ବ୍ରହ୍ମପୁର/ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। କ୍ରାଇମ୍ବ୍ରାଞ୍ଚ ଟିମ୍ ଆଜି ସକାଳୁ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଶିଳ୍ପାଂଚଳସ୍ଥିତ ଘରକୁ ବ୍ୟାଙ୍କ ପାସବୁକ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ଗୋପାଳର ପତ୍ନୀ ଜୟନ୍ତୀ ଦାସ ଓ ପୁତୁରାକୁ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ପଚରାଉଚରା କରିଛନ୍ତି।
ସେହିପରି କ୍ରାଇମ୍ବ୍ରାଞ୍ଚ ଆଜି ବ୍ରହ୍ମପୁର ବସ୍ଷ୍ଟାଣ୍ଡକୁ ଯାଇଥିଲେ। ବ୍ରହ୍ମପୁରରୁ ଝାରସୁଗୁଡ଼ା ଚଳାଚଳ କରୁଥିବା ବସ୍ରେ କାର୍ଯ୍ୟରତ ଡ୍ରାଇଭର ଓ ହେଲ୍ପରଙ୍କୁ ପଚରାଉଚରା କରିଥିଲେ। ସେମାନେ ଗୋପାଳ ସଂପର୍କରେ ମଧ୍ୟ ପଚରାଉଚରା କରିଥିବା ଜଣାଯାଇଛି। ଶେଷରେ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳର ଘରୁ ଜବତ ହୋଇଥିବା ପାସ୍ବୁକ ଆଧାରରେ ଏମ୍କେସିଜି ପରିସରରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଯାଇ ଆକାଉଣ୍ଟ ସଂପର୍କିତ ତଥ୍ୟ ହାସଲ କରିଥିଲେ।
ନବ ଦାସ ହତ୍ୟା ଘଟଣା ନେଇ ଜଷ୍ଟିସ ଜେପି ଦାସଙ୍କ ସିଡିଏସ୍ଥିତ ଘରକୁ ଏଡିଜି ଅରୁଣ ବୋଥ୍ରା ଯାଇଥିଲେ। ସେ ଜଷ୍ଟିସ ଜେପି ଦାସଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା।
ସୂଚନାଯୋଗ୍ୟ, ନବ ଦାସଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନେଇଛି। ଏହି ରିମାଣ୍ଡ ଅବଧି ଆଜି ସରିବ। କ୍ରାଇମବ୍ରାଞ୍ଚ ପୁଣି ତାଙ୍କୁ ରିମାଣ୍ଡରେ ନେବ କି ନାହିଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ । କ୍ରାଇମବ୍ରାଞ୍ଚ ଗତ ୧ ତାରିଖରୁ ଗୋପାଳଙ୍କୁ ରିମାଣ୍ଡରେ ଆଣି ତନାଘନା କରୁଛି। ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ହେଲେ ଏଯାଏଁ ହତ୍ୟାର କାରଣ କ’ଣ ତାହା ଜଣାପଡ଼ିନାହିଁ । ଅଧିକ ତଦନ୍ତ ପାଇଁ ପୁଣି ଥରେ ଗୋପାଳ ଦାସଙ୍କୁ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ । ସେହିପରି ଗୋପାଳ ଦାସଙ୍କୁ କ୍ରାଇମସ୍ପଟକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗୋପାଳଙ୍କ ଲିଙ୍କରେ ଯେଉଁମାନେ ରହିଛନ୍ତି ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି।
ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତମାସ ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଂଚାସୀନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଏହି ଘଟଣାରେ ଅଭିଯୁକତ ଏଏଏସ୍ଆଇ ଗୋପାଳକୃଷ୍ଣଙ୍କୁ ପୁଲିସ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚ ଏପର୍ଯ୍ୟନ୍ତ ୩ଟି ଟିମ୍ ଗଠନ କରିଛି। ଏହାରି ମଧ୍ୟରେ ଝାରସୁଗୁଡ଼ା ଏସ୍ପି ରାହୁଲ ଜୈନ ଓ ବ୍ରଜରାଜନଗର ଏସ୍ଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ରାଜ୍ୟ ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ବଦଳି ହୋଇଛି।