ଡିହସାହି ବଜାରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ, ସିସିଟିଭିରେ କଏଦ ହେଲା ଚୋରି ସମୟର ଲାଇଭ୍ ଚିତ୍ର

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଡିହସାହି ବଜାରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରେ ପଶି କଳାକନା ବୁଲାଇବା ପାଇଁ ଚେଷ୍ଟା କରିଥିବା ବେଳେ ସଫଳ ହୋଇପାରିନାହାନ୍ତି । ନିଆଁ ଲାଗି ଯିବାରୁ ଭୟଭୀତ ହୋଇ ଦୁର୍ବୃତ୍ତମାନେ ଚାଲିଯାଇଥିଲେ ସତ ହେଲେ ବ୍ୟାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ପେଶାଦାର ଅପରାଧିମାନେ ହିଁ ଲୁଟ୍ ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ସିସିଟିଭି ଫୁଟେଜରେ ଘଟଣା ସମୟର ସମସ୍ତ ଚିତ୍ର କଏଦ ହୋଇଛି । ଯାହା ପୁଲିସକୁ ଚୋର ନିକଟରେ ଖୁବ୍ ଶୀଘ୍ର ପହଞ୍ଚାଇବ ବୋଲି କୁହାଯାଉଛି ।

ଗତକାଲି ରାତି ପ୍ରାୟ ୩ଟା ସମୟ। ସିସି ଟିଭି ଫୁଟେଜ୍ ଅନୁସାରେ ତିନି ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସିଥିଲେ । ବ୍ୟାଙ୍କର ସମ୍ମୁଖ ଚାବିକୁ ଗ୍ୟାସ୍ କଟରରେ କାଟି ଭିତରକୁ ପ୍ରବେଶ କରିଥିଲେ । ଭିତରେ ଟର୍ଚ୍ଚ ମାରି କିଛି ସମୟ ଘର ଭିତରେ ଥିବା ଜିନିଷ ଗୁଡ଼ିକରେ କିଛି ଖୋଜା ଖୋଜି କରୁଥିବା ଦେଖିବାକୁ ମିଳିଛି । ପରେ ହୁଏତ ଲକର୍ ଚାବି ନପାଇ ସେମାନେ କଟରରେ ନିକଟରେ ଥିବା ଏକ ଆଲମାରିକୁ କାଟିବାକୁ ଲାଗିଥିଲେ । କିନ୍ତୁ ଏ ସମୟରେ ଅଜାଣତରେ ନିକଟରେ ଥିବା କାଗଜଗୁଡ଼ିକରେ ନିଆଁ ଲାଗି ଯାଇଥିଲା । କିଛି ସମୟ ଭିତରେ ବ୍ୟାଙ୍କ ଭିତର ଧୂଆଁମୟ ହୋଇଯାଇଥିଲା । ଫଳରେ ଭିତରେ ଥିବା ସାଇରନ୍ ବାଜି ଉଠିଥିଲା । ଏହାପରେ ତିନି ଚୋର ଭୟରେ ବ୍ୟାଙ୍କ ଛାଡ଼ିଚାଲି ଯାଇଥିଲେ । ଏ ସମସ୍ତ ଘଟଣା ବ୍ୟାଙ୍କ୍ ଓ ନିକଟରେ ଥିବା ଏକ କପଡ଼ା ଦୋକାନ ସିସି ଟିଭି ଫୁଟେଜରେ ରେକର୍ଡ ହୋଇଛି ।

ଗତକାଲି ରାତିରେ ସାଇରନ୍ ଶୁଣିଥିଲେ ହେଁ ରାତି ହୋଇଥିବାରୁ ପ୍ରାୟତଃ କେହି ବାହାରକୁ ଆସି ନଥିଲେ । ଆଜି ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ଅନ୍ୟ କର୍ମଚାରୀ ଆସି ପହଞ୍ଚିଥିଲେ । ସେତେବେଳେକୁ ଗୋଟିଏ ବଡ଼ ଆଲମାରୀର ପ୍ରାୟ ସମସ୍ତ କାଗଜପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିଲା । ପୁଲିସ ଫରେନ୍ସିକ୍ ଟିମର ସହାୟତା ଅନୁସନ୍ଧାନ କରିଥିଲା । ଏହାପରେ ମ୍ୟାନେଜର ସତେନ୍ଦ୍ର କୁମାର ସାହୁ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ସେ କହିଛନ୍ତି ଯେ, ବ୍ୟାଙ୍କରୁ ଟଙ୍କା ଚୋରି ହୋଇ ନଥିବା ଜଣାପଡ଼ିଛି । କିନ୍ତୁ ଗୁରୁତ୍ୱୂପର୍ଣ୍ଣ କାଗଜପତ୍ର ପୋଡ଼ିଯିବାଟା ଗ୍ରାହକ ଓ ବ୍ୟାଙ୍କ୍ ପାଇଁ ସମସ୍ୟା ସୃଷ୍ଟି କରିବ । ଏହାପରେ ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ୩୩/୨୦୨୧ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଘଟଣାସ୍ଥଳରୁ ଚୋର ବ୍ୟବହାର କରୁଥିବା ଏକ ଏୟାର୍ ବ୍ୟାଗ୍ ସ୍କୃଡ୍ରାଇଭର୍ ପୁଲିସ ଜବତ କରିଛି । ଖୁବ୍ ଶୀଘ୍ର ଚୋରି ଘଟଣାର ପର୍ଦ୍ଦାଫାସ ହେବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର