ଏଟିଏମ୍‌ରୁ ୪ ଲକ୍ଷ ହଡ଼ପ, ବ୍ୟାଙ୍କର ଠିକା ସୁଇପର‌୍‌ ଗିରଫ

ବନ୍ତ : ବାଲେଶ୍ବର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବନ୍ତ ଶାଖାର ଜଣେ ଠିକା ସୁଇପର୍‌ଙ୍କ କଳା କାରନାମାରେ ଚକିତ ହୋଇଛନ୍ତି ବ୍ୟାଙ୍କ କର୍ମଚାରୀ। ସୁଇପର‌୍‌ ଜଣକ ଏଟିଏମ୍‌ କାର୍ଡ ମାଧ୍ୟମରେ ଜମାକାରୀଙ୍କ ଖାତାରୁ ୪ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରି ନେଇଥିବା ଜଣାପଡ଼ିଛି। ବ୍ୟାଙ୍କ ଶାଖା ପରିଚାଳକଙ୍କ ଏତଲା ଆଧାରରେ ପୁଲିସ ଅଭିଯୁକ୍ତ ସୁଇପର ଶେଷଦେବ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ୟାଙ୍କର ଶାଖା ପରିଚାଳକ ରାମ ନାରାୟଣ ମହାନ୍ତିି ଗତ ୧୮ ତାରିଖରେ ବନ୍ତ ଥାନାରେ କରିଥିବା ଅଭିଯୋଗରୁ ଏହି କେଳେଙ୍କରୀ ପଦାକୁ ଆସିଛି। ଅଭିଯୋଗ ମୁତାବକ, କିଛି ଦିନ ତଳେ ଜମାକାରୀ କ୍ଷେତ୍ରବାସୀ ରଣାଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଉଠାଯାଇଥିଲା। ଏ ସମ୍ପର୍କରେ ଶ୍ରୀ ରଣା ଶାଖା ପରିଚାଳକଙ୍କ ନିକଟରେ ଅଭିଯୋଗ କରିଥିଲେ। ଶାଖା ପରିଚାଳକ ଶ୍ରୀ ରଣାଙ୍କୁ ବ୍ୟାଙ୍କରୁ ଏଟିଏମ୍‌ କାର୍ଡ ନେଇଛନ୍ତି କି ନାହିଁ ପଚାରିବାରୁ ସେ ଏଟିଏମ୍‌ ପାଇଁ ଆବେଦନ କରିଥିଲେ ମଧୢ ବ୍ୟାଙ୍କ ତରଫରୁ ତାଙ୍କୁ ଏଯାଏ ଏଟିଏମ୍‌ କାର୍ଡ ମିଳି ନଥିବା କହିଥିଲେ। ଏ ନେଇ ଶାଖା ପରିଚାଳକ ବ୍ୟାଙ୍କରେ ଏଟିଏମ୍‌ ଆବେଦନ କରିଥିବା ବ୍ୟକ୍ତିମାନଙ୍କର ତାଲିକା ଯାଞ୍ଚ କରିବାବେଳେ ସେଥିମଧୢରୁ ୧୯ଟି ଏଟିଏମ୍‌ ନଥିବା ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ନିଜେ ଖୋଳତାଡ଼ କରିଥିଲେ। ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରାଯିବା ପରେ ଗତ ଜୁଲାଇ ମାସରୁ ଚଳିତ ଅକ୍ଟୋବର ମାସ ମଧୢରେ ବିଭିନ୍ନ ଏଟିଏମ୍‌ରୁ ହଜିଯାଇଥିବା ୧୯ଟି ଏଟିଏମ୍‌ କାର୍ଡକୁ ବ୍ୟବହାର କରାଯାଇ ମୋଟ ୪ ଲକ୍ଷ ୧୫ ହଜାର ଟଙ୍କା ଉଠାଯାଇଥିବା ଜଣାପଡିଥିଲା। ଟଙ୍କା ଉଠାଣ ସମୟରେ ବ୍ୟାଙ୍କରେ ଠିକା ଭାବେ କାର୍ଯ୍ୟ କରୁଥିବା ସୁଇପର‌୍‌ ଶେଷଦେବ ଉପସ୍ଥିତ ଥିବା ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଥିଲା। ଶାଖା ପରିଚାଳକ ଶେଷଦେବଙ୍କୁ ଏ ବିଷୟରେ ପଚାରିବାରୁ ସେ ଜମାକାରୀଙ୍କ ଏଟିଏମ୍‌ କାର୍ଡକୁ ହାତେଇ ଟଙ୍କା ହଡ଼ପ କରିଥିବା ସ୍ବୀକାର କରିଥିଲା। ଶେଷ‌େଦବଙ୍କୁ ପୁଲିସ ଜିମା ଦିଆଯିବା ପରେ ପୁଲିସ କେସ୍ ନଂ ୧୨୯/୧୯ରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ ବ୍ୟାଙ୍କରେ ଥିବା ଏଟିଏମ୍‌ କାର୍ଡକୁ ଶେଷଦେବ ହସ୍ତଗତ କରିବା ବେଳେ ବ୍ୟାଙ୍କର କୌଣସି କର୍ମଚାରୀ ଜାଣି ନ ପାରିବା ସନ୍ଦେହ ସୃଷ୍ଟି କରିଛି। ବ୍ୟାଙ୍କର କୌଣସି କର୍ମଚାରୀ ଏଥିରେ ସମ୍ପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର