ସୋନପୁରରେ ବ୍ୟାଙ୍କ୍‌ ଧର୍ମଘଟ, ଗ୍ରାହକ ପ୍ରଭାବିତ

ସୋନପୁର : ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ସୁବର୍ଣ୍ଣପୁରରେ ମଧ୍ୟ ବ୍ୟାଙ୍କ୍‌ କର୍ମଚାରୀ ଏବଂ ଅଫିସର ସଂଘ ବ୍ୟାଙ୍କ୍‌ ଧର୍ମଘଟରେ ସାମିଲ ହୋଇଛନ୍ତି। ଏହି ଧର୍ମଘଟରେ ସୋନପୁରର ୧୨ଟି ବ୍ୟାଙ୍କ୍‌ର କର୍ମଚାରୀ ଓ ଅଫିସର ସାମିଲ ହୋଇଛନ୍ତି। ଧର୍ମଘଟ ୨ଦିନ ପର୍ଯ୍ୟନ୍ତ ଚାଲୁରହିବ। ଧର୍ମଘଟ ଯୋଗୁଁ ସୋନପୁରର ସମସ୍ତ ବ୍ୟାଙ୍କ୍‌ରେ ଜମା ଏବଂ ଉଠାଣ, ଚେକ୍ କ୍ଲିୟରାନ୍ସ ଏବଂ ଋଣ ମଂଜୁରି ପ୍ରକ୍ରିୟା ଆଦି ପ୍ରଭାବିତ ହୋଇଛି।

ଗ୍ରାହକମାନେ ଅନେକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଦେଶର ଅର୍ଥନୈତିକ ବିକାଶ ଏବଂ ଅଭିବୃଦ୍ଧିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଲୋକଙ୍କ ଉପାର୍ଜିତ ଟଙ୍କା ରାଶିକୁ ସୁରକ୍ଷିତ ରଖିବା ସହ କୃଷି, ଶିଳ୍ପ, ଭିତ୍ତିଭୂମିର ବିସ୍ତାର, ବିଶେଷ କରି ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଓ ଆତ୍ମନିଯୁକ୍ତି ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ଗୁଡ଼ିକ ପୁଂଜି ବିନିଯୋଗ କରୁଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ଗୁଡ଼ିକର ଘରୋଇକରଣ କରି ସରକାର ଜନବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଏହି ଅବସରରେ କୁହାଯାଇଛି। ତେବେ ବ୍ୟାଙ୍କ୍‌ଗୁଡ଼ିକ ଘରୋଇକରଣ ହେଲେ ଅନେକ ମାତ୍ରରେ ଅସୁବିଧା ସୃଷ୍ଟି ହେବ ବୋଲି କୁହାଯାଇଛି। ଘରୋଇକରଣ ହେଲେ ଅନେକ ଗ୍ରାମ୍ୟବ୍ୟାଙ୍କ୍‌ ଶାଖା ବନ୍ଦ ହୋଇଯିବ। ସାଧାରଣ ଲୋକଙ୍କ ଜମାରେ ବିପଦ ସୃଷ୍ଟି ହେବ। ଜମା ଖାତାରେ ଖୁବ୍ କମ ସୁଧ ମିଳିବ। କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ବ୍ୟବସାୟୀଙ୍କୁ ଖୁବ୍ କମ୍ ଋଣ ମିଳିବ। ଶିକ୍ଷା ଋଣରେ ମଧ୍ୟ ପ୍ରଭାବ ପଡ଼ିବ। ଯୁବକମାନଙ୍କ ନିଯୁକ୍ତ ସୁଯୋଗରେ ଅସୁବିଧା ସୃଷ୍ଟି ହେବ। ସେବା ଦେୟ ଗ୍ରାହକଙ୍କୁ ଅଧିକ ପଡ଼ିବ ଆଦି ପ୍ରଭାବ ଏହି ଘରୋଇକରଣ ଦ୍ବାରା ସୃଷ୍ଟି ହେବା ନେଇ ସ୍ପଷ୍ଟ କରାଯାଇଛି।

ସହକାରୀ ଜୋନାଲ୍‌ ସମ୍ପାଦକ, ଏସ୍‌ବିଆଇ ଅଫିସର ସଂଘ ସଞ୍ଜୟ ମିଶ୍ର, ପୂର୍ବତନ ସହକାରୀ ଜୋନାଲ ସମ୍ପାଦକ, ଏସ୍‌ବିଆଇ ଅଫିସର ସଂଘ ସୂର୍ଯ୍ୟନାରାୟଣ ସରାଫ, ସାଙ୍ଗଠାନିକ ସମ୍ପାଦକ ଏସ୍‌ବିଆଇ ଷ୍ଟାଫ୍ ସଂଘ ବଳଦେବ ମହାପାତ୍ର, ରାଜକିଶୋର ପାତ୍ର, ଜୟବିହାରୀ ମହଲା, ପଦ୍ମନାଭ ପାଢ଼ୀ, ପ୍ରଶାନ୍ତ ବାଘ, କୁଳମଣି ଭୋଇ, ସନ୍ତୋଷ ତ୍ରିପାଠୀ, ଆର୍ତତ୍ରାଣ ମହାଲିକ, ଦଧିବାମନ ମିଶ୍ର, ବିଦେଶୀ ମେହେର, ସଂଜୟ ମହାପାତ୍ର, ଚିତ୍ତ ମହାରଣା, ସନ୍ଦୀପ ହୋତା, ରାଜକିଶୋର ସୁନା, ଅଜୟ ପହି, ମହେନ୍ଦ୍ର ବିଶି, ରାକେଶ ଅଗ୍ରୱାଲ, ସତ୍ୟବାଦୀ ମାହାନା, ଶଙ୍କରପ୍ରସାଦ ଦେହୁରୀ, ଭବାନୀଶଙ୍କର ପାଣିଗ୍ରାହୀ ପ୍ରମୁଖ ବ୍ୟାଙ୍କ୍‌ କର୍ମଚାରୀ ଧର୍ମଘଟରେ ସାମିଲ ହୋଇ ସୋନପୁର ଏସ୍‌ବିଆଇ ଶାଖା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର