ମହାପ୍ରଭୁଙ୍କ ଚିତାଲାଗିରେ ବଡ଼ ଧରଣର ତ୍ରୁଟି, ଦାୟିତ୍ୱହୀନତା ଯୋଗୁଁ ସୁଭଦ୍ରାଙ୍କ ମସ୍ତକରେ ବଙ୍କା ଚିତା

ପୁରୀ: ମହାପ୍ରଭୁଙ୍କ ଚିତାଲାଗିରେ ବଡ ଧରଣର ତ୍ରୁଟି । ଚିତାଲାଗି ସମୟରେ ଦେବୀ ସୁଭଦ୍ରାଙ୍କ ମସ୍ତକରେ ଚିତାକୁ ବଙ୍କା ଲଗାଯାଇଥିବା ଅଭିଯୋଗ ହୋଇଛି । ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତିମାନେ ତିନି ଠାକୁରଙ୍କ ମସ୍ତକରେ ପୂର୍ବରୁ ଖୋଲାଯାଇଥିବା ଦୁର୍ଲଭ ରତ୍ନ ଚିତାକୁ ଲଗାଇଥିଲେ। ସେତେବେଳେ ଦାୟିତ୍ୱହୀନତା ଯୋଗୁଁ ଦେବୀ ସୁଭଦ୍ରାଙ୍କ ମସ୍ତକରେ ଦୁର୍ମୂଲ୍ୟ ମାଣିକ୍ୟର ଚିତାକୁ ବଙ୍କା ଲଗାଯାଇଛି ।ସେପଟେ ରତ୍ନ ଚିତା ବଙ୍କା ଲାଗିବା ନେଇ ସ୍ୱୀକାର କରିଛି ଶ୍ରୀମନ୍ଦିର ପ୍ରଶାସନ । ସ୍ନାନ ପୂର୍ଣ୍ଣିମାରେ ତାହା ଖୋଲାଯାଇ ପୁଣି ରଥଯାତ୍ରା ପରେ ଚିତାଲାଗି ଅମାବାସ୍ୟାରେ ସିଧା ଲଗାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ । ଏପରିକି ବଡଠାକୁର ଶ୍ରୀବଳଭଦ୍ରଙ୍କ ମସ୍ତକରେ ମଧ୍ୟ ଦୁର୍ମୁଲ୍ୟ ନିଳାର ଚିତା ମଧ୍ୟ ତ୍ରୁଟିପୂର୍ଣ୍ଣ ଭାବେ ଲଗାଯାଇଥିବା ଅଭିଯୋଗ ଆସୁଛି। ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକର ଦୁର୍ମୂଲ୍ୟ ହୀରାର ଚିତା ସଠିକ୍ ଭାବେ ରହିଥିବା କୁହାଯାଉଛି । ହେଲେ ଦେବୀଙ୍କ ମସ୍ତକରେ ଚିତା ବଙ୍କା ଲାଗିବା ସବୁଠୁ ବଡ଼ ତ୍ରୁଟି ବୋଲି ଶ୍ରୀଜଗନ୍ନାଥ ପରମ୍ପରାରେ ବିଚାର କରାଯାଉଛି । ତେବେ ଏଭଳି ତ୍ରୁଟି କେମିତି ହେଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦତ୍ତମହାପାତ୍ର ସେବାୟତ ।

ସମ୍ବନ୍ଧିତ ଖବର