ସକାଳ ୮ଟାରୁ ଖୋଲିପାରେ ବ୍ୟାଙ୍କ

୨୪ରେ ଅର୍ଥ ମନ୍ତ୍ରାଳୟ ସହିତ ଏସ୍‌ଏଲ୍‌ବିସିର ବୈଠକ

ଭୁବନେଶ୍ବର : ରାଜ୍ୟରେ ବ୍ୟାଙ୍କିଂ କାରବାର ସମୟ ନିକଟ ଭବିଷ୍ୟତରେ ବଦଳି ଯାଇପାରେ। ଏବେ ବ୍ୟାଙ୍କ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖୋଲୁଥିବାବେଳେ ଆଗାମୀ ଦିନରେ ବ୍ୟାଙ୍କ ସମୟ ସକାଳ ୮ଟାରୁ ଅହରାହ୍ଣ ୨ଟା ପର୍ଯ୍ୟନ୍ତ ଖୋଲିବା ଉପରେ ବିଚାର କରାଯାଉଛି। ସକାଳ ୮ଟାରୁ ବ୍ୟାଙ୍କ ଖୋଲିଲେ ଗ୍ରାହକଙ୍କୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ସେବା ଯୋଗାଇ ଦିଆଯିବ। ଲକ୍‌ଡାଉନ୍ ପରିପ୍ରେକ୍ଷୀରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏ ନେଇ ପ୍ରସ୍ତାବ ରହିଛି। ରାଜ୍ୟ ସରକାର ଯଦି ଏଭଳି ପ୍ରସ୍ତାବକୁ କାର୍ଯ୍ୟକାରୀ କରନ୍ତି ତା’ହେଲେ ବ୍ୟାଙ୍କଗୁଡ଼ିକ ମଧ୍ୟ ତାହାକୁ ମାନିବେ ବୋଲି ଗତକାଲି ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ବୈଠକରେ ନିଷ୍ପତ୍ତି ନିଆଯାଇଛି। ଲକ୍‌ଡାଉନ୍ ସମୟରେ ବ୍ୟାଙ୍କ ଶାଖା ଗୁଡ଼ିକରେ ସାଧାରଣତଃ ଟଙ୍କା ଜମା/ଉଠାଣ, ଆରଟିଜିଏସ୍‌/ଏନଇଏଫ୍‌ଟି ମାଧ୍ୟମରେ ‌ଟଙ୍କା ପ୍ରେରଣ, ଚେକ୍‌ କ୍ଲିୟରିଂ ଏବଂ କରେନ୍ସି ଚେଷ୍ଟ ଅପରେସନ ସମେତ ସରକାରଙ୍କ ଟିକସ ଆଦାୟ କାର୍ଯ୍ୟ ସମ୍ପାଦନ ହେଉଛି।

ତେ‌ବେ ଖରିଫ ଚାଷ କାର୍ଯ୍ୟ ଦେଶରେ ଆରମ୍ଭ ହୋଇଯାଇଥିବାରୁ ଏଥିପାଇଁ କୃଷକମାନଙ୍କୁ ଋଣ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ସେହିଭଳି ସ୍ବୟଂ ସହାୟକ ଗୋଷ୍ଠୀ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ହିତାଧିକାରୀ ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଟଙ୍କା ଏବଂ ଋଣ ପ୍ରଦାନର ଆବଶ୍ୟକତା ଥିବାରୁ ବ୍ୟାଙ୍କଗୁଡ଼ିକ ମଧ୍ୟ ଏସବୁ ସେବା ଆରମ୍ଭ କରିବା ଯୋଜନା ରଖିଛନ୍ତି। ତେବେ ବ୍ୟାଙ୍କିଂ ସମୟ ପରିବର୍ତ୍ତନ ନେଇ ରାଜ୍ୟ ସରକାର କୌଣସି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିନାହାନ୍ତି। ତେଣୁ ରାଜ୍ୟ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି କରିଲେ ତାହାକୁ ବ୍ୟାଙ୍କ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର