ପୁରୀ : ସତ୍ତା ହରାଉଛି ବାଙ୍କୀ ମୁହାଣ ବେଳାଭୂମି, ଆବର୍ଜନା ଜଳ ମିଶୁଛି ସମୁଦ୍ରରେ

ପୁରୀ : ବ୍ଲୁ ଫ୍ଲାଗ୍ ବିଚ୍‌ ପ୍ରସ୍ତୁତ କରି ପ୍ରଶାସନ ପ୍ରଶଂସା ସାଉଁଟୁଛି। ଗାନ୍ଧୀ ପାର୍କଠାରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ବେଳାଭୂମିକୁ ପର୍ଯ୍ୟଟକଙ୍କ ପା‌ଇଁ ଆକର୍ଷଣୀୟ କରାଯାଇଛି। ଏହ ବେଳାଭୂମିର ଶ୍ରେୟ ନେବାକୁ ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ନିଜ ପକ୍ଷରେ ନେବାକୁ ଉଦ୍ୟମ ଚଳାଇଛନ୍ତି। ତେବେ ଗୋଟିଏ ପଟେ ବେଳାଭୂମିର ସୁନ୍ଦର ରୁପ ଦେଖିବାକୁ ମିଳୁଥିବା ବେଳେ ଠିକ୍ ଟିକେ ଦୂରରେ ବେଳାଭୂମିର ଏକ ଭିନ୍ନ ରୂପ ପର୍ଯ୍ୟଟକଙ୍କୁ ବିମୁଖ କରୁଛି। ଗୋଟିଏ ପଟେ ବେଳାଭୂମି ଚିକ୍‌ଚିକ୍‌ ଥିବା ବେଳେ ଅନ୍ୟପଟେ ଦୁର୍ଗନ୍ଧରେ ନାକ ଫାଟିପଡୁଛି। ସହରର ସମସ୍ତ ଆବର୍ଜନା ଜଳ ବିନା ଟ୍ରିଟମେଣ୍ଟ (ବିଶୋଧନ)ରେ ଯାଇ ସମୁଦ୍ରରେ ମିଶୁଛି। କେବଳ ପଲିଥିନ, ପ୍ଲାଷ୍ଟିକ ପୃଥକ କରାଯିବା ପରେ ଏହି ମଇଳା ପାଣି ସବୁ ସମୁଦ୍ରରେ ମିଶୁଛି। ଯାହା ଜଳଜୀବଙ୍କ ପାଇଁ ହାନିକାରକ ହୋଇଛି। ଏପରିକି ବେଳାଭୂମି ପ୍ରଦୂଷିତ ମଧ୍ୟ ହେଉଛି । ଅନ୍ୟପକ୍ଷରେ ଜଳର ମାନ (ସ୍ନାନ ଉପଯୋଗୀ ଜଳ) ହିଁ ବ୍ଲୁ ଫ୍ଲାଗ୍ ବିଚର ପ୍ରମୁଖ ମାନଦଣ୍ଡ ହୋଇଥିବା ବେଳେ ଏବେ ସେହି ଜଳ ହିଁ ବ୍ଲୁ ଫ୍ଲାଗ ବିଚ୍‌ ପାଇଁ କଣ୍ଟା ହେବାର ଆଶଙ୍କା ଉପୁଜିଛି। ପୁରୀରେ ବାଙ୍କୀ ମୁହାଣ ବେଳାଭୂମିକୁ ଅବହେଳା କରାଯାଉଛି। ଗୋଟିଏ ପଟେ ବେଳାଭୂମି ସଫାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଅନ୍ୟ ପଟେ ଏହାକୁ ଅଣଦେଖା କରାଯାଉଛି।

ପୁରୀ ସହରର ଐତିହ୍ୟ ବାଙ୍କୀ ମୁହାଣ ତା’ର ସତ୍ତା ହରାଇଛି। ଐତିହ୍ୟ ସହିତ ଯୋଡ଼ି ହୋଇଥିବା ବାଙ୍କୀ ମୁହାଣ ବେଳାଭୂମିର ପୁନଃରୁଦ୍ଧାର ଆବଶ୍ୟକତା ରହିଛି। କୁହାଯାଏ ମହାପ୍ରଭୁଙ୍କ ଦାରୁ ଭାସି ଆସି ଏହି ମୁହାଣରେ ଲାଗିଥିଲା। ମାତ୍ର ଏ ମୁହାଣ ଏବେ ଧାର୍ମିକ ଓ ଐତିହାସିକ ଗୁରୁତ୍ବ ହରାଇଛି। ଏବେ ଏହାକୁ ଆବର୍ଜନା କୁଣ୍ଡରେ ପରିଣତ କରି ଦିଆଯାଇଛି। ସହରର ସମସ୍ତ ମୁଖ୍ୟ ଡ୍ରେନ୍‌ ବା ନଳାର ପାଣି ବାଙ୍କୀ ମୁହାଣରେ ସମୁଦ୍ରରେ ମିଶୁଛି। ଆବର୍ଜନା ପାଣି ‌ପୂରା ବେଳାଭୂମିକୁ ନଷ୍ଟ କରୁଛି। ଫଳରେ ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟ ଉଜୁଡ଼ିଯାଉଛି। ବାଙ୍କୀ ମୁହାଣ ପାର୍କ ନିର୍ମାଣ ସରିଥିଲେ ବି ଏହି ବେଳାଭୂମିକୁ ପର୍ଯ୍ୟଟକ ପାଦ ପକାଉନାହାନ୍ତି। ସହରର ଆବର୍ଜନା ପାଣିକୁ ବିଶୋଧନ କରିବା ପରେ ଏହାକୁ ପାଇପ ଯୋଗେ ନ ଛାଡ଼ି ପାଣିକୁ ବେଳାଭୂମିରେ ଖୋଲା ଛାଡ଼ି ଦିଆଯାଇଛି। ଫଳରେ ବେଳାଭୂମିର ଏଭଳି ଅବସ୍ଥା ଉପୁଜିଛି। ଗୋଟିଏ ପଟେ ସେହି ଅଞ୍ଚଳର ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍‌ର ମାନ୍ୟତା ମିଳିବାକୁ ଯାଉଥିବାରୁ ପାଖ ବାଙ୍କୀ ମୁହାଣ ବେଳାଭୂମିକୁ ମଧ୍ୟ ସମାନ ଗୁରୁତ୍ବ ଦେବାର ଆବଶ୍ୟକତା ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର