ବାରିପଦା: ଚାଷୀଙ୍କ ପାଖରେ ଅପହଞ୍ଚ ବ୍ୟାଙ୍କ ସେବା; ‌ନାହାନ୍ତି ଡ୍ରାଇଭର, ଖତ ଖାଉଛି ଭ୍ରାମ୍ୟମାଣ ଏଟିଏମ୍ ଗାଡ଼ି

ବାରିପଦା: ଚାଷୀଙ୍କୁ ସମୟ ଖର୍ଚ୍ଚ କରି ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ। ବ୍ୟାଙ୍କ ଆସି ଚାଷୀଙ୍କ ପାଖରେ ପହଞ୍ଚିବ। ଏଭଳି ଲକ୍ଷ୍ୟ ନେଇ ୫ ବର୍ଷ ପୂର୍ବେ ଭ୍ରାମ୍ୟମାଣ ଏଟିଏମ୍ ଗାଡ଼ିର ଶୁଭାରମ୍ଭ ହୋଇଥିଲା। ତେବେ ଡ୍ରାଇଭର ନଥିବାରୁ ମୟୂରଭଞ୍ଜ ଜିଲ୍ଲାରେ ଏହି ବ୍ୟାଙ୍କ ସେବା ଚାଷୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚାଷୀମାନଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ମୟୂରଭଞ୍ଜ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପକ୍ଷରୁ ୫ ବର୍ଷ ପୂର୍ବେ ୨ଟି ଭ୍ରାମ୍ୟମାଣ ଗାଡ଼ିକୁ ପାଖାପାଖି ୬୦ ଲକ୍ଷ ଟଙ୍କା ଦେଇ କିଣାଯାଇଥିଲା। ଗୋଟିଏ ଗାଡ଼ି ବାରିପଦାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଥିଲା। ଅନ୍ୟଟି ରାଇରଙ୍ଗପୁର ଶାଖାକୁ ଦିଆଯାଇଥିଲା। ଗାଡ଼ିରେ କମ୍ପ୍ୟୁଟରଠୁ ଆରମ୍ଭ କରି ବ୍ୟାଙ୍କ ସେବା ଯୋଗାଇବା ପାଇଁ ସବୁ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଥିଲା। କିଛି ମାସ ଧରି ଏହି ଭ୍ରାମ୍ୟମାଣ ଗାଡ଼ି ଗାଁଗାଁ ବୁଲି ଚାଷୀଙ୍କୁ ବ୍ୟାଙ୍କ ସେବା ଯୋଗାଇଥିଲା ଏବଂ ଚାଷୀମାନେ ବେଶ୍‌ ଉପକୃତ ହୋଇଥିଲେ।

ହେଲେ ପରବର୍ତ୍ତୀ ସମୟରେ ଗାଡ଼ି ଆଉ ଚାଷୀଙ୍କ ପାଖକୁ ନଯାଇ ବିଭାଗୀୟ କାର୍ଯ୍ୟାଳୟରେ ପଡ଼ିରହିଲା। ଏବେ ଗୋଟିଏ ଗାଡ଼ି ବାରିପଦା ବିଭାଗୀୟ କାର୍ଯ୍ୟାଳୟ ପରିସର ଗ୍ୟାରେଜ୍‌ ଭିତ‌ରେ ଠିଆ ହୋଇଥିବା ବେଳେ ଅନ୍ୟଟି ରାଇରଙ୍ଗପୁରରେ ଖରାବର୍ଷାରେ ଖତ ଖାଇବାକୁ ବସିଛି। ଗାଡ଼ି ଗଡ଼ୁ ନଥିବାରୁ ଏଥିରେ ବ୍ୟାଙ୍କ ସେବା ପାଇଁ ଉଦ୍ଧିଷ୍ଟ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଉପକରଣ ସବୁ ନଷ୍ଟ ହେବାକୁ ବସିଲାଣି। ତେବେ ଡ୍ରାଇଭର ନଥିବାରୁ ଗାଡ଼ି ଚଳାଚଳ କରି ପାରୁ ନାହିଁ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହୁଛନ୍ତି। ଯଦି ଡ୍ରାଇଭର ନିଯୁକ୍ତି କରିହେବନି, ତେବେ ଲକ୍ଷଲକ୍ଷ ଟଙ୍କା ଦେଇ ଗାଡ଼ି କ’ଣ ପାଇଁ କିଣା ଯାଉଥିଲା ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ତେବେ ନିଯୁକ୍ତ ଡ୍ରାଇଭର ଗାଡ଼ି ଚଳାଇବା ପରିବର୍ତ୍ତେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କ ଘରେ ଯାଇ କାମ କରୁଥିବା ଚାଷୀ ନେତା ଅମୂଲ୍ୟ କୁମାର ଜେନା ଓ ଦୀପକ କୁମାର ମହାନ୍ତ ଅଭିଯୋଗ କରିଛନ୍ତି। ଏନେଇ ମୟୂରଭଞ୍ଜ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭୟ କୁମାର ଲେଙ୍କାକୁ ପଚାରିବାରୁ ଡ୍ରାଇଭର ନଥିବାରୁ ଗାଡ଼ି ଚାଲୁ ନଥିବା ସ୍ବୀକାର କରିଥିଲେ। ତେବେ ଚାଷୀଙ୍କ ପାଖରେ ବ୍ୟାଙ୍କାସେବା ପହଞ୍ଚିବା ନିମନ୍ତେ ଖୁବ୍‌ଶୀଘ୍ର ଭ୍ରାମ୍ୟମାଣ ଗାଡ଼ି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର