପୃକ୍ତ ଥିବା ତଦନ୍ତ ବେଳେ ଜଣାପଡ଼ିଛି। କିଙ୍ଗ୍‌ପିନ୍‌ ମେହେବୁବ ନାମରେ ରାଜସ୍ଥାନରେ ୬ଟି ବିଭିନ୍ନ ମାମଲା ରହିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ଡିଏସପି ସତ୍ୟଜିତ ମିଶ୍ର, ଡୁଙ୍ଗୁରିପାଲି ଆଇଆଇସି ସତ୍ୟନାରାୟଣ ପ୍ରଧାନ, ଏସ୍‌ଆଇ ଟଙ୍କଧର ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ। ଡିଏସପି ଶ୍ରୀ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ ରାଜସ୍ଥାନ ଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର