ଥୁଆମୂଳ ରାମପୁର ଅଞ୍ଚଳରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ, ବ୍ୟାଙ୍କ ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଥୁଆମୂଳ ରାମପୁର ବ୍ଳକରେ ୨୪ ଟି ପଞ୍ଚାୟତ ଥିବା ବେଳେ ମାତ୍ର ୨ ଟି ବ୍ୟାଙ୍କ ଅଛି । ସେଥି ମଧ୍ୟରୁ ଗୋଟିଏ ଗୁଣପୁର ଠାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଥିବା ବେଳେ ଅନ୍ୟଟି ଥୁଆମୂଳ ରାମପୁର ଠାରେ ଷ୍ଟେଟବ୍ୟାଙ୍କ ଅଛି । ବର୍ତ୍ତମାନ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପ୍ରାପ୍ୟ ଶ୍ରମିକ ଏବଂ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରାଯାଉଛି । ଆଗକୁ ସରକାର ବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କ ଭତ୍ତା ମଧ୍ୟ ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ ଦେବାକୁ ଯୋଜନା କରିଛନ୍ତି । ହେଲେ ଥୁଆମୂଳ ରାମପୁର ଠାରେ ଥିବା ୨ଟି ବ୍ୟାଙ୍କ ଅଞ୍ଚଳବାସୀ ବା ଖାତାଧାରୀଙ୍କୁ ଉଚିତ ସେବା ଯୋଗାଇ ଦେଉନଥିବା ଅଭିଯୋଗ ହୋଇଛି।

ଏହି ବ୍ୟାଙ୍କମାନଙ୍କରେ ଲୋକେ ଟଙ୍କା ଉଠାଣ ପାଇଁ ରାତି ୩ଟା ସମୟରୁ ଆସି ଟୋକନ କରିବାକୁ ପଡୁଛି । ଖାତାଦାରଙ୍କ ଜରୁରୀ ଥିବା ବେଳେ ଚାହିଁଲେ ମଧ୍ୟ ୨୦ ହଜାର ଟଙ୍କା ଉଠାଇ ପାରୁନାହାନ୍ତି । ସେହିଭଳି ଲୋକେ ରାତି ୩ ଟାରୁ ୫୦/୬୦ କିଲୋମିଟର ଦୂରରୁ ଆସି ମଧ୍ୟ ଟୋକନ ନ ପାଇ ଫେରି ଯାଉଥିବା ଅଭିଯୋଗ ହୋଇଛି । ତେଣୁ ଥୁଆମୂଳ ରାମପୁର ବ୍ଲକର ଡୁମେରପଦର, ଗୋପୀନାଥ ପୁର, ଗୁଣପୁର ଠାରେ ଏଟିଏମ ସ୍ଥାପନ କରିବା ସହ ବ୍ଲକ ମୁଖ୍ୟାଳୟ ଠାରେ ଅନ୍ୟ ଏକ ଜାତୀୟକରଣ ବ୍ୟାଙ୍କ ଖୋଲିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରତିନିଧି ଦଳରେ ଜିଲ୍ଲାପରିଷଦ ସଦସ୍ୟ ମୂରଲୀଧର ନାଏକ, ସମିତିସଭ୍ୟ ମନୋରଞ୍ଜନ ନାଏକ, ପୂର୍ବ ବ୍ଲକ ଅଧ୍ୟକ୍ଷା ଦ୍ରୌପଦୀ ମାଝୀ, ଆଦିବାସୀ ସଂଘର ସନାତନ ମାଝୀ, ସୁଭମର ଅଶୋକ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର