ରାଜଧାନୀ ଉପକଣ୍ଠରେ ବ୍ୟାଙ୍କ୍ ଲୁଟ ଉଦ୍ୟମ ପଣ୍ଡ: ବିଲ ଭିତରେ କାବୁ କଲେ କଲୋନି ପିଲା

୮ଲକ୍ଷ ୬୩ ହଜାର ଟଙ୍କା ଓ ସୁନା ଗହଣା ଉଦ୍ଧାର, ବାଇକ୍‌, ଛୁରି ଓ ଖେଳନା ବନ୍ଧୁକ ଜବତ

ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଅଟଳଗଡ଼ା ପଞ୍ଚମୁଖୀ ଆପାର୍ଟମେଣ୍ଟ ପରିସରରେ ଥିବା ଭାରତୀୟ ‌ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ଆଜି ଏକ ବଡ଼ଧରଣର ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। ବ୍ୟାଙ୍କ ପିଅନକୁ ଛୁରି ଭୁସି ଆହତ କରିବା ସହ ଅନ୍ୟ କର୍ମଚାରୀଙ୍କୁ ଭୟଭୀତ କରାଇ ଜଣେ ଲୁଟେରା ବ୍ୟାଙ୍କରୁ ୮ ଲକ୍ଷ ୬୩ ହଜାର ୫୮ ଟଙ୍କା ଏବଂ ପ୍ରାୟ ୮ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିଲା। କିନ୍ତୁ ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଓ ସ୍ଥାନୀୟ ଯୁବକଙ୍କ ସାହସିକ ଉଦ୍ୟମ ଯୋଗୁଁ ଲୁଟ୍‌ କରିବାର କିଛି ସମୟ ମଧ୍ୟରେ ଧରା ପଡ଼ିଯାଇଥିଲା ଲୁଟେରା। ସ୍ଥାନୀୟ ଲୋ‌କେ ତାକୁ ନିର୍ଧୁମ୍‌ ଛେଚି ବାଲିଅନ୍ତା ପୁଲିସକୁ ହସ୍ତାନ୍ତର କରିଛନ୍ତି। ସେ ହେଲା ଏହି ଥାନା ଅନ୍ତର୍ଗତ ପାଟଣା ଗ୍ରାମର ଉମାଶଙ୍କର ପରିଡ଼ା। ତା’ ନିକଟରୁ ପୁଲିସ ସମସ୍ତ ଲୁଟ୍‌ ଟଙ୍କା ଓ ଅଳଙ୍କାର ସହ ଗୋଟିଏ ଖେଳନା ବନ୍ଧୁକ ଓ ଛୁରି ଜବତ କରିଛି। ତେବେ ଏହି ଲୁଟ୍‌ ପଛ‌ରେ ଆଉ କାହାର ହାତ ଅଛି, ସେ ସଂପର୍କରେ ଜାଣିବା ଲାଗି ପୁଲିସ ତାକୁ ପଚରାଉଚରା ଚଳାଇଛି। ଏହି ଘଟଣା ଆଜି ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସଂଧ୍ୟା ପ୍ରାୟ ୫ଟା ବେଳେ ବ୍ୟାଙ୍କ ବନ୍ଦ ହେବା ସମୟରେ ହଠାତ୍ ଉମା ବ୍ୟାଙ୍କ ଭିତରେ ପଶିଥିଲା ଏବଂ ଏକ ଛୁରି ବାହାର କରି ସେଠାରେ କାର୍ଯ୍ୟରତ ପିଅନ ଗଙ୍ଗାଧର ବେହେରାଙ୍କ ବେକକୁ ଭୁସି ଦେଇଥିଲା। ଏହା ଦେଖି କର୍ମଚାରୀମାନେ ଚିତ୍କାର କରିବାରୁ ସେ ସମସ୍ତଙ୍କୁ ଚୁପ୍‌ ରହିବାକୁ କହିଥିଲା। ଯଦି କେହି ପାଟି କରନ୍ତି, ତେବେ ଗଙ୍ଗାଧରଙ୍କୁ ଜୀବନରୁ ମାରିଦେବ ବୋଲି ଧମକାଇଥିଲା। ଏହାପରେ ଉମା ଶାଖା ପରିଚାଳକ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କୁ ସେ ରେକର୍ଡ ରୁମ୍‌ ଭିତରେ ପୂରାଇ ବାହାର ପଟୁ ବନ୍ଦ କରିଦେଇଥିଲା। ଏହାପରେ କ୍ୟାସିୟର୍‌ଙ୍କ କ୍ୟାସ ଡ୍ର’ରେ ଥିବା ୮ଲକ୍ଷ ଟଙ୍କା ଓ ଲକ୍‌ରରେ ଥିବା ସବୁ ସୁନାଗହଣାକୁ ଏକ ବ୍ୟାଗ୍‌ରେ ପୂରାଇ ବ୍ୟାଙ୍କ ଭିତରୁ ବାହାରି ଯାଇଥିଲା। ତେବେ ଉମା ଯିମା ମାତ୍ରେ ବ୍ୟାଙ୍କ କର୍ମଚାରୀମାନେ ଝରକା ବାଟେ ଚୋରଚୋର ବୋଲି ଚିତ୍କାର କରିଥିଲେ।

ଏହାସହ ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ଯୁବକମାନଙ୍କୁ ଫୋନ୍‌ କରି ଘଟଣା ସଂପର୍କରେ ଜଣାଇ ଦେଇଥିଲେ। କର୍ମଚାରୀଙ୍କ ପାଟି ଶୁଣି ଆପାର୍ଟମେଣ୍ଟ ପରିସରରେ ଖେଳୁଥିବା କିଛି ଯୁବକ ଓ ଜଗନ୍ନାଥପୁର ଗ୍ରାମର ଯୁବକମାନେ ମିଳିତ ଭାବେ ଉମାକୁ ପିଛା କରିଥିଲେ। ସମସ୍ତଙ୍କୁ ଚକ୍‌ମା ଦେଇ ଉମା ଗହୀର କାଦୁଅ ବିଲ ଭିତରେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଯୁବକମାନେ ତାକୁ ଘେରି ଯାଇ କାବୁ କରିବା ସହ ନିର୍ଧୁମ୍‌ ଛେଚିଥି‌ଲେ। ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଏବଂ ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ୍‌ ବିଶ୍ବାଳ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଲୁଟେରାକୁ ଉଦ୍ଧାର କରି ଥାନାକୁ ନେଇଥିଲେ। ଏହାସହ ଛୁରାମାଡ଼ରେ ଆହତ ଗଙ୍ଗାଧରଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ପରେ ପୁଲିସ ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଥାନାକୁ ନେଇ ଏ ସଂପର୍କରେ ପଚରାଉଚରା ଚଳାଇଛି।

ସମ୍ବନ୍ଧିତ ଖବର