ପୁରୀ: ଆସନ୍ତାକାଲି (୨୩ ତାରିଖ) ବୁଧବାର ଶ୍ରାବଣ-ଶୁକ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ରାତି ୧୦ଟା ପରେ ଦର୍ଶନ ସ୍ବାଭାବିକ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ଭିତରେ ଦେଢ଼ ମାସ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବା ପରେ ଗତ ୯ ତାରିଖରେ ପ୍ରାୟ ଦେଢ଼ ମାସ ପରେ ବନକଲାଗି ହୋଇଥିଲା। ଏହି ବିବାଦ ଯୋଗୁ ଚଳିତ ବର୍ଷ ନୀଳାଦ୍ରି ବିଜେଠାରୁ ବନକଲାଗି ହୋଇ ନଥିଲା। ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ନିଷ୍ପତ୍ତିକ୍ରମେ ବୁଧବାର ହିଁ ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିଥିଲେ। ବନକଲାଗି ପାଇଁ ଅପରାହ୍ଣ ପ୍ରାୟ ୫ଟା ୨୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ରାତି ପ୍ରାୟ ୧୦ଟାରେ ବନକଲାଗି ଶେଷ ପରେ ଦର୍ଶନ ସ୍ବାଭାବିକ ହୋଇଥିଲା। ଆଜି ଅପରାହ୍ଣ ୪ଟା ୧୫ରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ମଇଲମ ଓ ତଡ଼ପଲାଗି ହୋଇଥିଲା। ୫ଟା ୨୦ରେ ପହୁଡ଼ ଆଳତି ପରେ ଜୟ-ବିଜୟ ଦ୍ବାର ବନ୍ଦ ହୋଇଥିଲା। ବେହେରଣ ଦ୍ବାର ଦେଇ ଦତ୍ତ ମହାପାତ୍ର ସେବକମାନେ ୫ଟା ୪୫ରେ ବନକପେଡ଼ି ସହ ବନକଲାଗି ପାଇଁ ପ୍ରବେଶ କରିବା ସହ ସିଂହାସନକୁ ଉଠି ବନକଲାଗି କରିଥିଲେ। ବନକଲାଗି ପାଇଁ ୩ ଖଣ୍ଡ ଶ୍ରୀକପଡ଼ା ଓ ହିଙ୍ଗୁଳ, ହରିତାଳ ଆଦି ରଙ୍ଗ ଯୋଗାଇ ଦିଆଯାଇଥିଲା। ବନକଲାଗି ସରିବା ପରେ ପୂଜାପଣ୍ଡା ସେବକମାନେ ତଳେ ବସି ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରିଥିଲେ। ମହାସ୍ନାନ ନୀତି ଶେଷ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/f71dfc84-a66c-4760-a315-2b791d6de59f.jpg)