ବାଙ୍କୀ : ବାଙ୍କୀରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ। ସ୍ପଷ୍ଟ ଦିବାଲୋକରେ ବୀଭତ୍ସଭାବେ ଦୁଇ ଦୁଇଜଣଙ୍କୁ ହତ୍ୟା କରାଗଲା। କିନ୍ତୁ ଦୁଇ ଦିନ ପରେ ବି ପୁଲିସ ହାତ ଖାଲି। ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରାଯାଉ। ହତ୍ୟାକାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ କଂଗ୍ରେସ ତାର ସଂଗ୍ରାମ ଜାରି ରଖିବ। ବାଙ୍କୀ ଡବଲ ମର୍ଡର ଘଟଣାରେ ଦୁଇ ମୃତକଙ୍କ ପରିବାକୁ ସମବେଦନା ଜଣାଇବା ପରେ ନିଜ ପ୍ରତିକ୍ରିୟାରେ ଏଭଳି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ସୋମବାର ସଂଧ୍ୟାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସର ବରିଷ୍ଠ ନେତୃମଣ୍ଡଳୀ ନୂଆଗାଁ ସରପଞ୍ଚ ମମତା ମହାପାତ୍ରଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏଥିସହ ମୃତ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଥିଲେ। କଂଗ୍ରେସ ସବୁବେଳେ ତାଙ୍କ ପରିବାର ସହିତ ରହିଛି ଓ ରହିବ। ଯେ ପର୍ଯ୍ୟନ୍ତ ହତ୍ୟାକାରୀଙ୍କୁ ଗିରଫ ସହ ଦଣ୍ଡାଦେଶ ନମିଳିଛି, ସେ ପର୍ଯ୍ୟନ୍ତ କଂଗ୍ରେସ ତା’ର ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଶ୍ରୀ ପଟ୍ଟନାୟକଙ୍କ ସହିତ ଏଆଇସିସିର ରୁଦ୍ର ରାଜୁ, ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନ୍ନଗୋ, ଯଜ୍ଞେଶ୍ବର ବାବୁ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ପ୍ରମୁଖ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ।
ଏଠାରେ ସୂଚନାଯୋଗ୍ୟ, ଶନିବାର ୩ଟା ପାଖାପାଖି ସମୟରେ ବାଙ୍କୀ ବ୍ଲକ୍ ନୂଆଗାଁ ପଂଚାୟତର ସରପଂଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ବାଇଁ, ଏକ ୱେବ ଚ୍ୟାନେଲର ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ ଓ ବବଲୁ ସିଂହ ବାଇକରେ ବସି ବାଙ୍କୀ-କଳାପଥର ରାସ୍ତାରେ ଘରକୁ ଫେରୁଥିବାବେଳେ ଜୋକଲାଞ୍ଜି ଡ୍ୟାମ ନିକଟ ନିଛାଟିଆ ରାସ୍ତାରେ ସରପଞ୍ଚଙ୍କ ସ୍ବାମୀ ଓ ସାମ୍ବାଦିକଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/banki-congress.jpg)