ଏଥର ବାଙ୍କୀରୁ କିଏ?, ତିନି ପ୍ରମୁଖ ଦଳର ହାଇକମାଣ୍ଡଙ୍କ ହାତରେ ଚାବିକାଠି

ବାଙ୍କୀ : କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥିତ୍ୱ ନେଇ ଭୋଟର ସନ୍ଦିହାନ ରହିଛନ୍ତି।

ବର୍ତ୍ତମାନ ବିଧାୟକ ଥିବ‌ା ପ୍ରଭାତ ତ୍ରିପାଠୀ ଜଣେ ପ୍ରଭାବଶାଳୀ ତଥା ଆଗଧାଡ଼ିର ନେତା। ଏହି ନିର୍ବାଚନମଣ୍ଡଳୀରେ ତାଙ୍କର ଦୀର୍ଘଦିନର ପ୍ରତିନିଧିତ୍ବ ରହିଛି। ତେବେ, ଚିଟ୍‌ଫଣ୍ଡ ମାମଲାରେ ଛନ୍ଦି ହୋଇ ଜେଲ୍‌ ଯିବା ପରେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ଭୋଟର୍‌ମାନେ ଅନ୍ଧାରରେ ରହିଛନ୍ତି। ଚଳିତ ନିର୍ବାଚନରେ ସେ ପ୍ରତିଦ୍ବନ୍ଦ୍ବିତା କରିବେ କି ନାହିଁ କିମ୍ବା ତାଙ୍କୁ ଦଳୀୟ ଟିକେଟ ମିଳିବ କି ନାହିଁ, ତାକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହାର ସୁଯୋଗରେ ବିଜେଡିର ଅନ୍ୟ ଆଗଧାଡ଼ିର ନେତାମାନେ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ଆଶାବାନ୍ଧିବା ଆରମ୍ଭ କରିଛନ୍ତି।

ତେବେ, ବିଧାୟକ ଶ୍ରୀ ତ୍ରିପାଠୀଙ୍କ ପୁଅ ତଥା ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଦେବୀରଂଜନ ତ୍ରିପାଠୀ ମଧ୍ୟ ଆଶାୟୀ ତାଲିକାରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ବିଧାୟକ ସ୍ୱର୍ଗତ ଘନଶ୍ୟାମ ସାହୁଙ୍କ ପୁଅ ଇଂ. ସବ୍ୟସାଚୀ ସାହୁ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଂପାଦକ ବିଶ୍ୱରଂଜନ ମହାନ୍ତି ଏବଂ ବରିଷ୍ଠ ଶିକ୍ଷାବିତ ବୈଦ୍ୟନାଥ ରାଉତ।

କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ଡଃ. ଦେବାଶୀଷ ପଟ୍ଟନାୟକଙ୍କ ନାମ ପ୍ରମୁଖ ଚର୍ଚ୍ଚାରେ ଥିବାବେଳେ ତାଙ୍କର ବିକଳ୍ପଭାବେ ପୂର୍ବତନ ବିଧାୟକ ପ୍ରାର୍ଥୀ ରବୀନ୍ଦ୍ରନାଥ ମଲ୍ଲିକଙ୍କ ନାମକୁ ନେଇ ଆଲୋଚନା ହେଉଛି। ବିଜେପିରୁ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢୀ, ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ଅଜୟ କୁମାର ସ୍ୱାଇଁ, ପଦ୍ମଜା ଦେବତା, ସୁବଳ ବେହେରା ମଧ୍ୟ ଆଶାୟୀ ତାଲିକାରେ ରହିଛନ୍ତି। ତେବେ, ଆଗାମୀ ଦିନରେ ସବୁ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଏନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିବ।

ସମ୍ବନ୍ଧିତ ଖବର